Home ଜିଲ୍ଲା ପରିକ୍ରମା ନିର୍ମାଣାଧୀନ ମଦିନା ମଇଦାନ କମ୍ୟୁନିଟି ହଲ୍‌ର ବ୍ୟାପକ ଅନିୟମିତତା, ଭଦ୍ରକ ମୁସଲିମ୍ ଜମାତ ପକ୍ଷରୁ ଉଚ୍ଚସ୍ତରୀୟ...

ନିର୍ମାଣାଧୀନ ମଦିନା ମଇଦାନ କମ୍ୟୁନିଟି ହଲ୍‌ର ବ୍ୟାପକ ଅନିୟମିତତା, ଭଦ୍ରକ ମୁସଲିମ୍ ଜମାତ ପକ୍ଷରୁ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଜିଲାପାଳଙ୍କୁ ଦାବିପତ୍ର

15

ଭଦ୍ରକ, ୧୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ସହରାଂଚଳସ୍ଥିତ ପୁରୁଣାବଜାର ଅଂଚଳରେ ନିର୍ମାଣାଧୀନ ମଦିନା ମଇଦାନ କମ୍ୟୁନିଟି ହଲ୍‌ଟିର କାର୍ଯ୍ୟର ଉଚ୍ଚସ୍ତରୀୟ ତଦନ୍ତ ଦାବି କରି ଭଦ୍ରକ ମୁସଲିମ୍ ଜମାତ ପକ୍ଷରୁ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ଦାବିପତ୍ରରେ ଦର୍ଶାଯାଇଛି ଯେ ଏହି ହଲ୍‌ଟିର ନିର୍ମାଣ ପାଇଁ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ୮୦ ଲକ୍ଷ ଟଙ୍କା ମଂଜୁର କରିଥିଲେ। ପରର୍ବତୀ ପର୍ଯ୍ୟାୟରେ ଏହାର ସଂଶୋଧନ ହୋଇ ପ୍ରାୟ ୧ କୋଟି ୯୪ ଲକ୍ଷ ୯୦ ହଜାର ଟଙ୍କା କୁ ବୃଦ୍ଧି କରାଯାଇଥିଲା। ତେବେ ଏହାର ନିର୍ମାଣ ଦାୟିତ୍ୱରେ ଥିବା ଆରଡବ୍ଲ୍ୟୁ ଡିଭିଜନ-୨ ଟେଣ୍ଡର ପ୍ରକ୍ରିୟାରେ ଏହାର ନିର୍ମାଣ କାର୍ଯ୍ୟ ଜଣେ ଠିକାଦାରଙ୍କ ଦ୍ୱାରା ଆରମ୍ଭ କରିଥିଲେ। ତେବେ ଏହା ଅଦ୍ୟାବଧି ଅସଂପୂର୍ଣ୍ଣ ଓ ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡିରହିଛି। ଅନ୍ୟପକ୍ଷରେ ଆରଡବ୍ଲ୍ୟୁ ଡିଭିଜନ-୨ ର ଏ.ସି. ଏହି ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିବା ଦର୍ଶାଇ ସରକାରଙ୍କୁ ରିପୋର୍ଟ କରିଛନ୍ତି। ଠିକାଦାର ମଧ୍ୟ ତାଙ୍କ ସମସ୍ତ ପ୍ରାପ୍ୟ ପାଇସାରିଛନ୍ତି। ତେବେ ମୁସଲିମ୍ ଜମାତର କର୍ମକର୍ତାଙ୍କ ଠାରୁ ଏହି ନିର୍ମାଣ କାର୍ଯ୍ୟର ସଂପୂର୍ଣ୍ଣ ହେଲା ବୋଲି କୌଣସି ସାର୍ଟିଫିକେଟ୍ ନିଆଯାଇନାହିଁ। ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ କମ୍ୟୁନିଟି ଗୃହଟି ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡିରହିଛି। ଠିକାଦାର ଓ ବିଭାଗୀୟ ଅଧିକାରୀମାନେ ଏହି ଗୃହକୁ ଅସଂପୂର୍ଣ୍ଣ ଅବସ୍ଥାରେ ଛାଡିଦେଇଛନ୍ତି। ଏହି କାର୍ଯ୍ୟ ସମ୍ବନ୍ଧରେ ଭଦ୍ରକ ମୁସଲିମ୍ ଜମାତର କର୍ମକର୍ତା ମାନେ ବିଭାଗକୁ ଅଭିଯୋଗ କରିଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନାହିଁ। ଏହାବ୍ୟତୀତ କାର୍ଯ୍ୟ ସଂପର୍କିତ କୌଣସି ସୂଚନା ଫଳକ ମଧ୍ୟ ଲଗାଯାଇପାରିନାହିଁ। ଏହି ନିର୍ମାଣ କାର୍ଯ୍ୟରେ ହୋଇଥିବା ବ୍ୟାପକ ଅନିୟମିତତା ସଂପର୍କରେ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ପ୍ରକୃତ ସତ୍ୟ ଲୋକଲୋଚନକୁ ଆସିପାରିବ ବୋଲି ଅଭିଯୋଗରେ ଦର୍ଶାଯାଇଛି। ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ ସମୟରେ ଭଦ୍ରକ ମୁସଲିମ୍ ଜମାତର ଉପସଭାପତି ମହମ୍ମଦ ଜକାଉଲ୍ଲା, ସାଧାରଣ ସଂପାଦକ ହାଜି ସେକ୍ ଏନାମ ମହମ୍ମଦ, ସଂପାଦକ ହାଜି ଅବଦୁଲ ମୁକିତ୍ ଖାନ୍‌, ବରିଷ୍ଠ ସଭ୍ୟ ଜମିର ଅଖତର ଖାନ୍‌, ଇଂଜିନିୟର ରଜେୟା ରସୁଲ, ଅସରଫ ଅଲ୍ଲୀ ଖାନ୍‌, ଅଖତର ଅଲ୍ଲୀ, ମିର୍ଜା ଏକ୍ରାମ ବେଗ୍‌, ମୁସ୍ତାକ ଗହ୍ୱର, ମିଡିଆ ସେଲ୍ ସଂଯୋଜକ ସେକ୍ ଅନୱାର (ବାବୁ), ହାଜି ଅବୁ ହୋସେନ ଖାନ୍‌, ହାଜି କୟେମ ସାହା ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.