ଭଦ୍ରକ, ୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୨୦୧୮ ମସିହାରେ ଧାମରା ବନ୍ଦରର ଦ୍ୱିତୀୟ ପର୍ଯ୍ୟାୟ ସଂପ୍ରସାରଣ ସମୟରେ ଆୟୋଜିତ ଜନଶୁଣାଣୀରେ ଦିଆଯାଇଥିବା ପ୍ରତିଶ୍ରୁତି ଆଜିଯାଏଁ ପାଳନ ହୋଇନାହିଁ। ୨୦୨୨ ମସିହାରେ ଏ ନେଇ ଜିଲା ପ୍ରଶାସନ, ବନ୍ଦର କର୍ତୃପକ୍ଷ ଓ ଦଳୀୟ ନେତୃବୃନ୍ଦଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠିତ ବୈଠକରେ ଏକ ଲିଖିତ ପ୍ରତିଶ୍ରୁତି ମଧ୍ୟ ଦିଆଯାଇଥିଲା। କିନ୍ତୁ ସୁଫଳ ମିଳିଲା ନାହିଁ। ଫଳରେ ଧାମରା ବନ୍ଦରାଂଚଳ ସ୍ଥିତ ଧାମରା, ଜାଗୁଳା, ବାଂଶଡା, ଦୋସିଙ୍ଗା, କଇଥଖୋଲା, କରଞ୍ଜମାଳ, ପଂଚୁଟିକ୍ରୀ ଓ କରଣପଲ୍ଲୀ ୮ଟି ପଂଚାୟତର ଅଂଚଳବାସୀ ନାନା ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଆସିଛନ୍ତି। ଏଭଳି ପରିସ୍ଥିତିରେ ସଂପୃକ୍ତ ଅଂଚଳର କଂଗ୍ରେସ କର୍ମୀମାନେ ଗତ ତା ୭.୨.୨୫ ରିଖରେ ପୋର୍ଟ କାର୍ଯ୍ୟକୁ ଅଚଳ କରିଦେବା ପାଇଁ ଆନ୍ଦୋଳନ ଡାକରା ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଗତକାଲି ଶନିବାର ଜିଲା ପ୍ରଶାସନ, ବନ୍ଦର କର୍ତୃପକ୍ଷଙ୍କ ସହ ଚାନ୍ଦବାଲି ଓ ବାସୁଦେବପୁର ବିଧାନସଭା ଆସନର ତୁଙ୍ଗ କଂଗ୍ରେସ ନେତାମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଦ୍ଭାବନା ଗୃହରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲାପାଳ ରବିନାରାୟଣ ସାହୁ, ଉପଜିଲାପାଳ ସୌରଭ ଚକ୍ରବର୍ତୀ, ଧାମରା ବନ୍ଦର ଭୂଅର୍ଜନ ଅଧିକାରୀ ଡେପୁଟି କଲେକ୍ଟର କାର୍ତିକନାଥ ମଣ୍ଡଳ, ବାସୁଦେବପୁର ବିଧାୟକ ଅଶୋକ ଦାସ, ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ଜିଲା କଂଗ୍ରେସ ସଂଯୋଜକ ଅସିତ୍ ପଟ୍ଟନାୟକଙ୍କ ସହ ଧାମରା ବନ୍ଦର ମୁଖ୍ୟ ନିର୍ବାହୀ ଅଧିକାରୀ ଦେବେନ୍ଦ୍ର ଠାକର ଓ ଉପସଭାପତି ଆଶିଷ କୁମାର ଦାସଙ୍କ ସମେତ ଅନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ। ଅନୁଷ୍ଠିତ ବୈଠକରେ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ୧୨ ଦଫା ଦାବି ଉପରେ ଆଲୋଚନା ହୋଇଥିଲା। ଏହି ଦାବିଗୁଡିକ ମଧ୍ୟରେ ମୁଖ୍ୟତଃ ବନ୍ଦରକୁ ଆସୁଥିବା କୋଇଲା ଉତୋଳନ, ଗଚ୍ଛିତ ଓ ପରିବହନ ସମୟରେ କୋଇଲା ଗୁଣ୍ଡରେ ବାୟୁ ପ୍ରଦୂଷଣ ହେବା ସହ ସଂପୃକ୍ତ ଅଂଚଳର ଜଳାଶୟ ଗୁଡିକ ଆସ୍ତରଣରେ ଆଚ୍ଛାଦିତ ହୋଇଛି। ଯାହାକି ଜୀବନ ପ୍ରତି ବିପଦ ସୃଷ୍ଟି କରିଛି। ସେହିପରି ମନ୍ତେଇ ନଦୀରୁ ପାଣିକୁ ବିଶୋଧନ କରାନଯାଇ ଗଭୀର ନଳକୂପ ଦ୍ୱାରା ବନ୍ଦର କର୍ତୃପକ୍ଷ ଜଳର ଆବଶ୍ୟକତା ପୂର୍ଣ୍ଣ କରୁଥିବାରୁ ଭୂତଳ ଜଳ ହ୍ରାସ ପାଉଛି। ଫଳରେ ସ୍ଥାନୀୟ ଅଂଚଳରେ ନଳକୂପରୁ ଜଳ ନିଷ୍କାସନ ହେଉନାହିଁ। ସେହିପରି ପ୍ରତିଶ୍ରୁତି ଅନୁଯାୟୀ ବନ୍ଦର କର୍ତୃପକ୍ଷ ସବୁଜ ବଳୟ ଯୋଜନା କାର୍ଯ୍ୟକାରୀ ନକରିବା ଓ ବନୀକରଣ କ୍ଷେତ୍ରରେ ଅବହେଳା ପ୍ରଦର୍ଶନ କରିଛନ୍ତି। ଏହାବ୍ୟତୀତ ଉତମ ସ୍ୱାସ୍ଥ୍ୟ ସେବାରୁ ବଂଚିତ କରିବା, ରାସ୍ତାଘାଟ ନିର୍ମାଣରେ ଅବହେଳା ପ୍ରଦର୍ଶନ କରିବା, ନିଯୁକ୍ତିରେ କର୍ତୃପକ୍ଷ ପାତର ଅନ୍ତର ଅବଲମ୍ବନ କରିବା, ମତ୍ସ୍ୟଜୀବୀଙ୍କ ନିମନ୍ତେ ଶୁଖୁଆ ଖଳା ପାଇଁ ଜାଗା ନଦେବା, ଶ୍ମଶାନ ଗ୍ରାମ୍ୟ ଜଙ୍ଗଲ ବଦଳରେ ଅନ୍ୟତ୍ର ଜମି ଯୋଗାଇ ନଦେବା ଆଦି ଦାବିଗୁଡିକ ସଂପର୍କରେ ବୈଠକରେ ଆଲୋଚନା ହୋଇଥିଲା। ଏହି ଦାବିଗୁଡିକ ମଧ୍ୟରେ ଥିବା ଛୋଟ ଛୋଟ ସମସ୍ୟା ଗୁଡିକୁ ଖୁବଶୀଘ୍ର ସମାଧାନ କରିବାକୁ ପ୍ରତିଶ୍ରୁତି ଦିଆଯାଇଛି। ବଡ ବଡ ସମସ୍ୟା ଗୁଡିକ ଆସନ୍ତା ୬ ମାସ ମଧ୍ୟରେ ସମାଧାନ କରିବାକୁ ବୈଠକରେ ନିଷ୍ପତି ନିଆଯାଇଛି। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ଦିଗମ୍ବର ଦାସ, ଅମୀୟ ମହାପାତ୍ରଙ୍କ ସମେତ ୮ଟି ପଂଚାୟତର ବରିଷ୍ଠ କଂଗ୍ରେସ ନେତାମାନେ ଉପସ୍ଥିତ ଥିଲେ।








