Home ଜିଲ୍ଲା ପରିକ୍ରମା ଭଦ୍ରକୀୟ ନାରୀ ପ୍ରଜ୍ଞା ଓ ସୃଜନ ଶକ୍ତିର ଶୁଭ୍ର ଜ୍ୟୋତ୍ସ୍ନା ସଦୃଶ,ଭଦ୍ରକ ବୈଶାଖୀ ମେଳାର ସପ୍ତମ...

ଭଦ୍ରକୀୟ ନାରୀ ପ୍ରଜ୍ଞା ଓ ସୃଜନ ଶକ୍ତିର ଶୁଭ୍ର ଜ୍ୟୋତ୍ସ୍ନା ସଦୃଶ,ଭଦ୍ରକ ବୈଶାଖୀ ମେଳାର ସପ୍ତମ ସନ୍ଧ୍ୟା

1

ଭଦ୍ରକ, ୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ନାରୀ ହେଉଛି ସେହି ସୃଜନଶୀଳତାର ଆଧାରଶିଳା। ଯେଉଁଠି ଶବ୍ଦ ହାର ମାନେ, ସେଠି ନାରୀର ଅନ୍ତର୍ନିହିତ ଭାବନା କବିତା ଓ ଗଦ୍ୟ ମାଧ୍ୟମରେ ସମାଜକୁ ନୂତନ ଦିଗଦର୍ଶନ ଦେଇଥାଏ। ଉତ୍ସର୍ଗୀକୃତ ଭାବନା ଓ ସାରସ୍ୱତ ସାଧନାର ପବିତ୍ର ଭୂମି ଭଦ୍ରକରେ ନାରୀମାନେ କେବଳ ଘରର ଚାରିକାନ୍ଥ ମଧ୍ୟରେ ସୀମିତ ନରହି ନିଜର ଲେଖନୀ ଚାଳନା ଦ୍ୱାରା ଓଡ଼ିଆ ଭାଷା ଓ ସାହିତ୍ୟକୁ ଋଦ୍ଧିମନ୍ତ କରିଛନ୍ତି। ନାରୀକବି ବିଦ୍ୟୁତପ୍ରଭା ଦେବୀଙ୍କଠାରୁ ଆଜିର ପରିପ୍ରେକ୍ଷୀରେ ଆମ ସାରସ୍ୱତ ପରମ୍ପରାକୁ ଅକ୍ଷୁର୍ଣ୍ଣ ରଖିବା କ୍ଷେତ୍ରରେ ଭଦ୍ରକର ନାରୀ ଲେଖିକାମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ନେହେରୁ ଷ୍ଟାଡିୟମ୍ ପରିସରରେ ଅନୁଷ୍ଠିତ ‘ଭଦ୍ରକ ବୈଶାଖୀ ମେଳା-୨୦୨୬’ର ସପ୍ତମ ସନ୍ଧ୍ୟା ଅତିଥି ମତବ୍ୟକ୍ତ କରିଛନ୍ତି। ପ୍ରଥମେ ମେଳା କମିଟି ସଭାପତି ଅଜୟ ନାୟକଙ୍କ ପକ୍ଷରୁ ସଦ୍ୟ ପରଲୋକଗତ ଏ ମାଟିର ଯଶସ୍ୱୀ କବି ଅବସରପ୍ରାପ୍ତ ପ୍ରାଧ୍ୟାପିକା ଡ. ପ୍ରଭାତନଳିନୀ ମହାପାତ୍ର ଓ ବିଶିଷ୍ଟ ଶିକ୍ଷାବିତ୍ ଅବସରପ୍ରାପ୍ତ ପ୍ରାଧ୍ୟାପକ ମାନସ ରଂଜନ ଲେଙ୍କାଙ୍କ ବିୟୋଗରେ ଶୋକପ୍ରସ୍ତାବ ଅଣାଯାଇ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ଅଧ୍ୟାପକ ଡ. ବିଶ୍ୱରଂଜନ ଦାସ ଦିବଂଗତ ଦୁଇ ପ୍ରତିଭାଙ୍କ ଜୀବନୀ ଓ ଅବଦାନ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ। କବି ଗୀତାରାଣୀ ଆଇଚଙ୍କ ପୌରୋହିତ୍ୟରେ ‘ଓଡ଼ିଆ ଭାଷା ଓ ସାହିତ୍ୟରେ ଭଦ୍ରକର ନାରୀ’ ଶୀର୍ଷକ ସାରସ୍ୱତ ଚର୍ଚ୍ଚାରେ ମୁଖ୍ୟ ଅତିଥି ଭାବେ ଇଂରାଜୀ ଭାଷା ସାହିତ୍ୟର ଅଧ୍ୟାପିକା ଡ. ସୁକାନ୍ତି ମହାପାତ୍ର ଯୋଗଦେଇ ଓଡ଼ିଆ ସାହିତ୍ୟ ଆକାଶରେ ଭଦ୍ରକର ନାରୀମାନେ ସୃଜନଶୀଳତା ଓ ବୌଦ୍ଧିକତା ଦ୍ୱାରା ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟବକ୍ତା ସମାଜବିଜ୍ଞାନ ଅଧ୍ୟାପିକା କବି ଡ. ମମତା ସାହୁ ଯୋଗଦେଇ ଓଡ଼ିଆ ସାହିତ୍ୟର ବିଭିନ୍ନ ଯୁଗରେ ଭଦ୍ରକର ନାରୀମାନେ ନିଜର ଶାଣିତ ଲେଖନୀ ମାଧ୍ୟମରେ ସ୍ୱର ଉତୋଳନ କରିଛନ୍ତି, ଯାହା ଆମ ସାହିତ୍ୟ ଓ ସଂସ୍କୃତିକୁ ସମୃଦ୍ଧ କରିଛି ବୋଲି କହିଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମଧୁସ୍ମିତା ମହାପାତ୍ର ଓ କବୟିତ୍ରୀ ମନୋରମା ଆଚାର୍ଯ୍ୟ ପ୍ରମୁଖ ବରେଣ୍ୟ ଅତିଥି ଭାବେ ଯୋଗଦେଇ ନାରୀ ପ୍ରଗତି ଓ ସାହିତ୍ୟିକ ଧାରା ଉପରେ ସ୍ୱକୀୟ ମତାମତ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦେବେନ୍ଦ୍ରନାଥ ମହାଳିକ, ବିଜୟ କୁମାର ସାହୁ, ପଦ୍ମନ ରାୟ, ରବିନାରାୟଣ ପଣ୍ଡା, ଡା ଅନୀଲ ଦାସ, ସନାତନ ସାହୁ, ମଦନ ମୋହନ ନାୟକ, ରାଜେନ୍ଦ୍ର ବିଶ୍ୱାଳ, ଶାନ୍ତିଲତା ବାରିକ, ଅଧ୍ୟାପକ ଉମାକାନ୍ତ ମହାଳିକ, ନାରାୟଣ ପାଢ଼ୀ, ଗୌରାଙ୍ଗ ବାରିକ୍‌, ବାବୁଲାଲ୍ ଦାସ ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। କବି ମମତାରାଣୀ ଦାସ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କବୟିତ୍ରୀ ଚୈତାଳୀ ଖିଲାର ମଂଚ ଆମନ୍ତ୍ରଣ କରିଥିଲେ। ମେଳା କମିଟି ସଦସ୍ୟା ବସୁମିତ୍ରା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ସରକାରଙ୍କ ସଂସ୍କୃତି ବିଭାଗ ପ୍ରେରିତ ଭୁବନେଶ୍ୱର ଶିଳ୍ପିକା ନୃତ୍ୟ ଏକାଡେମୀ ଓ ‘ବନ୍ଦେ ମାତରମ୍ କଲ୍‌ଚୁରାଲ୍ ଆସୋସିଏସନ୍‌’ ପକ୍ଷରୁ ସୁନ୍ଦର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇ ସନ୍ଧ୍ୟାକୁ ଅଧିକ ରଙ୍ଗାରଙ୍ଗ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.