Home ଜିଲ୍ଲା ପରିକ୍ରମା ସାପ କାମୁଡାରେ ଏବେବି ଗୁଣିଗାରେଡି ପରମ୍ପରା ବଜାୟ ରହିଛି, ସାଢେ ଚାରିବର୍ଷ ମଧ୍ୟରେ ୧୫୯ ଜଣଙ୍କର...

ସାପ କାମୁଡାରେ ଏବେବି ଗୁଣିଗାରେଡି ପରମ୍ପରା ବଜାୟ ରହିଛି, ସାଢେ ଚାରିବର୍ଷ ମଧ୍ୟରେ ୧୫୯ ଜଣଙ୍କର ମୃତ୍ୟୁ

7

ଭଦ୍ରକ, ୨୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସବୁକ୍ଷେତ୍ରରେ ବିଜ୍ଞାନ ଆଗକୁ ମାଡି ଚାଲିଥିବାବେଳେ ସମାଜରେ ଲୋକଙ୍କ ମନରୁ ଅନ୍ଧବିଶ୍ୱାସ ଓ ଗୁଣିଗାରେଡି ପରମ୍ପରା ଲୋପ ପାଉନାହିଁ। ଯାହାଫଳରେ ଜିଲାରେ ସାପ କାମୁଡା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗାଉଁଲି ଅନ୍ଧ ବିଶ୍ୱାସକୁ ହଟାଇବା ପାଇଁ ଜିଲା ପ୍ରଶାସନ (ଓସ୍‌ଡୋମା) ପକ୍ଷରୁ ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି। ସାପ କାମୁଡିଲେ କ’ଣ ପ୍ରତିଷେଧକ ମୂଳକ ବ୍ୟବସ୍ଥା ଗ୍ରହଣ କରାଯିବ, ସେଥିପାଇଁ ଗାଁ ଗହଳିରେ ପାଲା ମାଧ୍ୟମରେ ଲୋକମାନଙ୍କୁ ସଚେତନ କରାଯିବା ସହ ବିଦ୍ୟାଳୟରେ ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଶିକ୍ଷକଙ୍କ ଜରିଆରେ ସତର୍କ କରିଦିଆଯାଉଛି। ଏତଦ୍‌ବ୍ୟତୀତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ, ଫାର୍ମସ୍ କ୍ଲବ୍‌, ୟୁଥ୍ କ୍ଲବ୍ ଓ ଆଶା ଅଙ୍ଗନୱାଡି କର୍ମୀଙ୍କୁ ମଧ୍ୟ ସଚେତନତା ସୃଷ୍ଟି ପାଇଁ ଓସ୍‌ଡୋମା ପକ୍ଷରୁ ନିୟୋଜିତ କରାଯାଇଛି। ତଥାପି ସାପ କାମୁଡା ରୋଗୀଙ୍କୁ ଏବେବି ଗାଁ ଗହଳିରେ ତତ୍‌କ୍ଷଣାତ୍ ନିକଟସ୍ଥ ଡାକ୍ତରଖାନାକୁ ନଯାଇ ବିଷ ଝଡାଇବା ଭଳି ଅନ୍ଧ ବିଶ୍ୱାସର ବଶବର୍ତୀ ହୋଇ ଗୁଣିଗାରେଡି ପରମ୍ପରାକୁ ଆପଣାଉଛନ୍ତି। ଯାହାଫଳରେ ସାପ କାମୁଡା ରୋଗୀଙ୍କ ମୃତ୍ୟୁ ସୁନିଶ୍ଚିତ କରୁଛି। ବିଭାଗୀୟ ସୂଚନାରୁ ଜଣାଯାଇଛି ଯେ ଭଦ୍ରକ ଜିଲାରେ ଗତ ୨୦୨୦ ରୁ ୨୦୨୫ ଅଦ୍ୟାବଧି ଜିଲାର ୭ଟି ବ୍ଲକ୍‌ରେ ସାପ କାମୁଡାରେ ୧୫୯ ଜଣଙ୍କର ପ୍ରାଣହାନି ଘଟିଛି। ମୃତ ସାପ କାମୁଡା ପ୍ରତ୍ୟେକ ପରିବାରଙ୍କୁ ଏଥିପାଇଁ ୪ ଲକ୍ଷ ଲେଖାଏଁ ଟଙ୍କା ଅନୁକମ୍ପା ରାଶି ବାବଦରେ ସାଢେ ଚାରିବର୍ଷ ମଧ୍ୟରେ ମୋଟ ୬ କୋଟି ୩୬ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଏହି ସାଢେ ଚାରିବର୍ଷ ମଧ୍ୟରେ ସର୍ବାଧିକ ବାସୁଦେବପୁର ବ୍ଲକ୍‌ରେ ୩୫ ଜଣ ସାପ କାମୁଡାରେ ମରିଥିବାବେଳେ ସବୁଠାରୁ କମ୍ ୭ ଜଣ ମରିଛନ୍ତି ବନ୍ତ ବ୍ଲକ୍‌ରେ । ସେହିପରି ଚାନ୍ଦବାଲି ବ୍ଲକ୍‌ରେ ୩୨ ଜଣ, ତିହିଡିରେ ୨୯ ଜଣ, ଧାମନଗରରେ ୨୪ ଜଣ, ଭଦ୍ରକରେ ୧୯ ଜଣ ଓ ଭଣ୍ଡାରିପୋଖରୀ ବ୍ଲକ୍‌ରେ ୧୩ ଜଣ ବ୍ୟକ୍ତିଙ୍କର ସାପ କାମୁଡାରେ ମୃତ୍ୟୁ ଘଟିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.