Home ଜିଲ୍ଲା ପରିକ୍ରମା ଅଜଣା ଗାଡି ଧକ୍କାରେ ବ୍ରିଜ୍ ତଳୁ ଖସିପଡି ଦମ୍ପତି ଗୁରୁତର,ଏନଏଚ ଉପରେ ଚାଲିଗଲା ୩ ବର୍ଷ...

ଅଜଣା ଗାଡି ଧକ୍କାରେ ବ୍ରିଜ୍ ତଳୁ ଖସିପଡି ଦମ୍ପତି ଗୁରୁତର,ଏନଏଚ ଉପରେ ଚାଲିଗଲା ୩ ବର୍ଷ ଶିଶୁପୁତ୍ରର ଜୀବନ

16

ଭଦ୍ରକ, ୨୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ସକାଳେ ଭଦ୍ରକ ସହରାଂଚଳ ଥାନା ଅଧୀନସ୍ଥ ୧୬ନଂ ଜାତୀୟ ରାଜପଥର ଡାହାଣୀଗଡିଆ ଓଭରବ୍ରିଜ୍ ଉପରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏହି ଦୁର୍ଘଟଣାରେ ସ୍ୱାମୀ-ସ୍ତ୍ରୀଙ୍କ ଆଗରେ ଚାଲିଯାଇଛି ୩ ବର୍ଷ ଶିଶୁପୁତ୍ରର ଜୀବନ। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ମୟୂରଭଂଜ ଜିଲା ମାଳତିପାଟଣା ଗ୍ରାମର ରଜତ ଜେନା ସ୍ତ୍ରୀ ମିଲି ସିଂ ଓ ୩ ବର୍ଷର ଶିଶୁପୁତ୍ର ଆକାଶକୁ ନେଇ ବାଇକ୍ ଯୋଗେ କୌଣସି କାର୍ଯ୍ୟରେ ଭୁବନେଶ୍ୱର ଆସୁଥିଲେ। ଏହି ସମୟରେ ଡାହାଣୀଗଡିଆ ଓଭରବ୍ରିଜ୍ ଉପରେ ତାଙ୍କ ବାଇକ୍‌ଟିକୁ କୌଣସି ଏକ ଅଜଣା ଗାଡି ଧକ୍କା ଦେଇଥିଲା। ଫଳରେ ଉଭୟ ସ୍ୱାମୀ-ସ୍ତ୍ରୀ ବ୍ରିଜ୍ ତଳ ରାସ୍ତାକୁ ଖସିପଡିଥିବାବେଳେ ବାଇକ୍ ଓ ଶିଶୁପୁତ୍ର ଜାତୀୟ ରାଜପଥ ଉପରକୁ ଛିଟିକି ପଡିଥିଲେ। ଏହାପରେ ସ୍ଥାନୀୟ ଅଂଚଳର ଧର୍ମେନ୍ଦ୍ର ଦାସ ଓ ବ୍ରହ୍ମା ବେହେରା ଉଭୟ ପତି-ପତ୍ନୀ ଓ ଶିଶୁପୁତ୍ରକୁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିବା ପରେ ଡାକ୍ତରମାନେ ଶିଶୁପୁତ୍ରଟିକୁ ମୃତ ଘୋଷଣା କରିଥିଲେ। ତେବେ ଉଭୟ ପତି-ପତ୍ନୀଙ୍କ ଗୋଡ, ହାତ ଓ ଶରୀରରେ ଗୁରୁତର ଆଘାତ ଲାଗିଥିବାର ଜଣାପଡିଛି। ଉଭୟ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବାବେଳେ ପୁଲିସ୍ ଘଟଣା ସ୍ଥଳରେ ପହଂଚି ବାଇକ୍‌ଟିକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.