Home ଜିଲ୍ଲା ପରିକ୍ରମା ବେଟି ବଚାଅ, ବେଟି ପଢାଅ କାର୍ଯ୍ୟକ୍ରମର ସମୀକ୍ଷା, ଏକ ହଜାର ପୁଅରେ ୮୮୩ ଝିଅ ଜନ୍ମ...

ବେଟି ବଚାଅ, ବେଟି ପଢାଅ କାର୍ଯ୍ୟକ୍ରମର ସମୀକ୍ଷା, ଏକ ହଜାର ପୁଅରେ ୮୮୩ ଝିଅ ଜନ୍ମ ହୋଇଛନ୍ତି

18

ଭଦ୍ରକ, ୧୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ପ୍ରଶାସନିକ ଉଦାସୀନତା କାରଣରୁ ‘ବେଟି ବଚାଅ, ବେଟି ପଢାଅ’ (ବିବିବିପି) କାର୍ଯ୍ୟକ୍ରମରେ ଆଶାନୁରୂପ ସଫଳତା ମିଳିନାହିଁ । ଭଦ୍ରକ ଜିଲାରେ ଜନ୍ମହାର ରିପୋର୍ଟ ଅନୁସାରେ ଏକ ହଜାର ପୁଅରେ ୮୮୩ ଝିଅ ଜନ୍ମ ହେଉଥିବା ନେଇ ଜିଲାପାଳ ଦିଲ୍ଲୀପ ରାଉତରାଏ ଗତକାଲି ଅନୁଷ୍ଠିତ ଜିଲାସ୍ତରୀୟ ବେଟି ବଚାଅ, ବେଟି ପଢାଓ କାର୍ଯ୍ୟକ୍ରମର ସମୀକ୍ଷା ବୈଠକରେ ଉଦ୍‌ବେଗ୍ ପ୍ରକାଶ କରିଛନ୍ତି । ସେହିପରି ଏକ ହଜାର କିଶୋରଙ୍କ ମଧ୍ୟରେ ୯୯୩ କିଶୋରୀ ଅଛନ୍ତି । ଏହି କାର୍ଯ୍ୟକ୍ରମରେ ସଂପୃକ୍ତ ଥିବା ସମସ୍ତ ବିଭାଗୀୟ ଅଧିକାରୀମାନେ ଆନ୍ତରିକତାର ସହ କାର୍ଯ୍ୟ କଲେ ଝିଅ ଜନ୍ମହାର ବଢିବ ବୋଲି ସେ ଆଶା ପ୍ରକାଶ କରିଥିଲେ । ବିଶେଷକରି ଗ୍ରାମାଂଚଳରେ ଭୃଣ ହତ୍ୟା ରୋକିବା ଦିଗରେ ବିଭାଗୀୟ କର୍ତୃପକ୍ଷ (ପିସି ଏଣ୍ଡ ପିଏନ୍‌ଡିଟି) ଓ କର୍ମଚାରୀ ସରକାରୀ ହୋଡିଂ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମକୁ ଜୋରଦାର କରିବା ସହ ଜିଲାରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ହସ୍‌ପିଟାଲ ଓ ନର୍ସିଂହୋମ୍ ଗୁଡିକରେ ଥିବା ଅଲଟ୍ରାସାଉଣ୍ଡ ଗୁଡିକୁ ବିଧିବିଧ ତଦାରଖ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ । ସେହିପରି ବିଦ୍ୟାଳୟ ମାନଙ୍କରେ ଡ୍ରପଆଉଟ ସଂଖ୍ୟାକୁ କମାଇବା ପାଇଁ ଛାତ୍ରୀମାନଙ୍କୁ କ୍ରୀଡାରେ ଉତ୍ସାହିତ କରିବା ସହ ସେମାନଙ୍କ ସୁରକ୍ଷା ଓ ଆତ୍ମନିର୍ଭରଶୀଳତା ଦିଗରେ ଦକ୍ଷତା ବୃଦ୍ଧି କରିବା ଉପରେ ଜିଲାପାଳ ଶ୍ରୀ ରାଉତରାୟ ଅଧିକ ଗୁରୁତ୍ୱ ଦେଇଥିଲେ । ଏହି କାର୍ଯ୍ୟକ୍ରମର ସଫଳତା ଯେ ବିଶେଷକରି ଜନ ପ୍ରତିନିଧିମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ । ଏହାବ୍ୟତୀତ ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ସ୍ୱାସ୍ଥ୍ୟ କର୍ମୀ, ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ସହ ଅନ୍ୟାନ୍ୟ ସ୍ୱେଚ୍ଛାସେବୀ ସଂଗଠନ ଗାଁ ଗହଳିରେ ଏହି କାର୍ଯ୍ୟକ୍ରମକୁ ନେଇ ନିଷ୍ଠାର ସହ କାର୍ଯ୍ୟ କରିବା ଓ ସଚେତନ ସୃଷ୍ଟି କରିବା ସହ ପାଠ ପଢା ପ୍ରତି ଆଗ୍ରହ ଜନ୍ମାଇ ପାରିଲେ କିଶୋରୀମାନଙ୍କର ବିକାଶ ହେବା ସହ ଜନ୍ମହାର ବୃଦ୍ଧି ପାଇବ ବୋଲି ମତ ପ୍ରକାଶ କରିଥିଲେ । ପ୍ରକାଶଯୋଗ୍ୟ ବିଭାଗୀୟ ରିପୋର୍ଟ ଅନୁଯାୟୀ ଜାନୁଆରୀ ୨୦୨୪ ଠାରୁ ଜୁଲାଇ ୨୦୨୫ ମଧ୍ୟରେ ସାରା ଜିଲାରେ ୧୩ ହଜାର ୫୯୮ ପୁଅ ଜନ୍ମ ହୋଇଥିବାବେଳେ ୧୨ ହଜାର ୩୫୯ ଝିଅ ଜନ୍ମ ହୋଇଛନ୍ତି । ଭଣ୍ଡାରିପୋଖରୀ ବ୍ଲକ୍‌ରେ ୧୦୮୩ ପୁଅ ଜନ୍ମ ହୋଇଥିବାବେଳେ ୯୯୦ ଝିଅ, ଚାନ୍ଦବାଲି (୧) ୧୨୮୧ ପୁଅ ଜନ୍ମ ହୋଇଥିବାବେଳେ ୧୧୪୫ ଝିଅ, ଧାମନଗର ବ୍ଲକ୍‌ରେ ୧୭୭୮ ପୁଅ ଥିବାବେଳେ ୧୫୫୫ ଝିଅ, ତିହିଡି ବ୍ଲକ୍‌ରେ ୧୬୭୫ ପୁଅ ଜନ୍ମ ହୋଇଥିବାବେଳେ ୧୪୭୧ ଝିଅ, ବାସୁଦେବପୁର ବ୍ଲକ୍‌ରେ ୨୫୮୭ ପୁଅ ରହିଥିବାବେଳେ ୨୩୨୨ ଝିଅ, ଭଦ୍ରକ ବ୍ଲକ୍‌ରେ ୨୭୩୩ ପୁଅ ଥିବାବେଳେ ୨୫୧୫ ଝିଅ, ଚାନ୍ଦବାଲି (୨) ରେ ୧୨୨୦ ପୁଅ ଥିବାବେଳେ ୧୧୮୦ ଝିଅ ଓ ବନ୍ତ ବ୍ଲକ୍‌ରେ ୧୩୦୧ ପୁଅ ଜନ୍ମ ହୋଇଥିବାବେଳେ ୧୧୮୧ ଝିଅ ଜନ୍ମ ହୋଇଛନ୍ତି । ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲାପାଳ ସରୋଜ ଦତ, ଉପଜିଲାପାଳ ସୌରଭ ଚକ୍ରବର୍ତୀ, ସିଡିଏମ୍‌ଓ ଉମାପଦ ବିଶ୍ୱାଳ, ଡିସିପିଓ ଅବିନାଶ ମହାନ୍ତି, ଡିଏସ୍‌ଡବ୍ଲ୍ୟୁ ରୂପାଲି ମିତ୍ରଙ୍କ ସହ ସିଡବ୍ଲ୍ୟୁସି, ସମସ୍ତ ପୌରପାଳିକାର ନିର୍ବାହୀ ଅଧିକାରୀ, ଶିକ୍ଷା ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.