Home ଜିଲ୍ଲା ପରିକ୍ରମା ବୈତରଣୀ ନଦୀରୁ ଦିନ ଦ୍ୱିପ୍ରହରରେ ବାଲି ଲୁଟ୍‌, ବିପଦରେ ନଦୀବନ୍ଧ, ନିଦାବିଷ୍ଣୁ ସାଜିଛି ପ୍ରଶାସନ

ବୈତରଣୀ ନଦୀରୁ ଦିନ ଦ୍ୱିପ୍ରହରରେ ବାଲି ଲୁଟ୍‌, ବିପଦରେ ନଦୀବନ୍ଧ, ନିଦାବିଷ୍ଣୁ ସାଜିଛି ପ୍ରଶାସନ

5

ଭଦ୍ରକ, ୬ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ତହସିଲ ଅନ୍ତର୍ଗତ ଅର୍ଜୁନପୂର ପଂଚାୟତର ମମାଦୁଲା ଅଂଚଳ ଏବେ ବାଲି ମାଫିଆଙ୍କ ଚରାଭୂଇଁ ପାଲଟିଛି। ବୈତରଣୀ ନଦୀ ପଠା ରୁ ଦୈନିକ ଶହ ଶହ ଟ୍ରାକ୍ଟର ରେ ବେଆଇନ ଭାବେ ବାଲି ଚୋରା ଚାଲାଣ ହେଉଥିବା ବେଳେ ପ୍ରଶାସନର ନୀରବତା ସ୍ଥାନୀୟ ଅଂଚଳରେ ଅସନ୍ତୋଷ ସୃଷ୍ଟି କରିଛି।ମାଫିଆମାନେ ବାଲି ବୋହିବା ପାଇଁ ମମାଦୂଲା ଗ୍ରାମ ନିକଟରେ ନଦୀବନ୍ଧକୁ କାଟି ମନଇଚ୍ଛା ଗଡ଼ା ତିଆରି କରିଛନ୍ତି। ଏହାଦ୍ୱାରା ନଦୀବନ୍ଧ ଦୁର୍ବଳ ହେବାରେ ଲାଗିଛି। ଆଗକୁ ବର୍ଷା ଋତୁ ଆସୁଥିବା ବେଳେ ବନ୍ଧର ମରାମତି ହେଉନାହିଁ। ଯଦି ବନ୍ଧରେ ଘାଇ ସୃଷ୍ଟି ହୁଏ, ତେବେ ସମ୍ପୂର୍ଣ୍ଣ ଅଂଚଳ ଜଳମଗ୍ନ ହେବାର ଆଶଙ୍କା ରହିଛି। ବାରମ୍ବାର ବାଲି ଉତୋଳନ ଯୋଗୁଁ ନଦୀ ମଧ୍ୟ ଗଭୀର ହେବାରେ ଲାଗିଛି, ଯାହା ପରିବେଶ ପାଇଁ ଏକ ବଡ଼ ବିପଦ।ଧାମନଗର ଜଳସେଚନ ବିଭାଗ ଅଧୀନରେ ଥିବା ରାସ୍ତା ଦେଇ ଦିନରାତି ଶହ ଶହ ବେଆଇନି ବାଲି ବୋଝେଇ ଟ୍ରାକ୍ଟର ଚଳାଚଳ କରୁଛି। ଫଳରେ ରାସ୍ତା ସମ୍ପୂର୍ଣ୍ଣ ଶୋଚନୀୟ ହୋଇପଡ଼ିଛି। ସ୍ଥାନୀୟ ଲୋକେ ଯାତାୟାତ କରିବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହା ସହିତ ଟ୍ରାକ୍ଟର ଗୁଡ଼ିକର ବିକଟାଳ ଶବ୍ଦରେ ଗ୍ରାମବାସୀଙ୍କ କାନ ଫାଟି ପଡୁଛି, ଯାହା ସାଧାରଣ ଜୀବନ ଯାପନକୁ ଦୁର୍ବିଷହ କରିଦେଇଛି।ବଡ଼ ବିଡ଼ମ୍ବନାର ବିଷୟ ଯେ, ସ୍ଥାନୀୟ ଅଂଚଳରେ ଦିନ ଦ୍ୱିପ୍ରହରରେ ଏଭଳି ବେଆଇନ କାର୍ଯ୍ୟ ଚାଲିଥିଲେ ସୁଦ୍ଧା ତହସିଲ ପ୍ରଶାସନ କିମ୍ବା ଖଣି ବିଭାଗ କୌଣସି କଠୋର ପଦକ୍ଷେପ ଗ୍ରହଣ କରୁନାହାନ୍ତି। ପ୍ରଶାସନର ଏହି ଚୁପ୍ ରହିବା ପଛରେ ମାଫିଆଙ୍କ ସହ କୌଣସି ମଧୁଚନ୍ଦ୍ରିକା ରହିଛି କି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ତୁରନ୍ତ ଏହି ବେଆଇନ ବାଲି ଚୋରା ଚାଲାଣ ବନ୍ଦ କରାଯାଉ, କଟାଯାଇଥିବା ନଦୀବନ୍ଧର ମରାମତି ହେଉ ଏବଂ ସମ୍ପୃକ୍ତ ମାଫିଆଙ୍କ ବିରୋଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ନଚେତ୍ ଆଗାମୀ ଦିନରେ ଅଂଚଳବାସୀ ରାଜରାସ୍ତାକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଛନ୍ତି। ଏ ଦିଗରେ ଜଳସେଚନ ବିଭାଗ ର କନିଷ୍ଟ ଯନ୍ତ୍ରୀ ବିମଳ ବେହେରା କହିଛନ୍ତି ବାରମ୍ବାର ଉକ୍ତ ରାସ୍ତା କୁ କାଟି ଦୈନିକ ବାଲି ମାଟି ବୋଝେଇ କରି ଟ୍ରାକ୍ଟର ଚଳାଚଳ କରୁଥିବାରୁ ବନ୍ଧ ଦୃବଳ ହେଉଚି ସେମାନଙ୍କୁ କହିଲେ ନାଲି ଆଖି ଦେଖାଉଛନ୍ତି , ତେବେ ଏ ନେଇ ଥାନାରେ ଆଶ୍ରୟ ନିଆଯିବ ବୋଲି ଶ୍ରୀ ବେହେରା କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.