ଭଦ୍ରକ, ୧୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାର ମିଶାବନ୍ଦୀମାନଙ୍କୁ ଓଡ଼ିଶାର କୋଣ ଅନୁକୋଣରୁ ଡକାଇ ସମ୍ବର୍ଦ୍ଧିତ କରିଥିବାବେଳେ ଭଦ୍ରକ ଜିଲାରେ ପ୍ରଶାସନ ସେମାନଙ୍କୁ ହତାଦର କରିଛି । ଜିଲାର ମିଶାବନ୍ଦୀମାନଙ୍କର ରେକର୍ଡପତ୍ର ସଂଗ୍ରହ କରିବାରେ ପ୍ରଶାସନ ଫେଲ ମାରିଲା । କିନ୍ତୁ ଜିଲାର ଜଣେ ୭୫ ବର୍ଷିୟ ମିଶାବନ୍ଦୀ ଭଦ୍ରକ କୋର୍ଟରୁ ରେକର୍ଡପତ୍ର ସଂଗ୍ରହ କରି ପ୍ରଶାସନକୁ ପ୍ରଦାନ କରିବା ଘଟଣା ବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛି । ସୂଚନାଯୋଗ୍ୟ ପ୍ରଶାସନର ଏହି ବିଫଳତା କାରଣରୁ ଦେଶର ଜରୁରୀକାଳନୀ ପରିସ୍ଥିତି ସମୟରେ ମିଶା, ଡିଆଇଆର, ଡିଆଇଏସଆରରେ ଗିରଫ ହୋଇ ୨/୩ ମାସ ଧରି ଜେଲ୍ରେ କାରାବରଣ କରିଥିବା ୬ ଜଣ ମିଶାବନ୍ଦୀ ଜୁନ୍ ୨୫ ରେ ସମ୍ବିଧାନ ହତ୍ୟା ଦିବସରେ ସମ୍ବର୍ଦ୍ଧିତରୁ ବଂଚିତ ହେଲେ । ଏହାବ୍ୟତୀତ ମିଶାବନ୍ଦୀଙ୍କ ପାଇଁ ସରକାରଙ୍କ ତରଫରୁ ଘୋଷଣା କରାଯାଇଥିବା ମାସିକିଆ ଭତା ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଅପେକ୍ଷାରେ ଥିବା ଜିଲାର ୭ ଜଣ ମିଶାବନ୍ଦୀଙ୍କ ଆଶା ମଉଳିଯାଇଥିଲା । ତେବେ ପ୍ରଶାସନ ପକ୍ଷରୁ ଏହି ୭ ମିଶାବନ୍ଦୀଙ୍କ ତଥ୍ୟ ସଂଗ୍ରହ ପାଇଁ ଭଦ୍ରକ ଜେଲ୍ ଠାରୁ ଆରମ୍ଭ କରି ତତ୍କାଳୀନ ବାଲେଶ୍ୱର ଜିଲା ଏସ୍ପି ଅଫିସ୍, ଜେଲ୍, ଜଜ୍କୋର୍ଟ ପର୍ଯ୍ୟନ୍ତ ପତ୍ର ମାଧ୍ୟମରେ ଉଦ୍ୟମ ଜାରି କରାଯାଇଥିଲା । କିନ୍ତୁ ସୁଫଳ ମିଳିଲାନାହିଁ । ତଥ୍ୟ ସଂଗ୍ରହ କ୍ଷେତ୍ରରେ ପ୍ରଶାସନର ଏହି ବିଫଳତାକୁ ନେଇ ମିଶାବନ୍ଦୀଙ୍କ ମଧ୍ୟରେ ନୈରାଶ୍ୟ ଖେଳିଯାଇଥିଲା । ତେବେ ଏହି ଜିଲାରେ ୨୭ ବର୍ଷ ବୟସରେ ଗିରଫ ହୋଇଥିବା ତାଳପଦା ଅଂଚଳର ବନ୍ଦୀ ତାରାକାନ୍ତ ମହାପାତ୍ର (୭୫ ବର୍ଷ) ଭଦ୍ରକ କୋର୍ଟରୁ ଏହି ବନ୍ଦୀ ସଂପର୍କିତ ସମସ୍ତ ପ୍ରମାଣପତ୍ର (ସାର୍ଟିଫାଏଡ୍ କପି) ହାସଲ କରିଥିଲେ । ପରବର୍ତୀ ସମୟରେ ଏସ୍ଡିଜେଏମ୍ କୋର୍ଟର ଏହି ସାର୍ଟିଫାଏଡ୍ କପିଗୁଡିକୁ (ଜିଆର କେଶ୍ ନଂ ୬୩୭/୧୯୭୫, ୬୨୩/୧୯୭୫) ଜିଲା ପ୍ରଶାସନ ନିକଟରେ ଉପସ୍ଥାପନା କରିଥିଲେ । ପ୍ରଶାସନ ପକ୍ଷରୁ ଏହି ପ୍ରମାଣପତ୍ର ଗୁଡିକର ଫଟୋକପି ସହ ପତ୍ର ମାଧ୍ୟମରେ ଭଦ୍ରକ କୋର୍ଟକୁ ପଠାଇ ବିଭାଗୀୟ ପତ୍ର ଜରିଆରେ ପ୍ରମାଣପତ୍ର ମାଗିଥିଲେ ମଧ୍ୟ ଆଜିଯାଏ ପ୍ରଶାସନର ହସ୍ତଗତ ହେଇପାରିନାହିଁ । ଅନ୍ୟପକ୍ଷରେ ଏହି ସାର୍ଟିଫାଏଡ୍ କପିଗୁଡିକୁ ପ୍ରଶାସନ ପକ୍ଷରୁ ଗୃହ ମନ୍ତ୍ରଣାଳୟକୁ ପଠାଇ ଅନୁମୋଦନ ଆଣିବାକୁ ମିଶାବନ୍ଦୀମାନେ ଜିଲାପାଳଙ୍କୁ ନିବେଦନ କରିଛନ୍ତି । ଭଦ୍ରକ କୋର୍ଟରୁ ସଂଗୃହିତ ପ୍ରମାଣପତ୍ର ଅନୁସାରେ ଭଦ୍ରକରେ ଗିରଫ ହୋଇଥିବା ବନ୍ଦୀମାନେ ଦଫା ୪୩(୫), ୪୬(୫) ଡିଆଇଆର ଜିଏଫ୍ ୧୯୭୧ ଏଣ୍ଡ ୧୨୦ (ବି), ୧୨୪(ଏ) ଆଇପିସି ରେ ଗିରଫ ହୋଇ ତା ୨୩.୦୮.୭୫ ରିଖରେ ଜେଲ୍ ଯାଇଥିଲେ ।
Home ଜିଲ୍ଲା ପରିକ୍ରମା ମିଶାବନ୍ଦୀଙ୍କ ରେକର୍ଡପତ୍ର ପ୍ରସଙ୍ଗ, ପ୍ରଶାସନର ବିଫଳତା ପରେ ମିଶାବନ୍ଦୀଙ୍କ ଦ୍ୱାରା ସଂଗୃହିତ ରେକର୍ଡପତ୍ର ବିଭାଗକୁ ପ୍ରଦାନ







