Home ଜିଲ୍ଲା ପରିକ୍ରମା ଭଦ୍ରକ ପର୍ବପର୍ବାଣି ଓ ଖାଦ୍ୟ ସଂସ୍କୃତି ଜୀବନଶୈଳୀର ମୂଳଦୁଆ,(ଭଦ୍ରକବୈଶାଖୀ ମେଳାର ଷଷ୍ଠ ସନ୍ଧ୍ୟା)

ଭଦ୍ରକ ପର୍ବପର୍ବାଣି ଓ ଖାଦ୍ୟ ସଂସ୍କୃତି ଜୀବନଶୈଳୀର ମୂଳଦୁଆ,(ଭଦ୍ରକବୈଶାଖୀ ମେଳାର ଷଷ୍ଠ ସନ୍ଧ୍ୟା)

12

ଭଦ୍ରକ, ୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ସ୍ଥାନୀୟ ନେହେରୁ ଷ୍ଟାଡିୟମ୍ ପରିସରରେ ଚାଲିଥିବା ସର୍ବପ୍ରଥମ ‘ବୈଶାଖୀ ମେଳା-୨୦୨୬’ର ଷଷ୍ଠସନ୍ଧ୍ୟା ଆଜି ଅତ୍ୟନ୍ତ ଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଭଦ୍ରକର ସମୃଦ୍ଧ ପାରମ୍ପରିକ ଖାଦ୍ୟ ସଂସ୍କୃତି ଓ ପର୍ବପର୍ବାଣିକୁ ନେଇ ଏକ ସାରଗର୍ଭକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଡାକ୍ତର ରବୀନ୍ଦ୍ର କୁମାର ନାୟକ ସଭାପତିତ୍ୱ ଅଭିଭାଷଣରେ ସେ କହିଥିଲେ ଯେ, ଖାଦ୍ୟ ଓ ପର୍ବପର୍ବାଣି କେବଳ ପରମ୍ପରା ନୁହେଁ, ବରଂ ଏହା ଆମ ଜୀବନଶୈଳୀ ଓ ସ୍ୱାସ୍ଥ୍ୟର ମୂଳଦୁଆ। ଭଦ୍ରକର ପାରମ୍ପରିକ ପିଠାପଣା ଓ ଓଷାବ୍ରତ ମଧ୍ୟରେ ଏକ ବୈଜ୍ଞାନିକ ଦୃଷ୍ଟିକୋଣ ରହିଛି ବୋଲି ସେ ମତ ପ୍ରକାଶ କରିଥିଲେ। ଶିକ୍ଷାବିତ୍ ନିତ୍ୟାନନ୍ଦ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ଆଧୁନିକତା ମଧ୍ୟରେ ଆମେ ଆମର ମୂଳ ସଂସ୍କୃତିକୁ ଭୁଲିଯିବା ଉଚିତ୍ ନୁହେଁ। ବୈଶାଖୀ ମେଳା ଭଳି ଆୟୋଜନ ଆମର ଲୁପ୍ତପ୍ରାୟ ଖାଦ୍ୟ ସଂସ୍କୃତିକୁ ନୂତନ ପିଢ଼ି ପାଖରେ ପହଞ୍ଚାଇବାରେ ଏକ ସେତୁ ସଦୃଶ। ଡକ୍ଟର ପ୍ରଫୁଲ୍ଲ କୁମାର ସାହୁ, ଓ ଶିକ୍ଷବିତ ରବିନାରାୟଣ ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗଦେଇ ଭଦ୍ରକର ଐତିହାସିକ ଓ ସାଂସ୍କୃତିକ ପୃଷ୍ଠଭୂମି ଉପରେ ଚମତ୍କାର ତଥ୍ୟ ରଖିଥିଲେ। ସେ କହିଲେ ଯେ, ଭଦ୍ରକର ଭାତୃଭାବ ଓ ସାମ୍ପ୍ରଦାୟିକ ସଦ୍ଭାବ ଆମ ପର୍ବପର୍ବାଣିକୁ ଅଧିକ ସମୃଦ୍ଧ କରିଛି। ଭଦ୍ରକର ପାଳୁଅ ଲଡୁ ଠାରୁ ଆରମ୍ଭ କରି ପ୍ରସିଦ୍ଧ ପିଠାପଣା ପର୍ଯ୍ୟନ୍ତ ସବୁଥିରେ ଏହି ମାଟିର ବାସ୍ନା ରହିଛି। ଅନ୍ୟମାନଙ୍କ ମଧ୍ୟରେ ସଭାପତି ଅଜୟ ନାୟକ, ସମ୍ପାଦକ ଗଦାଧର ବାଳ, ସୀତାକାନ୍ତ ଦାସ, ଗୌରାଙ୍ଗ ବାରିକ, ନାରାୟଣ ପାଢ଼ୀ, ଶାନ୍ତିଲତା ବାରିକ, ରାଜଶ୍ରୀ ନାୟକ, କାଳନ୍ଦୀ ମାଲିକ, ମିନତୀ ବାରିକ, ପଦ୍ମାନ ରାୟ, ସୁଧାକର ରାଉତ, ଇଂ ଅମ୍ବିକା ବଲ୍ଲଭ ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଅଧିବକ୍ତା ମନୋରଞ୍ଜନ ଦାସ ମଞ୍ଚ ଆହ୍ୱାନ କରିବା ସହ ଅତିଥିମାନଙ୍କୁ ଆମନ୍ତ୍ରଣ କରିଥିଲେ। ବାବୁଲାଲ ଦାସ ସ୍ୱାଗତ ଭାଷଣ ପ୍ରଦାନ କରି ମେଳାର ଆଭିମୁଖ୍ୟ ଓ ସାଂସ୍କୃତିକ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଶିକ୍ଷାବିତ୍ ମଦନମୋହନ ନାୟକ ସମସ୍ତ ଅତିଥି, ସ୍ୱେଚ୍ଛାସେବୀ ଓ ଜନସାଧାରଣଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ‘ବନ୍ଦେ ମାତରଂ କଲଚୁରାଲ୍ ଆସୋସିଏସନ୍‌’ର କଳାକାରମାନଙ୍କ ଦ୍ୱାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ହଜାର ହଜାର ଦର୍ଶକ ଉପଭୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.