Home ଜିଲ୍ଲା ପରିକ୍ରମା ଥଇଥାନ ଦାବିରେ ଅଗଷ୍ଟ ୧ କୁ କଳାଦିବସ ଭାବେ ପାଳନ କଲା ଭଦ୍ରକ ବଣିକ ସଂଘ,...

ଥଇଥାନ ଦାବିରେ ଅଗଷ୍ଟ ୧ କୁ କଳାଦିବସ ଭାବେ ପାଳନ କଲା ଭଦ୍ରକ ବଣିକ ସଂଘ, ଜିଲାପାଳଙ୍କୁ ଦାବିପତ୍ର

7

ଭଦ୍ରକ, ୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ଏକ ବର୍ଷ ତଳେ ଭଦ୍ରକ ସହରାଂଚଳରୁ ଉଚ୍ଛେଦ ହୋଇଥିବା ବ୍ୟବସାୟୀମାନଙ୍କୁ ଆଜିପର୍ଯ୍ୟନ୍ତ ଥଇଥାନ କରିନଥିବା ପ୍ରତିବାଦରେ ଆଜି ଭଦ୍ରକ ବଣିକ ସଂଘ ପକ୍ଷରୁ ବହୁ କ୍ଷତିଗ୍ରସ୍ତ ବ୍ୟବସାୟୀମାନେ ଜିଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏମାନଙ୍କ ଅଭିଯୋଗ ପତ୍ରରେ ଦର୍ଶାଯାଇଛି ଯେ ଗତ ତା ୦୧.୦୮.୨୦୨୪ ରିଖରେ ଜିଲା ପ୍ରଶାସନ ତରଫରୁ କୌଣସି ଲିଖିତ ସୂଚନା ପ୍ରଦାନ କରାନଯାଇ ବୋଲଡୋଜର ମାଧ୍ୟମରେ ସହରର ମୁଖ୍ୟ ରାସ୍ତାର ଉଭୟପାଶ୍ୱର୍ରେ ଥିବା ଛୋଟବୋଡ ଦୋକାନୀଗୁଡିକୁ ଭାଂଗିରୁଜି ଚୁରମାର କରିଦିଆଗଲା। ଏପରିକି ବହୁ ବ୍ୟବସାୟୀଙ୍କୁ ଦୋକାନ ଘର ମଧ୍ୟରୁ ନିଜ ଜିନିଷ କାଢିବାର ସୁଯୋଗ ମଧ୍ୟ ଦିଆଯାଇନଥିଲା। ଇତିମଧ୍ୟରେ ଏକବର୍ଷ ବିତିଯାଇଥିଲେ ମଧ୍ୟ ପ୍ରଶାସନ ତରଫରୁ ଉଚ୍ଛେଦ ହୋଇଥିବା ଦୋକାନୀମାନଙ୍କୁ ଥଇଥାନ କରାଯାଇନାହିଁ। ଫଳରେ ବହୁ ଦୋକାନୀମାନେ ଏବେ ଆର୍ଥିକ ପାରିବାରିକ ସମସ୍ୟାର ସମ୍ମୁଖୀନ ହେବା ସହ ବ୍ୟାଙ୍କ ଋଣ ପରିଶୋଧ କରିବା ଚିନ୍ତାରେ ଦୁଇ ବ୍ୟବସାୟୀଙ୍କର ଅକାଳ ମୃତ୍ୟୁ ଘଟିଛି ବୋଲି ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି। ଥଇଥାନର ବ୍ୟବସ୍ଥା ନହେବା ଫଳରେ ଭଦ୍ରକର ହଜାର ହଜାର ଆତ୍ମନିର୍ଭରଶୀଳ ନାଗରିକ ନିଜର ଜୀବିକା ହରାଇ ଦୁଃଖ, ଦୁର୍ଦ୍ଦଶା ଓ ଋଣର ଭାର ଚାପଗ୍ରସ୍ତ ହୋଇ ଦୁର୍ବିସହ ଜୀବନ ଯାପନ କରୁଛନ୍ତି। ଏଣୁ ସହରାଂଚଳର ରାସ୍ତା ପାଖ ଜମିରେ ସ୍ଥାୟୀ ଭାବେ ଦୋକାନ ଘର ପ୍ରଦାନ କରାଯାଇ ଜୀବନ ଜୀବିକା ସହ ବଂଚି ରହିବାର ସୁଯୋଗ ପ୍ରଦାନ କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି। ଏହାବ୍ୟତୀତ ଏହି ସହର ମଧ୍ୟରେ ଥିବା ସବୁ କିସମର ସରକାରୀ ଜମିକୁ ୧୯୫୦ ମସିହା ମ୍ୟୁନସିପାଲଟି ଆଇନ୍‌ର ୧୨୧ ଧାରା ଅନୁଯାୟୀ ନଗର ଉନ୍ନୟନ ବିଭାଗକୁ ହସ୍ତାନ୍ତର ଓ ମାର୍କେଟ୍ କମ୍ଲେକ୍ସ ନିର୍ମାଣ ପାଇଁ ପ୍ଲାନ କରାଯାଇ କ୍ଷତିଗ୍ରସ୍ତ ଦୋକାନୀମାନଙ୍କୁ ଚୁକ୍ତିବଦ୍ଧ ଭାବେ ନିଜସ୍ୱ ଖର୍ଚ୍ଚରେ ଗୃହ ନିର୍ମାଣ କରିବାର ମଧ୍ୟ ପ୍ରତିଶ୍ରୁତି ପାଇଁ ପ୍ରଶାସନ ନିକଟରେ ଦାବି କରାଯାଇଛି। ଏହି ଗୁରୁତର ସମସ୍ୟାର ସମାଧାନ ନହେଲେ ଆସନ୍ତା ସ୍ୱାଧୀନତା ଦିବସରେ ସଂଘ ପକ୍ଷରୁ ଚରମ ପନ୍ଥା ଅନୁସରଣ କରିବାକୁ ବାଧ୍ୟ ହେବୁ ବୋଲି ଭଦ୍ରକ ବଣିକ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଏହି ଦାବିପତ୍ର ପ୍ରଦାନ କାଳରେ ବଣିକ ସଂଘର ସଂପାଦକ ଲାଲା ଜଗଦୀଶ ରାୟ, ରିଆଜ ବାରି, ଆଶିଷ ନାୟକ, ଗଦାଧର ସାହୁ, ନରେନ୍ଦ୍ର ସାହୁ, ପରବେଜ ବେଗ୍ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.