Home ଜିଲ୍ଲା ପରିକ୍ରମା ଅନ୍ତର୍ଜାତୀୟ ମହିଳା ଦିବସରେ ଭଦ୍ରକରେ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ବଂଟନ,ମହିଳା ସଶକ୍ତିକରଣ ପାଇଁ ସମସ୍ତଙ୍କ...

ଅନ୍ତର୍ଜାତୀୟ ମହିଳା ଦିବସରେ ଭଦ୍ରକରେ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ବଂଟନ,ମହିଳା ସଶକ୍ତିକରଣ ପାଇଁ ସମସ୍ତଙ୍କ ମିଳିତ ପ୍ରୟାସ ଆବଶ୍ୟକ – ବିଧାୟକ ସୀତାଂଶୁ ଶେଖର ମହାପାତ୍ର

5

ଭଦ୍ରକ, ୮ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆଜି ଭଦ୍ରକ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ବଂଟନ ସମାରୋହ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ବିଧାୟକ ସୀତାଂଶୁ ଶେଖର ମହାପାତ୍ର କହିଥିଲେ ଯେ, ମହିଳାମାନଙ୍କର ସଶକ୍ତିକରଣ କାର୍ଯ୍ୟକ୍ରମକୁ ଆହୁରି କ୍ରିୟାଶୀଳ କରିବା ପାଇଁ ସମସ୍ତଙ୍କୁ ମିଳିତ ଭାବରେ ପ୍ରୟାସ କରିବା ଆବଶ୍ୟକ। ସାମାଜିକ ଦୃଷ୍ଟିଭଙ୍ଗୀରେ ପରିବର୍ତନ ଫଳରେ ମହିଳାମାନେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରୁଛନ୍ତି ବୋଲି ସେ ଉଲ୍ଲେଖ କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଦିଲୀପ ରାଉତରାୟ, ଅତିରିକ୍ତ ଜିଲ୍ଲାପାଳ ସରୋଜ କୁମାର ଦତ ଓ ରବିନାରାୟଣ ସାହୁ, ପଂଚାୟତ ସମିତି ଅଧ୍ୟକ୍ଷା ଉର୍ମିଳା ନାୟକ ଏବଂ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ରୂପାଲୀ ମିତ୍ର ଉପସ୍ଥିତ ରହି ମହିଳା ସଶକ୍ତିକରଣ ଉପରେ ମତ ପ୍ରକାଶ କରିଥିଲେ। ପଂଚାୟତ ସମିତି ଅଧ୍ୟକ୍ଷା ଉର୍ମିଳା ନାୟକ କହିଥିଲେ ଯେ, ସକାରାତ୍ମକ ଚିନ୍ତାଧାରା, ସାହସ ଓ ଗଭୀର ଆତ୍ମବିଶ୍ୱାସ ପ୍ରତ୍ୟେକ ଝିଅ ଓ ମହିଳାଙ୍କ ପାଇଁ ଅତ୍ୟନ୍ତ ଆବଶ୍ୟକ। ଜୀବନର ବିଭିନ୍ନ ଆହ୍ୱାନକୁ ସାମ୍ନା କରିବା ପାଇଁ ଏହି ଗୁଣଗୁଡ଼ିକ ଅତ୍ୟାବଶ୍ୟକ ବୋଲି ସେ ମତ ପ୍ରକାଶ କରିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ମହିଳାମାନଙ୍କ ସହିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ, କ୍ଷେତ୍ର ପରିଦର୍ଶିକା, ଅଙ୍ଗନବାଡି କର୍ମୀ ଓ ଛାତ୍ରଛାତ୍ରୀମାନଙ୍କୁ ସମ୍ମାନିତ କରାଯାଇଥିଲା। ସେମାନେ ସମାଜର ଅନ୍ୟ ମହିଳାମାନଙ୍କ ପାଇଁ ପ୍ରେରଣାର ସ୍ରୋତ ହେବେ ବୋଲି ଅତିଥିମାନେ କହିଥିଲେ। ସରକାରଙ୍କ ବାଳିକା ଶିକ୍ଷା, ସ୍ୱାସ୍ଥ୍ୟ ଓ ମହିଳା ସଶକ୍ତିକରଣ ସମ୍ବନ୍ଧୀୟ ବିଭିନ୍ନ ଯୋଜନା ଯଥା ମମତା, ପ୍ରଧାନମନ୍ତ୍ରୀ ମାତୃବନ୍ଦନା, ପୋଷଣ, ଅଦ୍ୱିକା ଓ ମିଶନ ଶକ୍ତି ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଉଥିବା କଥା ମଧ୍ୟ ଉଲ୍ଲେଖ କରାଯାଇଥିଲା। ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ କାର୍ଯ୍ୟକ୍ରମଟି ସଫଳ ଭାବେ ଆୟୋଜିତ ହୋଇଥିଲା। ଶେଷରେ ଜିଲ୍ଲା ସୁରକ୍ଷା ଓ ଯୋଜନା ଅଧିକାରିଣୀ ସବିତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.