ଭଦ୍ରକ, ୧୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ‘ଆସ ଗୋଟେ ଗଛ ଲଗାଇବା, ଆମ ଭବିଷ୍ୟତ ଆମେ ଗଢିବା’ । ଏଭଳି ଏକ ମହତ୍ ସ୍ଲୋଗାନ ଦେଇ ଦିନସାରା ଆଖୁଆପଦା ଜଳସଂପଦ କଲୋନୀ ଭିତରେ ଗଛ ଲଗାଇଥିଲେ ବିଭାଗୀୟ କର୍ତୃପକ୍ଷ। ସାଙ୍ଗରେ ସାମିଲ ଥିଲେ ସ୍ଥାନୀୟ ଅଂଚଳ ବାସିନ୍ଦା। ତେବେ ଆଜିର ଅବକ୍ଷୟମୁଖୀ ସମାଜରେ ବନ୍ୟା, ବାତ୍ୟା, ଝଡ, ତୋଫାନ ଭଳି ଯେତେ ଦୈବି ଦୁର୍ବିପାକ ଦେଖାଦେଉଛି, ତାହାର ମୂଳ କାରଣ ଜଂଗଲ ଓ ଗଛ କାଟି ନଷ୍ଟ କରିବା। ଏଣୁ ରାଜ୍ୟ ଠାରୁ ଆରମ୍ଭ କରି କେନ୍ଦ୍ର ସରକାରଙ୍କ ପର୍ଯ୍ୟନ୍ତ ବୃକ୍ଷରୋପଣ ଦିଗରେ କୋଟି କୋଟି ଟଙ୍କା ବ୍ୟୟ କରୁଥିବାବେଳେ ଭଦ୍ରକ ଜିଲାର ଆଖୁଆପଦା ଜଳସଂପଦ ବିଭାଜନର ମୁଖ୍ୟ ଯନ୍ତ୍ରୀ ବିଘ୍ନରାଜ ପୁରୋହିତଙ୍କ ନେତୃତ୍ୱରେ ସମସ୍ତ ପଦାଧିକାରୀ ସ୍ଥାନୀୟ ଲୋକଙ୍କ ସହ ବୃକ୍ଷରୋପଣ କରିଥିଲେ। ଶ୍ରୀ ପୁରୋହିତ ମୁଖ୍ୟ ଅତିଥି ଭାବେ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବାବେଳେ ଆଡିସ୍ନାଲ ଚିଫ୍ ଇଂଜିନିୟର ପ୍ରଣବ କୁମାର ନାୟକ ଓ ଅଧୀକ୍ଷଣ ଯନ୍ତ୍ରୀ ଶରତ ଚନ୍ଦ୍ର ଘଡେଇ ଯୋଗଦେଇ ଲୋକଙ୍କ ମଧ୍ୟରେ ବୃକ୍ଷରୋପଣ କରିବା ନେଇ ସଚେତନତା ସୃଷ୍ଟି କରିଥିଲେ। ଏଥି ଉପଲକ୍ଷେ ସ୍ଥାନୀୟ ଅଂଚଳର ସ୍କୁଲ ପିଲାଙ୍କ ମଧ୍ୟରେ ଏହି ବୃକ୍ଷରୋପଣ ନେଇ ବିଭିନ୍ନ ପ୍ରତିଯୋଗିତା କରାଯାଇ ସେମାନଙ୍କୁ ପୁରସ୍କୃତ କରାଯାଇଥିଲା। ତେବେ ଆଖୁଆପଦା ଜଳସଂପଦ ବିଭାଜନର ଅଧୀକ୍ଷଣ ଯନ୍ତ୍ରୀଙ୍କ ସୌଜନ୍ୟରେ ଏଭଳି କାର୍ଯ୍ୟକୁ ସ୍ଥାନୀୟ ଅଂଚଳବାସୀ ବେଶ୍ ପ୍ରଶଂସା କରିଛନ୍ତି।







