ଭଦ୍ରକ, ୨୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଯୋଗୁଁ ଆସନ୍ତା ଦିନଗୁଡିକରେ ସମ୍ଭାବ୍ୟ ବାତ୍ୟା ପରିସ୍ଥିତି ଉପଲକ୍ଷେ ଆଜି ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏଙ୍କ ଅଧ୍ୟକ୍ଷତାରେ ଓସୱାନ୍ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ, ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର ସାମଲ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ ଓ ଜିଲ୍ଲା ଜରୁରୀକାଳୀନ ଅଧିକାରିଣୀଙ୍କ ସହିତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀମାନେ ଜିଲ୍ଲା ଭିସି କକ୍ଷରୁ ଯୋଗଦେଇଥିଲେ। ସେହିପରି, ସମସ୍ତ ବ୍ଲକ୍ ସ୍ତରୀୟ ଅଧିକାରୀମାନେ ନିଜ ନିଜ ବ୍ଲକ୍ ଭିସି କକ୍ଷରୁ ବୈଠକରେ ଯୋଗାଯୋଗ କରିଥିଲେ। ବୈଠକରେ ଆସନ୍ତା ସମ୍ଭାବ୍ୟ ବାତ୍ୟାର ସଫଳ ମୁକାବିଲା ପାଇଁ ଜିଲ୍ଲା ପରିସ୍ଥିତିର ସମୀକ୍ଷା ଓ ପ୍ରସ୍ତୁତି ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା। ଜିଲ୍ଲାପାଳ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ଯେ ତଳିଆ ଅଂଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ସମୟରେ ନିରାପଦ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଉ, ଏବଂ ତାଙ୍କ ପାଇଁ ଆବଶ୍ୟକ ଖାଦ୍ୟ, ପାଣି, ଆଲୋକ ଓ ସ୍ୱାସ୍ଥ୍ୟ ସୁବିଧା ସୁନିଶ୍ଚିତ କରାଯାଉ। ସେହିପରି, ଉଦ୍ଧାର ଓ ରିଲିଫ କାର୍ଯ୍ୟ ସଂପର୍କରେ ସମସ୍ତ ବିଭାଗ ପୋଲିସ୍, ଅଗ୍ନିଶମ, ଆରଡବ୍ଲୁଏସଏସ, ନେସ୍କୋ, ଇରିଗେସନ, ସ୍ୱାସ୍ଥ୍ୟ, ପଶୁ ସମ୍ପଦ, କୃଷି, ମତ୍ସ୍ୟ, ଆରଡି ଓ ଆଇସିଡିଏସ୍ ମଧ୍ୟରେ ଘନିଷ୍ଠ ସମନ୍ୱୟ ରଖି ସମୟୋପଯୋଗୀ ପଦକ୍ଷେପ ଗ୍ରହଣ କରିବାକୁ ଗୁରୁତ୍ୱ ଦିଆଗଲା। ଜିଲ୍ଲାପାଳ ଉଲ୍ଲେଖ କଲେ ଯେ ଜନସାଧାରଣଙ୍କୁ ଭୟଭୀତ ହେବାକୁ ନୁହେଁ, ବରଂ ସଚେତନ ଓ ସତର୍କ ରହିବା ପାଇଁ ଅବହିତ କରାଯିବ। ସେ “ଜିରୋ କାଜୁଆଲିଟି” ଲକ୍ଷ୍ୟ ସାଧନ ପାଇଁ ସମସ୍ତ ବିଭାଗକୁ ସମନ୍ୱିତ ଭାବେ କାମ କରିବାକୁ ଆହ୍ୱାନ ଦେଇଥିଲେ।
Home ଜିଲ୍ଲା ପରିକ୍ରମା ସମ୍ଭାବ୍ୟ ବାତ୍ୟା ପାଇଁ ଭଦ୍ରକ ଜିଲ୍ଲା ପ୍ରସ୍ତୁତ, ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜରୁରୀ ବୈଠକ ଅନୁଷ୍ଠିତ








