Home ଜିଲ୍ଲା ପରିକ୍ରମା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଉଦଯାପିତ ହେଲା ‘ଧାମନଗର ଶୀତ ମହୋତ୍ସବ’, ମନ୍ତ୍ରୀ ଓ ଅତିଥିଙ୍କ ଗହଣରେ...

ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଉଦଯାପିତ ହେଲା ‘ଧାମନଗର ଶୀତ ମହୋତ୍ସବ’, ମନ୍ତ୍ରୀ ଓ ଅତିଥିଙ୍କ ଗହଣରେ ପ୍ରତିଭା ସମ୍ବର୍ଦ୍ଧିତ

5

ଭଦ୍ରକ, ୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅସୁରାଳିଠାରେ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ପଂଚାୟତିରାଜ ବିଭାଗ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଆୟୋଜିତ ପାଂଚ ଦିନିଆ ‘ଧାମନଗର ଶୀତ ମହୋତ୍ସବ’ ବେଶ୍ ଆଡ଼ମ୍ବର ସହକାରେ ଉଦଯାପିତ ହୋଇଯାଇଛି। ପଂଚମ ତଥା ଅନ୍ତିମ ସନ୍ଧ୍ୟାରେ ବିଭିନ୍ନ ପ୍ରାନ୍ତରୁ ଆସିଥିବା କଳାକାରଙ୍କ ନୃତ୍ୟ ଓ ସଙ୍ଗୀତର ମୂର୍ଚ୍ଛନାରେ ଅସୁରାଳି ପଡ଼ିଆ ଉତ୍ସବମୁଖର ହୋଇଉଠିଥିଲା। ମହୋତ୍ସବର ଶେଷ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପାତ୍ର, ଉତରାଂଚଳ ଡିଆଇଜି ପିନାକ ମିଶ୍ର, ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାୟ ଏବଂ ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ ପ୍ରମୁଖ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ମନ୍ତ୍ରୀ ଶ୍ରୀ ସ୍ୱାଇଁ ଓ ଶ୍ରୀ ସୂରଜ ନିଜ ଅଭିଭାଷଣରେ ସ୍ଥାନୀୟ କଳା ଓ ସଂସ୍କୃତିର ପ୍ରଚାର ପ୍ରସାର କ୍ଷେତ୍ରରେ ଏଭଳି ମହୋତ୍ସବର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଶେଷ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ସାଜିଥିଲା ମହାରାଷ୍ଟ୍ର ଓ ଆସାମର ଲୋକକଳା। ମହାରାଷ୍ଟ୍ରରୁ ଆସିଥିବା କଳାକାରମାନେ ସେମାନଙ୍କ ପାରମ୍ପରିକ ‘ଲାବଣୀ’ ନୃତ୍ୟ ପ୍ରଦର୍ଶନ କରି ଦର୍ଶକଙ୍କୁ ବିମୋହିତ କରିଥିଲେ। ସେହିପରି ଆସାମର ବିହୁ ନୃତ୍ୟର ତାଳେ ତାଳେ ଉପସ୍ଥିତ ଦର୍ଶକ ବିଭୋର ହୋଇଥିଲେ। କଳା ସଂସ୍କୃତିର ଏହି ମହା ମିଳନ ଧାମନଗର ମାଟିରେ ଏକ ନିଆରା ପରିବେଶ ସୃଷ୍ଟି କରିଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଶିଷ୍ଟ କଣ୍ଠଶିଳ୍ପୀ ମାନସ ପ୍ରୀତମ, ଯାଜ୍ଞସେନୀ ଏବଂ ପୁନମ ମିଶ୍ର ନିଜର ସୁମଧୁର ସଙ୍ଗୀତ ପରିବେଷଣ କରି ମେଲୋଡି ସନ୍ଧ୍ୟାକୁ ଆହୁରି ରଙ୍ଗୀନ କରିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ଅଂଚଳର ବହୁ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ମଂଚରେ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରାୟ ୫ ଦିନ ଧରି ଚାଲିଥିବା ଏହି ଭବ୍ୟ ମହୋତ୍ସବରେ ହଜାର ହଜାର ଦର୍ଶକଙ୍କ ସମାଗମ ହୋଇଥିବା ବେଳେ ଶାନ୍ତିଶୃଙ୍ଖଳାର ସହ ଏହା ଶେଷ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.