ଭଦ୍ରକ, ୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାସ୍ତା ଦୁର୍ଘଟଣା ରୋକଥାମ ଓ ସାଧାରଣ ଜନସାଧାରଣଙ୍କ ମଧ୍ୟରେ ସଡ଼କ ସୁରକ୍ଷା ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଭଦ୍ରକ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଡ଼କ ସୁରକ୍ଷା ସମିତିର ସହଯୋଗରେ ଜାତୀୟ ସଡ଼କ ସୁରକ୍ଷା ମାସ–୨୦୨୬ ପାଳିତ ହୋଇଯାଇଛି। ଏହି ଅବସରରେ “ସଚେତନତାରୁ ସୁରକ୍ଷା, ପ୍ରଯୁକ୍ତିରୁ ପରିବର୍ତନ” ବାର୍ତାକୁ ଆଗେଇ ନେଇ ଜନସାଧାରଣଙ୍କୁ ଯାନଚାଳନା ସମୟରେ ହେଲମେଟ୍ ଓ ସିଟ୍ବେଲ୍ଟ ବ୍ୟବହାର, ମଦପାନ କରି ଗାଡ଼ି ଚାଳନା ନକରିବା, ଗତିସୀମା ମାନିବା ଓ ଟ୍ରାଫିକ୍ ନିୟମ ଅନୁସରଣ କରିବାକୁ ଆହ୍ୱାନ କରାଯାଇଥିଲା। ମୁଖ୍ୟ ଅତିଥିରୂପେ ଯୋଗ ଦେଇ ଜିଲ୍ଲାପାଳ କହିଥିଲେ ଯେ ଦେଶରେ ପ୍ରତିଦିନ ପ୍ରାୟ ୧୪୦୦ଟି ସଡ଼କ ଦୁର୍ଘଟଣା ଘଟୁଥିବା ଗଭୀର ଚିନ୍ତାର ବିଷୟ। ଏହାକୁ ରୋକିବା ପାଇଁ ଶିକ୍ଷା, ସଡ଼କ ଯାନ୍ତ୍ରିକୀକରଣ ଓ କାନୁନ ପ୍ରୟୋଗ ତିନୋଟି ଉପାଦାନକୁ ସମନ୍ୱୟ ଭାବେ କାର୍ଯ୍ୟାନ୍ୱୟନ କରିବା ଅତ୍ୟାବଶ୍ୟକ। ଶିକ୍ଷା ମାଧ୍ୟମରେ ସଡ଼କ ସୁରକ୍ଷା ସଚେତନତା, ସଡ଼କ ଡିଜାଇନ୍ ଓ ଇଞ୍ଜିନିୟରିଂ ସୁଧାର ମାଧ୍ୟମରେ ଦୁର୍ଘଟଣା ଝୁମ୍ପ କମାଇବା, ଏବଂ କଠୋର କାନୁନ ପ୍ରୟୋଗ ମାଧ୍ୟମରେ ଯାତାୟାତ ନିୟମ ପାଳନ ସୁନିଶ୍ଚିତ କରିବା ଦ୍ୱାରା ସଡ଼କ ଦୁର୍ଘଟଣାରେ ହ୍ରାସ ସମ୍ଭବ। ଉକ୍ତ ସଚେତନତା କାର୍ଯ୍ୟକ୍ରମରେ ସମ୍ମାନ୍ନିତ ଅତିଥି ଭାବେ ଯୋଗ ଦେଇ ବାସୁଦେବପୁର ବିଧାୟକ ସମସ୍ତ ନାଗରିକଙ୍କୁ ଯାତାୟାତ ନିୟମ ମାନିବା, ହେଲମେଟ୍ ଓ ସିଟ୍ବେଲ୍ଟ ବ୍ୟବହାର କରିବା, ମଦ୍ୟପାନ କରି ଯାନ ଚାଳନା ନ କରିବା ଓ ସୁରକ୍ଷିତ ଗତି ସୀମା ରକ୍ଷା କରିବା ପାଇଁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ବିଦ୍ୟାଳୟ ଛାତ୍ରଛାତ୍ରୀ, ଜିଲ୍ଲା ପ୍ରଶାସନର ଅଧିକାରୀ, ରୋଡ଼ ଓ ପରିବହନ ବିଭାଗର କର୍ମକର୍ତାମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଗାନ୍ଧୀ ପଡ଼ିଆ ପର୍ଯ୍ୟନ୍ତ ସଡ଼କ ସୁରକ୍ଷା ସ୍ଲୋଗାନ୍ ଦେଇ ସଚେତନତା ପଦଯାତ୍ରାରେ ଅଂଶଗ୍ରହଣ କରିଥିଲେ। ଜିଲ୍ଲାପାଳ ଦିଲୀପ ରାଉତରାୟ ଓ ବାସୁଦେବପୁର ବିଧାୟକ ଅଶୋକ ଦାସ ସବୁଜ ପତାକା ଦେଖାଇ ସଡ଼କ ସୁରକ୍ଷା ସଚେତନତା ରଥର ଶୁଭାରମ୍ଭ କରିଥିଲେ। ଜିଲ୍ଲାପାଳ ନିଜେ ମଧ୍ୟ ସଡ଼କ ସୁରକ୍ଷା ପଦଯାତ୍ରାରେ ସାମିଲ ହୋଇ ସାଧାରଣ ଲୋକଙ୍କୁ ସଡ଼କ ନିୟମ ଅନୁସରଣ କରିବା ପାଇଁ ଆହ୍ୱାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ, ଡିଏସପି ଅଂଶୁମାନ ଦ୍ୱିବେଦୀ, ଅତିରିକ୍ତ ଏସପି ଅରୁପ ଅଭିଷେକ ବେହେରା, ଆରଟିଓ ଶୁଭେଂଦୁ ରଞ୍ଜନ ରାୟ , ବରିଷ୍ଠ ସାମ୍ବାଦିକ ଅତିସ କୁମାର ବେହେରା. ରବି ନାରାୟଣ ଖିଲାର. ଶ୍ରୀନିବାସ ପତିକଂ ସହ ଅନ୍ୟାନ୍ୟ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି, ଓ କର୍ମଚାରୀମାନେ ଯୋଗଦେଇ ସଡ଼କ ସୁରକ୍ଷା ସନ୍ଦେଶକୁ ଜନସାଧାରଣଙ୍କ ମଧ୍ୟରେ ପହଂଚାଇଥିଲେ।








