Home ଜିଲ୍ଲା ପରିକ୍ରମା ଅଗଷ୍ଟ ୪ ରେ ମେଡିକାଲ ସ୍ଥାନାନ୍ତର ହେବ !ପୁରୁଣା ମୁଖ୍ୟ ଚିକିତ୍ସାଳୟକୁ ସହରାଂଚଳ ସ୍ୱାସ୍ଥ୍ୟକେନ୍ଦ୍ର କରିବା...

ଅଗଷ୍ଟ ୪ ରେ ମେଡିକାଲ ସ୍ଥାନାନ୍ତର ହେବ !ପୁରୁଣା ମୁଖ୍ୟ ଚିକିତ୍ସାଳୟକୁ ସହରାଂଚଳ ସ୍ୱାସ୍ଥ୍ୟକେନ୍ଦ୍ର କରିବା ଦାବିରେ ନାଗରିକ ମଂଚର ଅନଶନ ଚେତାବନୀ

20

ଭଦ୍ରକ, ୨ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଅଗଷ୍ଟ ୪ ସୋମବାର ନୂଆ ମେଡିକାଲ ଗେଲପୁରକୁ ସ୍ଥାନାନ୍ତରିତ ହେବ ବୋଲି ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଛି। ଏଥିପାଇଁ ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ନୂଆ ମେଡିକାଲଟିକୁ କାର୍ଯ୍ୟକ୍ଷମ କରିବା ପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଂଚିଛି। ସ୍ୱାସ୍ଥ୍ୟ ବିଭାଗର ପ୍ରସ୍ତୁତି କାର୍ଯ୍ୟକୁ ଜିଲାପାଳ ନିଜେ ନୂଆ ମେଡିକାଲକୁ ଯାଇ ତଦାରଖ କରିଛନ୍ତି। ଜିଲା ମୁଖ୍ୟ ଚିକିତ୍ସାଧିକାରୀ ସୁଧୀରଂଜନ ନାୟକଙ୍କ ସୂଚନା ଅନୁଯାୟୀ ପୁରୁଣା ମୁଖ୍ୟ ଚିକିତ୍ସାଳୟରୁ ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ, ପୁଷ୍ଟି ସାଧନ କେନ୍ଦ୍ର, ଫିଜିଓଥେରାପି, ଆଇଓପିଡି, ଦାନ୍ତ, ସର୍ଜରୀ, ଏକ୍ସରେ, ମେଡିସିନ୍ ଓ ଅନ୍ୟାନ୍ୟ ଆନୁସଙ୍ଗିକ ପରୀକ୍ଷା ନିରୀକ୍ଷା, ସମସ୍ତ ଯନ୍ତ୍ରପାତି ସ୍ଥାନାନ୍ତରିତ ହୋଇସାରିଲାଣି। ସୂଚନାଯୋଗ୍ୟ ଗତ ସରକାର ଅମଳରେ ୧୪୬ କୋଟି ବ୍ୟୟ ଅଟକଳରେ ସହରର ଉପକଣ୍ଠ ଗେଲପୁର ଠାରେ ୩ ଶହ ଶଯ୍ୟା ବିଶିଷ୍ଟ ମୁଖ୍ୟ ଚିକିତ୍ସାଳୟଟି ପାଖାପାଖି ଏକବର୍ଷରୁ ଉର୍ଦ୍ଧ୍ୱ ଧରି ସଂପୂର୍ଣ୍ଣ ହୋଇଥିଲେ ମଧ୍ୟ ସ୍ଥାନାନ୍ତରିତ ହୋଇପାରୁନଥିଲା। ସୂଚନାଯୋଗ୍ୟ ଜିଲା ମୁଖ୍ୟ ଚିକିତ୍ସାଳୟ ଦୀର୍ଘ ୩୧ ବର୍ଷ ପରେ ସ୍ଥାନାନ୍ତର ହେବାକୁ ଯାଉଛି। ସ୍ଥାନାନ୍ତର ହେବା ପରେ ଜିଲାପାଳ ଦିଲ୍ଲୀପ କୁମାର ରାଉତରାୟ ନୂଆ ମେଡିକାଲକୁ ଯାଇ ସମସ୍ତ ବିଭାଗର କାର୍ଯ୍ୟକ୍ଷମ ନେଇ ତଦାରଖ କରିଛନ୍ତି। ତେବେ ଅନୁସନ୍ଧାନରୁ ଜଣାଯାଇଛି ଯେ ମୁଖ୍ୟତଃ ଟ୍ରମା ସେଂଟର, ଅର୍ଥପେଡିକ୍‌, ସର୍ଜରୀ, ଡାଇଲିସିସ୍‌, ବ୍ଲଡ୍ ବ୍ୟାଙ୍କ, ସିଟି ସ୍କାନ, ପାଥୋଲୋଜି, ଅଲଟ୍ରାସାଉଣ୍ଡ ଆଜିଯାଏଁ ନୂଆ ମେଡିକାଲକୁ ସ୍ଥାନାନ୍ତରିତ ହୋଇପାରିନଥିବାରୁ ସୋମବାର ନୂଆ ମେଡିକାଲ କାର୍ଯ୍ୟକ୍ଷମ ହେବା ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି। ଏହାମଧ୍ୟରେ ନୂତନ ମୁଖ୍ୟ ଚିକିତ୍ସାଧିକାରୀ ଭାବେ ଉମାପ୍ରସାଦ ବିଶ୍ୱାଳ ଗତକାଲି କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ତେବେ ନୂତନ ସିଡିଏମ୍‌ଓ ଶ୍ରୀ ବିଶ୍ୱାଳ ଏକମାସ ପରେ ଅବସର ନେବାକୁ ଥିବାରୁ ନୂଆ ମେଡିକାଲ ସ୍ଥାନାନ୍ତରିତ ହେବା ପରେ ଏହାର କାର୍ଯ୍ୟକ୍ଷମ ନେଇ ସାଧାରଣ ଲୋକ ଏହାକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି। ମେଡିକାଲ ସ୍ଥାନାନ୍ତରିତ ହେବା ପରେ ବିଭିନ୍ନ ମହଲରୁ ନୂଆବଜାରସ୍ଥିତ ପୁରୁଣା ମୁଖ୍ୟ ଚିକିତ୍ସାଳୟଟିକୁ ସହରାଂଚଳ ସ୍ୱାସ୍ଥ୍ୟକେନ୍ଦ୍ର ଭାବେ କାର୍ଯ୍ୟକ୍ଷମ କରିବାକୁ ବିଭିନ୍ନ ମହଲରେ ଦାବି ଉଠିଛି। ଗତ କିଛିଦିନ ତଳେ ଟାଉନ୍ କଂଗ୍ରେସ କମିଟି ପକ୍ଷରୁ ଏ ନେଇ ଜିଲାପାଳଙ୍କୁ ଏକ ଦାବିପତ୍ର ଦିଆଯାଇଥିବାବେଳେ ଆଜି ଭଦ୍ରକ ନାଗରିକ ମଂଚ ପକ୍ଷରୁ ଜିଲାପାଳ, ଏସ୍‌ପି, ସିଡିଏମ୍‌ଓଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଦାବିପତ୍ରରେ ଦର୍ଶାଯାଇଛି ଯେ ନୂଆବଜାରରୁ ଡାକ୍ତରଖାନା ସ୍ଥାନାନ୍ତରିତ ହେବା ପରେ ସେଠାରେ ଏକ ସହରାଂଚଳ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା କରିବାର ଆବଶ୍ୟକତା ରହିଛି। ଭଦ୍ରକ ସହରାଂଚଳର ଜନସଂଖ୍ୟା ଓ ରୋଗୀସଂଖ୍ୟାକୁ ଦୃଷ୍ଟିରେ ରଖି ବୁଦ୍ଧିଜୀବୀ ମହଲରୁ ଏହି ଦାବି ଉପସ୍ଥାପନ ହୋଇଛି। ମୁଖ୍ୟତଃ ଗେଲପୁର ନୂଆ ମେଡିକାଲକୁ ନୂଆବଜାରସ୍ଥିତ ମୁଖ୍ୟ ଚିକିତ୍ସାଳୟ ଠାରୁ ପ୍ରାୟ ୩ କିଲୋମିଟର ଦୂର। ବରିଷ୍ଠ ନାଗରିକ ତଥା ଭିନ୍ନକ୍ଷମ ଓ ମହିଳାଙ୍କ ସାଧାରଣ ରୋଗର ସେବା ପାଇଁ ଯାତାୟତର ସୁବିଧା ନଥିବାରୁ ଚିକିତ୍ସା କ୍ଷେତ୍ରରେ ବାଧା ଉପୁଜିବ। ଯେପର୍ଯ୍ୟନ୍ତ ସହରାଂଚଳ ଚିକିତ୍ସାଳୟର ସ୍ଥାପନ ହୋଇନାହିଁ, ସେଠାରେ ବର୍ହିଃବିଭାଗ (ଆଉଟଡୋର) ଚାଲୁ ରଖିବା ପାଇଁ ମଂଚ ପକ୍ଷରୁ ପ୍ରଶାସନକୁ ନିବେଦନ କରାଯାଇଛି। ଏହି ଦାବିକୁ ନେଇ ଆସନ୍ତା ୪.୮.୨୫ ସୋମବାର ପୂର୍ବାହ୍ନ ୧୦ ଘଟିକାରୁ ମୁଖ୍ୟ ଚିକିତ୍ସାଳୟ ଫାଟକ ସମ୍ମୁଖରେ ଅନଶନ କରିବାକୁ ମଂଚ ପକ୍ଷରୁ ନିଷ୍ପତି କରାଯାଇଛି। ନାଗରିକ ମଂଚ ତରଫରୁ ବିଶିଷ୍ଟ ସମାଜସେବୀ ତାରାକାନ୍ତ ମହାପାତ୍ର, ସେକ୍ ଅନୱାର ହୋସେନ, ବାସୁଦେବପୁର ବିଧାୟକ ଅଶୋକ ଦାସ, ପୂର୍ବତନ ପାରିଷଦ ଅବଦୁଲ ମୋକିତ ଖାଁ, କାଉନ୍‌ସିଲର ହେମନ୍ତ ସାହୁ, ନରେଶ ଜେନା, ଆଇନ୍‌ଜୀବୀ ଦିବ୍ୟସିଂହ ନାୟକ, ସନ୍ତୋଷ କୁମାର ନାୟକ, ଶ୍ରୀକାନ୍ତ ବିଶ୍ୱାଳ, ଚିତରଂଜନ ମିଶ୍ର, ବିଶିଷ୍ଟ ସମାଜସେବୀ ସୁଧାକର ରାଉତ, ରିଆଜ ବାରି, ସ୍ୱର୍ଣ୍ଣପ୍ରଭା ସ୍ୱାଇଁ, ବଳରାମ ରାଉତ, ସୁଶାନ୍ତ ରାଉତ ପ୍ରମୁଖ ଦାବିପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.