ଭଦ୍ରକ, ୧୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ପଧାନୀ ପଂଚାୟତ କାର୍ଯ୍ୟାଳୟ ପରିସରରେ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଏକ ଦିବସୀୟ ଦକ୍ଷତା ବିକାଶ ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।କର୍ମଶାଳାରେ ଖରିଫ ଚାଷ ସମେତ ବିଭିନ୍ନ ପନିପରିବା ଚାଷ ପ୍ରଣାଳୀ, ଉତ୍ପାଦନ ବୃଦ୍ଧି ଓ ଆଧୁନିକ ପଦ୍ଧତି ବିଷୟରେ ଚାଷୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା। ଏହାସହ ସରକାରୀ ସୁବିଧା ଓ ଯୋଜନାଗୁଡ଼ିକୁ କିପରି ଉପଭୋଗ କରିବେ, ସେନେଇ କୃଷି ବିଭାଗ ଓ ଉଦ୍ୟାନ କୃଷି ବିଭାଗ ମିଳିତରେ ସୂଚନା ଯୋଗାଇ ଦିଆଯାଇଥିଲା।ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ଧାମନଗର ବ୍ଲକ ପ୍ରତିନିଧି ତଥା ସ୍ଥାନୀୟ ସରପଂଚ ଅଶୋକ ପୁହାଣ, ସାଂସଦଙ୍କ ପ୍ରତିନିଧି ମନୋରଞ୍ଜନ ମଲ୍ଲିକ ଓ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଟୁନି ବାଳା ବିଶ୍ୱାଳ ଯୋଗ ଦେଇଥିବା ବେଳେ ଧାମନଗର ବ୍ଲକ ଗୋଷ୍ଠୀ କୃଷି ଅଧିକାରିଣୀ ଅନୁରାଧା ପଣ୍ଡା ସରକାରଙ୍କ ବିଭିନ୍ନ କୃଷି ଯୋଜନା ବିଷୟରେ ଚାଷୀମାନଙ୍କୁ ସୂଚନା ଦେଇଥିଲେ। ସହକାରୀ ଉଦ୍ୟାନ କୃଷି ଅଧିକାରୀ ମହେନ୍ଦ୍ର ଭୂୟାଁ ଉଦ୍ୟାନ କୃଷି ସ୍କିମ୍ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଦିଲ୍ଲୀପ ସାହୁ, ମନୋଜ ନନ୍ଦୀ ଓ ଅଭିନାଶ ଜେନା ପ୍ରମୁଖ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଚାଷୀ ଯୋଗଦାନ କରିଥିଲେ।








