Home ଜିଲ୍ଲା ପରିକ୍ରମା ସରକାର ଓଡିଶାରେ ମଦ ବନ୍ଦ କରନ୍ତୁ – ପଦ୍ମଚରଣ ନାୟକ

ସରକାର ଓଡିଶାରେ ମଦ ବନ୍ଦ କରନ୍ତୁ – ପଦ୍ମଚରଣ ନାୟକ

16

ଭଦ୍ରକ, ୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମିଳିତ ଓଡିଶା ନିଶା ନିବାରଣ ଅଭିଯାନ ର ରାଜ୍ୟ ଉପସଭାପତି ତଥା ଭଦ୍ରକ ଜିଲ୍ଲା ସଂଯୋଜକ ଖଗେଶ୍ୱର ବଳଙ୍କ ସଭାପତିତ୍ୱରେ ମିଳିତ ଓଡିଶା ନିଶା ନିବାରଣ ଅଭିଯାନ ର ଜିଲ୍ଲା କମିଟି ବୈଠକ ସାଳନ୍ଦୀ ଆବାସିକ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମିଳିତ ଓଡିଶା ନିଶା ନିବାରଣ ଅଭିଯାନ ର ରାଜ୍ୟ ସଭାପତି ତଥା ପୂର୍ବତନ ଶତାୟୁ ବିଧାୟକ ପଦ୍ମଚରଣ ନାୟକ ଓଡିଶା ସରକାରଙ୍କ ମଦନୀତି ବିରୁଦ୍ଧରେ ଆଲୋଚନା କରିବା ସହ ଓଡିଶାର ଡବଲ୍ ଇଞ୍ଜିନ୍ ସରକାର ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶୃତିକୁ ପାଳନ କରିନାହାନ୍ତି ବୋଲି ଅଭିଯୋଗ କରିବା ସହ ଓଡିଶା ସରକାରଙ୍କୁ ତୀବ୍ର ଭତ୍ସନା କରିଥିଲେ ।ମଦ ଯୋଗୁଁ ରାଜ୍ୟ ସରକାର ପାଉଥିବା ରାଜସ୍ୱ ଠାରୁ ମଦଜନିତ ଦୁର୍ଘଟଣା, ଚୋରି, ଡକାୟତି, ରାହାଜାନୀ, ମହିଳା ହିଂସା ଓ ଗଣଧର୍ଷଣ ଆଦି ବିଭିନ୍ନ ଅପରାଧକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାରଙ୍କ ରାଜକୋଷରୁ ହେଉଥିବା ଖର୍ଚ୍ଚ ପ୍ରାୟ ୭୦ ଗୁଣରୁ ଅଧିକ ହେବ ବୋଲି ଶ୍ରୀ ନାୟକ ଅଭିଯୋଗ କରିଥିଲେ ଓ ରାଜ୍ୟରେ କ୍ରମବର୍ଦ୍ଧିଷ୍ଣୁ ଚୋରା ଗଞ୍ଜେଇ , ଧଳାଜହର, ବ୍ରାଉନ ସୁଗାର ବେପାରୀ ମାନଙ୍କୁ ଓଡିଶା ପୋଲିସ ଓ ଶାସକ ଦଳର ନେତୃବୃନ୍ଦ ସୁରକ୍ଷା ଦେଉଥିବାରୁ ସେ ଉଦବେଗ ପ୍ରକାଶ କରିଥିଲେ । ଏହି ବର୍ଷକ ଭିତରେ ଓଡିଶା ନିଶାମୁକ୍ତ ହେବା ବଦଳରେ ନିଶାଯୁକ୍ତ ହୋଇପଡିଛି ବୋଲି ସେ ଉଦବେଗ ପ୍ରକାଶ କରିଥିଲେ । ଆଗାମୀ ବିଧାନସଭା ଅଧିବେଶନରେ ଓଡିଶାରେ ନିଶାମୁକ୍ତ ପାଇଁ ଓ ସରକାରୀ ନିଶା ଦୋକାନ ବନ୍ଦ ପାଇଁ ବିଲ୍ ଆସି ଆଇନରେ ପରିଣତ ନହେଲେ ତମାମ ଓଡିଶାର ସମସ୍ତ ସରକାରୀ ମଦ ଦୋକାନ କୁ ସାଧାରଣ ଜନତା ଭଙ୍ଗା ରୂଜା କରିବେ ବୋଲି ଶ୍ରୀଯୁକ୍ତ ପଦ୍ମଚରଣ ନାୟକ ରାଜ୍ୟ ସରକାରଙ୍କୁ ଧମକ ଦେଇଥିଲେ । ଆସନ୍ତା ଅକ୍ଟୋବର- ୨ ଗାନ୍ଧୀ ଜୟନ୍ତୀ ଠାରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂଣ୍ୟାତ୍ମା ନବକୃଷ୍ଣ ଚୌଧୁରୀ ଙ୍କ ଜୟନ୍ତୀ ନଭେମ୍ବର-୨୩ ପର୍ଯ୍ୟନ୍ତ ଓଡିଶାକୁ ମଦମୁକ୍ତ ଓ ନିଶାମୁକ୍ତ କରିବା ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଷ୍ପତି ନିଆଯାଇଛି । ଏହି ବୈଠକରେ ସଂଗଠନର ଜିଲ୍ଲା ସଂପାଦକ ଗିରିଧାରୀ ନାଥ, ଉପସଭାପତି ଅଗଣି ଚରଣ ଜେନା, ଅଧ୍ୟାପକ ସଂଗ୍ରାମ କିଶୋର ମହାନ୍ତି, ଅମର ପ୍ରସାଦ ପାଣିଗ୍ରାହୀ, ଯୁବ ଆଇନଜୀବୀ ବିକାଶ ନାଥ, ମହିଳା ନେତ୍ରୀ ସରସ୍ୱତୀ ସେନାପତି, ରୁକ୍ମଣୀ ଘଡାଇ, ମିନାକ୍ଷୀ ଜେନା, ଧାମନଗର ବ୍ଲକ ସଭାପତି ସଚିକାନ୍ତ ପଣ୍ଡା, ଯୁବ ନେତା ଆଲୋକ ସ୍ୱାଇଁ, ଶିକ୍ଷାବିତ୍ ସନାତନ ବେହେରା, ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟ, ସମାଜସେବୀ ଗୋଲକ ପ୍ରସାଦ ମଲ୍ଲିକ, ସଂଗଠନର ଜିଲ୍ଲା କମିଟି ସଭ୍ୟ ଶ୍ରୀକାନ୍ତ ପଣ୍ଡା, ଜଗନ୍ନାଥ ରାୟ, ଧନଞ୍ଜୟ ଦାସ, ରଘୁନାଥ ସାହୁ, ଅଭିମନ୍ୟୁ ଲେଙ୍କା ପ୍ରମୁଖ ଯୋଗଦେଇ ଆଗାମୀ ଆନ୍ଦୋଳନର ରୂପରେଖ ସଂପର୍କରେ ଆଲୋଚନା କରି ନିଶାମୁକ୍ତ ଭଦ୍ରକ ଗଠନ ପାଇଁ ଆହ୍ୱାନ ଜଣାଇଥିଲେ । ସଂଗଠନର ରାଜ୍ୟ ସଂଯୋଜକ ଶୁଭେନ୍ଦୁ ରାଉତରାୟ ଏହି ବୈଠକରେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହି ବୈଠକରେ ଭଦ୍ରକ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ୮୦ ଜଣ ସଚେତନ ନାଗରିକ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.