ଭଦ୍ରକ, ୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର) କାର୍ଯ୍ୟକ୍ରମ ଅନ୍ତର୍ଗତ ଭଦ୍ରକ ଜିଲ୍ଲାରେ ପରିଗଣନା ଫର୍ମ ବଂଟନ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟର ସମୁଦାୟ ୧କୋଟି ୯୮ଲକ୍ଷ ୯୭ହଜାର ୩୩୧ଜଣ ଅର୍ଥାତ ମୋଟ ଭୋଟର ର ୫୯.୫୭ପ୍ରତିଶତ ଭୋଟରଙ୍କୁ ସଫଳତାର ସହ ପରିଗଣନା ଫର୍ମ ବଂଟନ କରାଯାଇ ସାରିଛି। ଜିଲ୍ଲାରେ ମୋଟ ୧୨,୮୪,୬୧୮ ଜଣ ମତଦାତା ଥିବା ବେଳେ ସେମାନଙ୍କ ମଧ୍ୟରୁ ୮୪.୭୪ ପ୍ରତିଶତ ମତଦାତାଙ୍କୁ ପରିଗଣନା ଫର୍ମ ବଂଟନ କରାଯାଇଛି। ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ଭଦ୍ରକ ଜିଲ୍ଲାର ୪୫-ବାସୁଦେବପୁର ବିଧାନସଭା କ୍ଷେତ୍ର ଅନ୍ତର୍ଗତ ତିହିଡ଼ି ବ୍ଲକର ବିଭିନ୍ନ ବୁଥ ପରିଦର୍ଶନ କରିଥିଲେ ଇଆରଓ-ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ। ପରିଦର୍ଶନ ସମୟରେ ସେ ବୁଥ ସ୍ତରରେ ଚାଲିଥିବା ଫର୍ମ ବଂଟନ, ମତଦାତାଙ୍କ ସହ ସମନ୍ୱୟ ଏବଂ ବିଏଲ୍?ଓମାନଙ୍କ ଦ୍ୱାରା କରାଯାଉଥିବା ଘରକୁ ଘର ଯାଇ ସଚେତନତା ଓ ତଥ୍ୟ ସଂଗ୍ରହ କାର୍ଯ୍ୟର ସମୀକ୍ଷା କରିଥିଲେ। ସମସ୍ତ ଯୋଗ୍ୟ ମତଦାତାଙ୍କ ନିକଟରେ ପହଞ୍ଚି ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ ସମାପ୍ତ କରିବା ସହ ମତଦାତାମାନଙ୍କୁ ସହଯୋଗ କରିବାକୁ ସେ ସମ୍ପୃକ୍ତ ଅଧିକାରୀ ଓ ବିଏଲ୍ଓମାନଙ୍କୁ ପରାମର୍ଶ ଦେଇଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ବୁଥ୍ ସ୍ତରୀୟ ଅଧିକାରୀ (ବିଏଲ୍ଓ)ମାନେ ଘରକୁ ଘର ବୁଲି ଫର୍ମ ବଂଟନ ଓ ସଂଗ୍ରହ କାର୍ଯ୍ୟ କରୁଛନ୍ତି। ଅବଶିଷ୍ଟ ମତଦାତାଙ୍କ ନିକଟରେ ମଧ୍ୟ ଶୀଘ୍ର ଫର୍ମ ପହଞ୍ଚାଇବା ସହ ୨୮ ଜୁନ୍ ୨୦୨୬ ସୁଦ୍ଧା ସମସ୍ତ ଫର୍ମ ସଂଗ୍ରହ କରିବାକୁ ପ୍ରଶାସନ ଲକ୍ଷ୍ୟ ରଖିଛି। ଜିଲ୍ଲା ପ୍ରଶାସନ ସମସ୍ତ ଯୋଗ୍ୟ ମତଦାତାଙ୍କୁ ବିଏଲ୍ଓଙ୍କୁ ସହଯୋଗ କରିବା, ପରିଗଣନା ଫର୍ମ ଯଥାଶୀଘ୍ର ପୂରଣ କରି ଦାଖଲ କରିବା ଏବଂ ନିଜର ନାମ ଭୋଟର ତାଲିକାରେ ସୁନିଶ୍ଚିତ କରିବାକୁ ଅନୁରୋଧ କରିଛି। ମତଦାତାମାନେ ଚାହିଁଲେ ଅନଲାଇନ୍ ମାଧ୍ୟମରେ ମଧ୍ୟ ଫର୍ମ ଦାଖଲ କରିପାରିବେ। ଭୋଟର ତାଲିକାରେ ନାମ ସାମିଲ, ସଂଶୋଧନ କିମ୍ବା ଏହି ସମ୍ପର୍କିତ ଯେକୌଣସି ଜନସାଧାରଣ ସୂଚନା ଓ ସହାୟତା ପାଇଁ ନିର୍ବାଚନ ବିଭାଗ ପକ୍ଷରୁ ଜାରି କରାଯାଇଥିବା ମାଗଣା ହେଲ୍ପଲାଇନ ନମ୍ବର ୧୯୫୦ କୁ କଲ୍ କରି ସବିଶେଷ ସୂଚନା ପାଇପାରିବେ।
Home ଜିଲ୍ଲା ପରିକ୍ରମା ଭଦ୍ରକରେ ଏସ୍ଆଇଆର ପ୍ରକ୍ରିୟାରେ ଉଲ୍ଲେଖନୀୟ ଅଗ୍ରଗତି, ୮୪.୭୪ ପ୍ରତିଶତ ଭୋଟରଙ୍କ ନିକଟରେ ପରିଗଣନା ଫର୍ମ ବଂଟନ...








