Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲା ପ୍ରଶାସନର ଅଣଦେଖା ଯୋଗୁଁ ରାସ୍ତା ଅବରୋଧ କଲେ ଚାଷୀ

ଭଦ୍ରକ ଜିଲା ପ୍ରଶାସନର ଅଣଦେଖା ଯୋଗୁଁ ରାସ୍ତା ଅବରୋଧ କଲେ ଚାଷୀ

5

ଭଦ୍ରକ, ୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଇତିମଧ୍ୟରେ ଭଦ୍ରକ ଜିଲାରେ ଉପୁଜିଥିବା ଧାନକ୍ରୟ ସମସ୍ୟାର ସମାଧାନର ଅନ୍ତ ଘଟିନାହିଁ। ଫଳରେ ଶୁକ୍ରବାର ସୁଦ୍ଧା ଏହି ଧାନକ୍ରୟର କୌଣସି ସମାଧାନ ନହେଲେ ରାସ୍ତା ଅବରୋଧ କରିବାର ଚେତାବନୀ ଦେଇଥିବା ଚାଷୀମାନେ ଶେଷରେ ବନ୍ତ ବ୍ଲକ୍ ଛୟାଳସିଂ ପଂଚାୟତ ଗେଟ୍ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣା ଦେବା ସହିତ ୫୩ନଂ ରାଜ୍ୟ ରାଜପଥରେ ଧାନବସ୍ତା ରଖି ରାସ୍ତା ଅବରୋଧ କରିଥିଲେ। ଏଠାରେ ସୂଚନାଯୋଗ୍ୟ ବନ୍ତ ବ୍ଲକ୍ ଛୟାଳସିଂ ପଂଚାୟତରେ ଏବେ ଦୁଇଟି ମହାସଂଘର ବିବାଦ ଉଚ୍ଚ ନ୍ୟାୟାଳୟରେ ପହଂଚିଛି। ଯାହାଫଳରେ ଚାଷୀମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବାବେଳେ ଏହି ପଂଚାୟତର ୧୦ଟି ରାଜସ୍ୱ ଗ୍ରାମର ଧାନ ସେବା ସମବାୟ ସମିତି ମାଧ୍ୟମରେ କ୍ରୟ ହୋଇପାରୁନାହିଁ। ଫଳରେ ଚାଷୀମାନେ ଜିଲାପାଳଙ୍କ ସମେତ ବିଭାଗୀୟ ଅଧିକାରୀ ଓ ମନ୍ତ୍ରୀଙ୍କୁ ଗତ ୧୬ ତାରିଖରେ ପତ୍ର ମାଧ୍ୟମରେ ଅବଗତ କରାଇଥିଲେ ମଧ୍ୟ ୧୫ଦିନ ଅତିକ୍ରାନ୍ତ ପରେ ବି କୌଣସି ସମାଧାନ ହୋଇନଥିଲା। ଯାହାକୁ ନେଇ ଚାଷୀମାନଙ୍କ ଅଭିଯୋଗ ମୂଳେ କିଛି ଚାଷୀଙ୍କ ଟୋକନ ଅବଧି ସଂପୂର୍ଣ୍ଣ ହୋଇଥିଲେ ମଧ୍ୟ କିଛି ଚାଷୀଙ୍କ ଟୋକନ ଅବଧିର ସମୟ ଗଡିଚାଲିଛି। ଏମାନଙ୍କ ଚେତାବନୀ ମୂଳେ ଶୁକ୍ରବାର ସୁଦ୍ଧା ଚାଷୀଙ୍କ ଧାନ କିଭଳି କ୍ରୟ କରାଯିବ ସେଥିନେଇ ପ୍ରଶାସନ କୌଣସି ପଦକ୍ଷେପ ନେନବାରୁ ବାଧ୍ୟହୋଇ ଉକ୍ତ ପଂଚାୟତର ଚାଷୀ ପ୍ରଫୁଲ୍ଲ ରାଉତ, ଲମ୍ବୋଦର ରାଉତ, ମୋହନ ଘଡାଇ, ପୀତବାସ ସାହୁ, ମାଧବ ବେହେରା, ଦାମ ସାହୁ , ଖଗେଶ୍ୱର ପାତ୍ର ପ୍ରମୁଖ ଶତାଧିକ ଚାଷୀ ଶାନ୍ତିପୂର୍ଣ୍ଣ ଧାରଣା ଦେବା ସହ ରାସ୍ତା ଅବରୋଧ କରିଥିଲେ। ପରେ ଖବର ପାଇ ଦୀର୍ଘ ଦୁଇଘଂଟା ପରେ ବନ୍ତ ଅତିରିକ୍ତ ତହସିଲଦାର ପ୍ରଶାନ୍ତ ପୁହାଣ, ବନ୍ତ ଥାନାଧିକାରୀ ଶ୍ରୀବଲ୍ଲଭ ସାହୁ, ଏମ୍‌ଆଇ ଶ୍ରଦ୍ଧାଞ୍ଜଳି ମଲ୍ଲିକ, ଗଣିଜାଙ୍ଗ ସେବା ସମବାୟ ସମିତିର ସଂପାଦକ ମାନସ ପଣ୍ଡା ପ୍ରମୁଖ ପହଂଚି ଆସନ୍ତା ଦୁଇଦିନ ମଧ୍ୟରେ ଗଣିଜାଙ୍ଗ ସେବା ସମବାୟ ମାଧ୍ୟମରେ ଧାନକ୍ରୟର ପ୍ରତିଶ୍ରୁତି ଦେବା ପରେ ଏହି ରାସ୍ତା ଅବରୋଧ ହଟିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.