Home ଜିଲ୍ଲା ପରିକ୍ରମା ଅପହରଣ ଓ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୁକ୍ତ ପୁଲିସ୍ ହାତରୁ ଚମ୍ପଟ, ଡ୍ୟୁଟିରେ ଥିବା କନେଷ୍ଟବଳ...

ଅପହରଣ ଓ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୁକ୍ତ ପୁଲିସ୍ ହାତରୁ ଚମ୍ପଟ, ଡ୍ୟୁଟିରେ ଥିବା କନେଷ୍ଟବଳ ଓ ସିପାହୀଙ୍କୁ ନିଳମ୍ବନ କଲେ ଏସ୍‌ପି

11

ଭଦ୍ରକ, ୧୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜନୈକା ଛାତ୍ରୀଙ୍କୁ କମେଂଟମରା ଘଟଣାକୁ ନେଇ କେତେକ ଯୁବକ ଜଣେ ଯୁବକକୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୁକ୍ତକୁ ସହରାଂଚଳ ଥାନା ପୁଲିସ୍ ଗିରଫ କରିଥିଲା। ଏବଂ ସଂପୃକ୍ତ ଦୁଇଜଣଙ୍କୁ ସ୍ଥାନୀୟ ରିଜର୍ଭ ପୁଲିସ୍ ଗ୍ରାଉଣ୍ଡରେ ରଖି ପଚରା ଉଚୁରା କରୁଥିଲା। ତେବେ ଜେରା ସମୟରେ ଭଦ୍ରକ ପୁରୁଣାବଜାର ଥାନା ଅଧୀନସ୍ଥ ନାଥସାହି ଗ୍ରାମର ସ୍ମୃତିରଂଜନ ନାଥ ପୁଲିସ୍ ହେପାଜତରୁ ଚମ୍ପଟ ମାରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ସେ ଫେରାର ହୋଇଯିବା ପରେ ପୁଲିସ୍ ଅନ୍ୟତମ ଅଭିଯୁକ୍ତ ଆଶିଷ ନାଥକୁ ଜେଲ୍ ହାଜତକୁ ପଠାଇଦେଇଛି। ଏଠାରେ ସୂଚନାଯୋଗ୍ୟ ଅପହରଣ ହୋଇଥିବା ଯୁବକକୁ ଅଭିଯୁକ୍ତମାନେ ଗତ ୧୨ ତାରିଖ ଦିନ ଏକ କାରରେ ନେଇ ମରଣାନ୍ତକ ଆକ୍ରମଣ କରି ରକ୍ତାକ୍ତ ଅବସ୍ଥାରେ ରାସ୍ତା ପାଶ୍ୱର୍ରେ ପକାଇଦେଇଥିଲେ। ପୁଲିସ୍ ତାକୁ ଉଦ୍ଧାର କରି ଭଦ୍ରକ ମେଡିକାଲରେ ଭର୍ତି କରିଥିଲା। ଏଥିନେଇ ଆକ୍ରମଣର ସମ୍ମୁଖୀନ ହୋଇଥିବା ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯିବା ପରେ ପୁଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏବଂ ସୋମବାର ଦିନ ଏହି ଅପହରଣ ମାମଲାର ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ପଚରା ଉଚୁରା ପାଇଁ ଭଦ୍ରକ ରିଜର୍ଭ ଗ୍ରାଉଣ୍ଡରେ ରଖିଥିଲା। ତେବେ ଅଭିଯୁକ୍ତ ସ୍ମୃତି ପରିସ୍ରା କରିବାକୁ କହି ଆଜି ପୁଲିସ୍‌କୁ ଚକ୍‌ମା ଦେଇ ଫେରାର ହୋଇଯାଇଥିବାର ଜଣାପଡିଛି। ଅପହରଣ ସହ ମରଣାନ୍ତକ ଆକ୍ରମଣ କରିବା ଭଳି ଏକ ଗୁରୁତର ମାମଲାରେ ଜଡିତ ଅଭିଯୁକ୍ତ ଦିବାଲୋକରେ ଖସିଯିବା ଘଟଣା ପୁଲିସ୍‌ର ଦାୟିତ୍ୱହୀନତାକୁ ପଦାରେ ପକାଇଛି। ଅପରପକ୍ଷେ ଏହି ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ ମନୋଜ ରାଉତ ସଂପୃକ୍ତ ଅଭିଯୁକ୍ତଙ୍କ ଦାୟିତ୍ୱରେ ଥିବା କନେଷ୍ଟବଳ କମଲକାନ୍ତ ସିଂହ ଓ ସିପାହୀ ମନୋରଂଜନ ବେହେରାଙ୍କୁ ନିଲମ୍ବିତ କରିଛନ୍ତି। ଏବଂ ଖୁବଶୀଘ୍ର ଅଭିଯୁକ୍ତକୁ ଧରାଯିବ ବୋଲି ସହରାଂଚଳ ଥାନା ଅଧିକାରୀ ପ୍ରଭାଂଶୁ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.