Home ଜିଲ୍ଲା ପରିକ୍ରମା ଚରମ୍ପା ମହାବିଦ୍ୟାଳୟ ଛାତ୍ର ସଂସଦର ୪୪ତମ ବାର୍ଷିକ ଉତ୍ସବ, ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଦ୍ୱାରା ୨୨ କୋଟି...

ଚରମ୍ପା ମହାବିଦ୍ୟାଳୟ ଛାତ୍ର ସଂସଦର ୪୪ତମ ବାର୍ଷିକ ଉତ୍ସବ, ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଦ୍ୱାରା ୨୨ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ

3

ଭଦ୍ରକ, ୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଚରମ୍ପା ମହାବିଦ୍ୟାଳୟ ଛାତ୍ର ସଂସଦର ୪୪ତମ ବାର୍ଷିକ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି। କଲେଜ ପରିସରରେ ଆୟୋଜିତ ଏହି ଉତ୍ସବରେ ଅଧ୍ୟକ୍ଷ ପୀତାମ୍ବର ନାୟକ ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟଅତିଥି ଭାବେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦେଇ ଉତ୍ସବର ଶୁଭ ଉଦ୍‌ଘାଟନ କରିଥିଲେ। ସେ ଏହି ଅବସରରେ ଚରମ୍ପା କଲେଜ ଭଦ୍ରକ ଜିଲାରେ ଏକ ବହୁ ପୁରାତନ ଶିକ୍ଷାନୁଷ୍ଠାନ ଭାବେ ଅନେକ କୃତି ଛାତ୍ରଛାତ୍ରୀଙ୍କୁ ରାଜ୍ୟ, ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପ୍ରତିଷ୍ଠିତ କରିପାରିଥିବାରୁ ଏହାର ସର୍ବାଙ୍ଗୀନ ଉନ୍ନତି କାମନା କରିଥିଲେ। ଏହି କଲେଜ ପରିସରରେ ପୋତି ହୋଇପଡିଥିବା ୩୮ ଏକର ପିରମିତ ଏକ ପୁଷ୍କରିଣୀର ପୁନରୁଦ୍ଧାର ଦାୟିତ୍ୱ ମତ୍ସ୍ୟ ସଂପଦ ବିଭାଗକୁ ପ୍ରଦାନ କରିବା ସହ ପର୍ଯ୍ୟଟକମାନଙ୍କ ଆଗମନ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବା ଦିଗରେ ସମସ୍ତ ଆନୁସଙ୍ଗିକ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ। ଏଠାରେ ସୂଚନାଯୋଗ୍ୟ ବିଶିଷ୍ଟ କଥାକାର ଫକୀର ମୋହନ ସେନାପତି ତାଙ୍କ ଉପନ୍ୟାସରେ ଏହି ଅସୁରା ଦିଗି ପୁଷ୍କରିଣୀ ସଂପର୍କରେ ଅବତାରଣା କରିଛନ୍ତି। ଏହି ଉତ୍ସବରେ ସ୍ଥାନୀୟ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଭଲ ମଣିଷ ହେବା ଦିଗରେ ଉପଦେଶ ଦେଇଥିଲେ। ଏବଂ ଏଭଳି ଏକ ଶିକ୍ଷାୟତନରେ ଥିବା ବିଭିନ୍ନ ସମସ୍ୟାକୁ ସମସ୍ତଙ୍କ ସହଯୋଗରେ ସମାଧାନ କରିବାର ପ୍ରତିଶ୍ରୁତି ଦେଇଥିଲେ। ଭଦ୍ରକ ଜିଲାପାଳ ଦିଲ୍ଲୀପ ରାଉତରାୟ ଏହି ଉତ୍ସବରେ ଅନ୍ୟତମ ବରେଣ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଅନେକ ସଦୁପଦେଶ ପ୍ରଦାନ କରିଥିଲେ। ଶିଶୁ ସାହିତ୍ୟିକ ଇଂ ଅଭୟ ସୂତାର, ତ୍ୟାଗଭୂମିର ସଭାପତି ଅଜୟ ନାୟକ, ଗ୍ରାମ୍ୟ ନିର୍ମାଣ ବିଭାଜନ-୧ ଅଧୀକ୍ଷଣ ଯନ୍ତ୍ରୀ ଇଂ କାନନ ପ୍ରଧାନ ଏହି ଉତ୍ସବରେ ମୁଖ୍ୟବକ୍ତା ଓ ସମ୍ମାନିତ ବକ୍ତା ଭାବେ ଯୋଗଦେଇଥିଲେ। ଛାତ୍ର ସଂସଦର ସହଉପଦେଷ୍ଟା ତଥା ଅଧ୍ୟାପିକା ଡ. ସୁକାନ୍ତି ମହାପାତ୍ର ଉତ୍ସବ ପ୍ରାରମ୍ଭରେ ପ୍ରାରମ୍ଭିକ ସୂଚନା ପ୍ରଦାନ ସହ ସଂପାଦକୀୟ ବିବରଣୀ ପାଠ କରିଥିଲେ। ଛାତ୍ର ସଂସଦର ଅନ୍ୟାନ୍ୟ ସହ ଉପଦେଷ୍ଟାଙ୍କ ମଧ୍ୟରେ ତପନ କୁମାର ନାୟକ, ସୁନୀଲ କୁମାର ପଣ୍ଡା, ପ୍ରାଧ୍ୟାପିକା ସଂଯୁକ୍ତା ବୋଷ କାର୍ଯ୍ୟକ୍ରମର ସଫଳ ରୂପାୟନ ଦିଗରେ ସହଯୋଗ କରିଥିଲେ। ଏହି ଅବସରରେ ମନ୍ତ୍ରୀଙ୍କ ଦ୍ୱାରା ଚରମ୍ପା କଲେଜର ବିଜ୍ଞାନ ଓ କଳା ବିଭାଗର ନୂତନ ଶ୍ରେଣୀଗୃହର ନିର୍ମାଣର ଶୁଭ ଭିତିପ୍ରସ୍ତର ସ୍ଥାପନ, ବାଣିଜ୍ୟ ବିଭାଗର ନୂତନ ଗୃହ, ପାଚେରୀ ନିର୍ମାଣ ଓ ଅସୁରା ଠାରୁ ସାବରଙ୍ଗ ରାସ୍ତାର ଉନ୍ନତିକରଣ ଭଳି ୨୨ କୋଟି ଟଙ୍କାର ବ୍ୟୟବରାଦରେ ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍‌ଘାଟନ ଓ ଭିତିପ୍ରସ୍ତର ସ୍ଥାପନ ହୋଇଥିଲା। ପରିଶେଷରେ ଛାତ୍ର ସଂସଦର ଉପଦେଷ୍ଟା ପ୍ରାଧ୍ୟାପକ ପ୍ରମଥ କୁମାର ପାଣି ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଉତ୍ସବରେ କଲେଜର ଅଧ୍ୟାପକ-ଅଧ୍ୟାପିକ, କର୍ମଚାରୀ, ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.