Home ଜିଲ୍ଲା ପରିକ୍ରମା କାର୍ତିକ ପୂର୍ଣ୍ଣିମା ପାଇଁ ଉତ୍ସବମୁଖର ଆଖଣ୍ଡଳମଣି ପୀଠ, ଅପରାହ୍ଣ ୪ଟାରେ ହରଗୌରୀ ବେଶ, ସଂଧ୍ୟାରେ ହରିହର...

କାର୍ତିକ ପୂର୍ଣ୍ଣିମା ପାଇଁ ଉତ୍ସବମୁଖର ଆଖଣ୍ଡଳମଣି ପୀଠ, ଅପରାହ୍ଣ ୪ଟାରେ ହରଗୌରୀ ବେଶ, ସଂଧ୍ୟାରେ ହରିହର ଭେଟ ମହାଯଜ୍ଞ

11

ଭଦ୍ରକ, ୪ା୧୧ (ଓଡିଆ ପୁଅ / ସ୍ନିଗ୍ଧା ରାୟ)- ଧର୍ମରମାସ କାର୍ତିକ ପୂର୍ଣ୍ଣିମା ପାଇଁ ଉତ୍ସବମୁଖର ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିରର। ଏଥିପାଇଁ ମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବା ସହ ଭୋର ୪ଟାରେ ଦ୍ୱାରଫିଟା ନୀତି ସହ ଶ୍ରୀଗଙ୍ଗା ପୁଷ୍କରିଣୀରେ ବୋଇତ ଭସାେଇବ ଶ୍ରଦ୍ଧାଳୁଭକ୍ତ। ଏପଟେ ବାବାଙ୍କ ପାଖରେ ମଙ୍ଗଳ ଆଳତୀ ସହ ଘର୍ଷଣଲାଗି, ଜଳାଭିଷେକ ନୀତି ସମ୍ପନ୍ନ ହେବା ପରେ ଦିଗମ୍ବର ବେଶରେ ବାବାଙ୍କୁ ପହିଲି ବାଲ୍ୟ ଭୋଗ ଲାଗି କରାଯିବ। ଭୋର ୫ଟାରୁ ରାତି ୧୦ ଯାଏଁ ଶ୍ରଦ୍ଧାଳୁ ଭକ୍ତମାନଙ୍କ ପାଇଁ ସାହଣ ମେଲା କରାଯିବ। ମଧ୍ୟାହ୍ନ ୧ଟାରେ ବାବାଙ୍କୁ ରୂପା ଅଳଙ୍କାରରେ ପଂଚାନନ ବେଶରେ ସଜ୍ଜିତ କରାଯାଇ ବଡ଼ ଅନ୍ନ ନୀତି ଭୋଗ ଲାଗି କରାଯିବ। ଅପରାହ୍ଣରେ କାର୍ତିକ ପୂର୍ଣ୍ଣିମା ନୀତି ଅବସରରେ ପରମ୍ପରା ଅନୁଯାୟୀ ବାବାଙ୍କୁ ହରଗୌରୀ ବେଶରେ ସଜ୍ଜିତ କରାଯାଇ ସାହାଣ ମେଲା ଦର୍ଶନ କରାଯିବ। ସେହିପରି ପଂଚୁକ ବ୍ରତ ଅବସରରେ ମନ୍ଦିର ବେଢ଼ାରେ ପବିତ୍ର ଅଁଳା ନବମୀ ଠାରୁ ଆରମ୍ଭ ହୋଇଥିବା ଭାଗବତ ସପ୍ତାହ ମଣ୍ଡପରେ ହରିହର ଭେଟ ସହ ବିଶ୍ୱ କଲ୍ୟାଣ ଉଦ୍ଦେଶ୍ୟରେ ମହାଯଜ୍ଞ ଅନୁଷ୍ଠିତ ହେବ। ଭକ୍ତମାନଙ୍କର ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ମନ୍ଦିର ଭିତରେ ଓ ବାହାରେ ଉଜ୍ୱଳ ଆଲୋକ ବ୍ୟବସ୍ଥା ସହ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ଦକ୍ଷିଣ ଦ୍ୱାର ଠାରୁ ଶ୍ରୀଗଙ୍ଗା ପୁଷ୍କରିଣୀ ଯାଏଁ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି। ତାହା ସହ ଜିଲା ପୁଲିସ ପକ୍ଷରୁ ପୀଠ ସମେତ ମନ୍ଦିର ଭିତରେ ଓ ବାହାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.