ଭଦ୍ରକ, ୨୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରର ସହୀଦ ସ୍ମୃତି ଭବନ ନିକଟରେ ଥିବା ନେହେରୁ ମାର୍କେଟ୍ର ଜଣେ ବ୍ୟବସାୟୀ ଗତକାଲି ରାତିରେ ତାଙ୍କ ଘରକୁ ଯିବା ରାସ୍ତାରେ ଡକାୟତମାନଙ୍କ ଛୁରାମାଡରେ ଗୁରୁତର ହୋଇଛନ୍ତି। ଏ ସଂପର୍କରେ ମିଳିଥିବା ତଥ୍ୟ ଅନୁସାରେ ଭଦ୍ରକ ନେହେରୁ ମାର୍କେଟ୍ରେ ‘କ୍ୱିନସ୍ କଲେକସନ’ ନାମକ ଏକ ଗାର୍ମେଂଟସ୍ ଦୋକାନ କରିଥିବା ବ୍ରାହ୍ମଣୀଗାଁ ନିବାସୀ ଚାନ୍ଦ ବାବୁ ଗତକାଲି ରାତିରେ ଦୋକାନ ବନ୍ଦ କରି ବାଇକ୍ ଯୋଗେ ରାଣୀତାଲ ଦେଇ ଘରକୁ ଫେରୁଥିଲେ। ବାଲିଖଣ୍ଡ ମିଲ୍ ପୋଲ ନିକଟରେ ରାତି ପ୍ରାୟ ୧୦ଟା ସମୟରେ ଏକ କେଟିଏମ୍ ବାଇକ୍ରେ ୩ ଜଣ ଯୁବକ ସାଇଡ୍ ମାରିଥିଲେ। ଫଳରେ ଚାନ୍ଦ ବାବୁ ଗାଡିରୁ ତଳକୁ ପଡିଯାଇଥିବାବେଳେ ୩ ଜଣ ଯୁବକ ତାଙ୍କୁ କାବୁ କରି ଲୁଟ୍ କରିବା ଉଦ୍ଦେଶ୍ୟରେ ପେଟ ଓ ହାତକୁ ଛୁରାମାଡ କରିଥିଲେ। ଚାନ୍ଦ ଜାକେଟ୍ ପିନ୍ଧିଥିବାରୁ ପ୍ରଥମେ କିଛି ଜାଣିପାରିନଥିଲେ। ଇତିମଧ୍ୟରେ ଯୁବକମାନେ ତାଙ୍କ ବାଇକ୍ଟିକୁ ନେଇ ପଳାଇଯିବାକୁ ଉଦ୍ୟମ କରୁଥିବାବେଳେ ଚାନ୍ଦ ରକ୍ତାକ୍ତ ହୋଇମଧ୍ୟ ଗାଡିଟିକୁ ପଛରୁ ଟାଣି ଧରିବାରୁ ସେମାନେ ତାଙ୍କୁ ଛାଡି ଫେରାର ହୋଇଯାଇଥିଲେ। ପରେ ଚାନ୍ଦ ରକ୍ତାକ୍ତ ଅବସ୍ଥାରେ ପାଖରେ ଥିବା ମାଉସୀ ଘରେ ପହଂଚିବା ପରେ ଆମ୍ବୁଲାନ୍ସ ସାହାଯ୍ୟରେ ଭଦ୍ରକ ମେଡିକାଲ ଅଣାଯାଇଥିଲା । ସେ ଏବେ ଗୁରୁତର ଭାବେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।