ଭଦ୍ରକ, ୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶ୍ରୀରାମକୃଷ୍ଣ ପରମହଂସଙ୍କ ଜୀବନ ହେଉଛି ଭାରତ ବର୍ଷର ଦୁଇ ହଜାର ବର୍ଷ ସାଂସ୍କୃତିକ ଇତିହାସର ସଂକ୍ଷିପ୍ତ ସଂସ୍କରଣ । ଭାରତ ବର୍ଷର ଅନ୍ତରାତ୍ମା ତିନୋଟି ବଳିଷ୍ଠ ସ୍ତମ୍ଭ ଉପରେ ପ୍ରତିଷ୍ଠିତ : ସଂହତି, ସମନ୍ୱୟ ଓ ସଦ୍ଭାବନା । ଶ୍ରୀରାମକୃଷ୍ଣ ତାଙ୍କ ଜୀବନକାଳରେ ଏହାର ଭୂୟସୀ ଦୃଷ୍ଟାନ୍ତ ଦେଇ ଯାଇଛନ୍ତି । ତାଙ୍କର ବିଖ୍ୟାତ ଉକ୍ତି -ଯେତେ ମତ , ସେତେ ପଥ ଏହାର ଉକ୍ତୃଷ୍ଟ ଉଦାହରଣ । ଶ୍ରୀରାମକୃଷ୍ଣ ଥିଲେ ଜଣେ କାଳୀ ମନ୍ଦିରର ନୈଷ୍ଠିକ ପୂଜାରୀ । ଅଥଚ ନିଜ ଜୀବନକାଳରେ ତନ୍ତ୍ରସାଧନା ଏବଂ ନିର୍ବିକଳ୍ପ ସାଧନାରେ ସିଦ୍ଧି ହାସଲ କରିବା ସହିତ ଇସଲାମ ଏବଂ ଖ୍ରୀଷ୍ଟିୟାନ ଧର୍ମ ଗ୍ରହଣ କରିଥିଲେ, ଏହା ଆଜି ବିଶ୍ୱାସ କରିହୁଏନା । ସେଇଥିପାଇଁ ସେ ହେଉଛନ୍ତି ଭାରତୀୟ ଅନ୍ତରାତ୍ମାର ମୁକୁର । ଯେମିତି ମାନବ ସମାଜର କଲ୍ୟାଣ ନିମନ୍ତେ ଭଗବାନ ଶ୍ରୀକୃଷ୍ଣଙ୍କର ସର୍ବଶ୍ରେଷ୍ଠ ଉପହାର ହେଉଛି ଶ୍ରୀମଦ୍ ଭଗବତ୍ଗୀତା, ସେହି କ୍ରମରେ ମାନବ ଜାତିର ଉତଥାନ ନିମନ୍ତେ ଶ୍ରୀରାମକୃଷ୍ଣଙ୍କର ଅମୂଲ୍ୟ ଅବଦାନ ହେଉଛନ୍ତି ସ୍ୱାମୀ ବିବେକାନନ୍ଦ । ତାଙ୍କରି ପ୍ରେରଣାରେ ସ୍ୱାମୀ ବିବେକାନନ୍ଦ ଘୋଷଣା କରିଥିଲେ – ସନାତନ ବୈଦିକ ଧର୍ମ କେବଳ ସବୁ ଧର୍ମକୁ ବିଶ୍ୱାସ କରେନାହିଁ, ସମସ୍ତ ଧର୍ମକୁ ସତ୍ୟ ବୋଲି ଗ୍ରହଣ କରେ । ଗୁରୁ ଶ୍ରୀ ରାମକୃଷ୍ଣଙ୍କ ପ୍ରେରଣାରେ ସ୍ୱାମୀ ବିବେକାନନ୍ଦ ହେଉଛନ୍ତି ସନାତନ ପରଂପରାର ପ୍ରଥମ ସନ୍ନ୍ୟାସୀ ଯିଏ ସ୍ୱର୍ଗକୁ ତୁଚ୍ଛ କରି ସଂସାରକୁ ଭଲ ପାଇଥିଲେ , ଦେବାଦେବୀଙ୍କ ପୂଜାକୁ ଅଣଦେଖା କରି ଦରିଦ୍ର ଓ ଅସହାୟଙ୍କର ଆରାଧନା କରିଥିଲେ ଏବଂ ବ୍ୟକ୍ତିଗତ ମୋକ୍ଷ ଅପେକ୍ଷା ସାମାଜିକ ଓ ଆର୍ôଥକ ସିଡିର ନିମ୍ନ ପାହାଚରେ ବାସ କରୁଥିବା ବ୍ୟକ୍ତିଙ୍କର ଜୀବନର ମାନ ବୃଦ୍ଧି ନିମନ୍ତେ ସଂକଳ୍ପ ନେଇଥିଲେ । ଭଦ୍ରକର ମହେନ୍ଦ୍ର ଭବନ ପରିସରରେ କଳ୍ପତରୁ ଦିବସ ପାଳନ ଅବସରରେ ଖ୍ୟତେନାମା ସ୍ତମ୍ଭକାର ଅଭୟ ଦ୍ୱିବେଦୀଙ୍କ ପୌରୋହିତ୍ୟରେ ଅୟୋଜିତ ସଭାରେ ବକ୍ତାମାନେ ଭଦ୍ରକରେ କଳ୍ପତରୁ ଦିବସର ଉଦ୍ଘୋଷକ ରାଖାଲଚନ୍ଦ୍ର ଦାସଙ୍କୁ ଶ୍ରଦ୍ଧା ଓ ସମ୍ମାନର ସହିତ ସ୍ମରଣ କରିବା ସହିତ ଏହି ମତ ପ୍ରକାଶ କରିଛନ୍ତି । ଏହି ସମାରୋହରେ ଶ୍ରୀରାମକୃଷ୍ଣ ଆଶ୍ରମ, କୋଠାରର ସଂପାଦକ ବରିଷ୍ଠ ସନ୍ନ୍ୟାସୀ ସ୍ୱାମୀ ଶ୍ରୀଦେବେଶାନନ୍ଦଜୀ ମହାରାଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀରାମକୃଷ୍ଣଙ୍କ ଜୀବନରେ କଳ୍ପତରୁ ଦିବସର ମହାତ୍ମ୍ୟ ବର୍ଣ୍ଣନା କରିବା ସହିତ ତାଙ୍କ ଜୀବନର ବହୁ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ଆଲୋଚନା କରି ଶ୍ରଦ୍ଧା ନିବେଦନ କରିଥିଲେ । ଏଥି ସହିତ ବେଦଜ୍ଞ ବିଦ୍ୱାନ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା ରାଜାଜୀ ରାଜଗୋପାଳଚାରୀଙ୍କ ରଚିତ ‘ରାମକୃଷ୍ଣ ଉପନିଷଦ’ ଗ୍ରନ୍ଥ ଆଧାରରେ ଉପନିଷଦ ଓ ଶ୍ରୀରାମକୃଷ୍ଣ କଥାମୃତ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ପ୍ରାରମ୍ଭରେ ରାମକୃଷ୍ଣ ଆଶ୍ରମ ଟ୍ରଷ୍ଟର ସଦସ୍ୟ ସତ୍ୟ ପ୍ରକାଶ ଦାସ ସମସ୍ତଙ୍କୁ ସ୍ୱାଗତ କରିବା ସହିତ ଆଡ଼ଭୋକେଟ ମନୋରଂଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମାରୋହରେ ଆୟୁଷ୍ମାନ ଚିନ୍ମୟ ଏବଂ ସାଥୀ ଭକ୍ତି ସଙ୍ଗୀତ ପରିବେଷଣ କରି ସମସ୍ତଙ୍କୁ ମୁଗ୍ଧ କରିଥିଲେ । ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଇଂ ଅଭୟ ପଣ୍ଡା, ମଦନ ପଣ୍ଡା,ଫାରୁକ ଭାଇ,ଅଶୋକ ଜେନା, ପବିତ୍ର ପାଣିଗ୍ରାହୀ, ଝରଣା ପଟ୍ଟନାୟକ,ପ୍ରଭାତ ନଳିନୀ ମହାପାତ୍ର, ଗୀତାରାଣୀ ଆଇଚଙ୍କ ସମେତ ଭଦ୍ରକର ଶତାଧିକ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।








