Home ଜିଲ୍ଲା ପରିକ୍ରମା ଧାମନଗର ବଜାରରେ ପ୍ରଶାସନିକ ପ୍ରହସନ,ଦୋକାନ ଭଙ୍ଗାଯିବା ପରେ ପୁଣି ଉଠା ଦୋକାନୀଙ୍କ ରାଜ, ଟ୍ରାଫିକ ଜାମରେ...

ଧାମନଗର ବଜାରରେ ପ୍ରଶାସନିକ ପ୍ରହସନ,ଦୋକାନ ଭଙ୍ଗାଯିବା ପରେ ପୁଣି ଉଠା ଦୋକାନୀଙ୍କ ରାଜ, ଟ୍ରାଫିକ ଜାମରେ ଛଟପଟ ଜନତା

3

ଭଦ୍ରକ, ୨୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମନଗର ରେ ଆଇନର ଶାସନ ନା ଜବରଦଖଲକାରୀ ଙ୍କ ରାଜ । ଏହି ପ୍ରଶ୍ନ ଏବେ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ମହଲରେ ଉଙ୍କି ମାରୁଛି। ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଙ୍କ ନିର୍ଦ୍ଦେଶ ଏବଂ ତହସିଲ ପ୍ରଶାସନର ‘ବୁଲଡୋଜର’ କାର୍ଯ୍ୟାନୁଷ୍ଠାନ ଏବେ ଏକ ବଡ଼ ଶୂନରେ ପରିଣତ ହୋଇଛି। ଯେଉଁ ରାସ୍ତାକୁ ଲୋକଙ୍କ ସୁବିଧା ପାଇଁ ମୁକ୍ତ କରାଯାଇଥିଲା, ତାହା ଏବେ କିଛି ଅସାଧୁ ଉଠା ଦୋକାନୀଙ୍କ “ବ୍ୟକ୍ତିଗତ ପୈତୃକ ସମ୍ପତି” ପାଲଟିଛି। କିଛି ମାସ ପୂର୍ବେ ତତ୍କାଳୀନ ତହସିଲଦାର ଦୀପକ ଦାସଙ୍କ ଉପସ୍ଥିତିରେ ଧାମନଗର ମୁଖ୍ୟ ବଜାରରେ ଏକ ଜବରଦଖଲ ଉଚ୍ଛେଦ ଅଭିଯାନ ହୋଇଥିଲା। ଦୁଇଜଣ ପ୍ରଭାବଶାଳୀ ଦୋକାନୀଙ୍କ ଦୋକାନ କୁ ହଟାଯାଇ ଆର.ଡି ବିଭାଗ ପକ୍ଷରୁ ସେଠାରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି କଂକ୍ରିଟ୍ ଢଳେଇ କରାଗଲା। ଆଶା ଥିଲା ରାସ୍ତା ପ୍ରଶସ୍ତ ହେବ ଏବଂ ଟ୍ରାଫିକ ସମସ୍ୟା ଦୂର ହେବ। ମାତ୍ର ବାସ୍ତବତା ହେଉଛି, ସେହି ଢଳେଇ ହୋଇଥିବା ଜାଗା ଏବେ “ଜବରଦଖଲକାରୀଙ୍କ ପାଇଁ ନୂଆ ଚରାଭୂଇଁ” ସାଜିଛି। ଦୁଇଟି ଦୋକାନ ଯାଇଥିବା ବେଳେ ଏବେ ସେଠାରେ ୫ ରୁ ୬ ଜଣ ଉଠା ଦୋକାନୀ ସ୍ଥାୟୀ ଭାବେ ଡେରା ପକାଇଛନ୍ତି। ଧାମନଗର ବଜାର ହେଉଛି ଅଂଚଳର ମୁଖ୍ୟ ପ୍ରାଣକେନ୍ଦ୍ର। ଏହି ବଜାର ଦେଇ ପ୍ରତିଦିନ ଭଦ୍ରକ, ଦୋବଲ ଏବଂ ଫଳପୁର କୁ ଯାଉଥିବା ବଡ଼ ବଡ଼ ବସ ସମେତ ସରକାରୀ ଗାଡ଼ି ଯାତାୟାତ କରେ। ଏହା ସହିତ ସ୍ଥାନୀୟ ସାପ୍ତାହିକ ହାଟ ସମୟରେ ପାଦ ପକାଇବାକୁ ଜାଗା ମିଳେନାହିଁ। ପ୍ରଶାସନର ନାକ ତଳେ ଏହି ଜବରଦଖଲ ପୁଣି କେମିତି ହେଉଛି। କାହା ଛତ୍ରଛାୟା ତଳେ ଏହି ଉଠା ଦୋକାନୀ ମାନେ ଏହି ରାସ୍ତା କୁ ଜବର ଦଖଲ କରୁଛନ୍ତି। ସରକାରୀ ଅର୍ଥରେ କଂକ୍ରିଟ୍ ହେଲା, କିନ୍ତୁ ତାହା ସାଧାରଣ ଜନତାଙ୍କ ବଦଳରେ କିଛି ମୁଷ୍ଠିମେୟ ବ୍ୟକ୍ତିଙ୍କ ଲାଭ ପାଇଁ ବ୍ୟବହାର ହେଉଛି।ରାସ୍ତା ଉପରେ ଦୋକାନ ମେଲାଇବା ଯୋଗୁଁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହେଉଛି। ଜରୁରୀ କାଳୀନ ପରିସ୍ଥିତିରେ ଆମ୍ବୁଲାନ୍ସ କିମ୍ବା ଦମକଳ ଗାଡ଼ି ଯିବା ମଧ୍ୟ କଷ୍ଟକର ହୋଇ ପଡ଼ୁଛି। ସ୍ଥାନୀୟ ପୋଲିସ ଏବଂ ତହସିଲ ପ୍ରଶାସନ ସବୁ ଦେଖି ଚୁପ୍ ରହିବା, ସେମାନଙ୍କର ଅପାରଗତାକୁ ସ୍ପଷ୍ଟ ପ୍ରମାଣିତ କରୁଛି। ଜନସାଧାରଣଙ୍କ ମଧ୍ୟରେ ଏବେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।ଯଦି ତୁରନ୍ତ ଏହି ଜବରଦଖଲ ଉଚ୍ଛେଦ କରାନଯାଏ, ଧିରେ ଧିରେ ଆହୁରି ଜବରଦଖଲ ବଡ଼ି ଯିବ। ଏହି ଜବର ଦଖଲ କୁ ପୁଣି ହଟା ଯିବ ବୋଲି ତହସିଲଦାର ସାଇ ଶ୍ରୀ ଲୋକନାଥ ସେଠୀ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.