ଭଦ୍ରକ, ୧୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନୂଆଦିଲ୍ଲୀରେ ଓଡ଼ିଆ ମହାସଂଘ ଓ ବାଲ୍ ଜାଗୃତି ଏସୋସିଏସନ ତରଫରୁ ଆନ୍ତର୍ଜାତିକ ବାଲିଯାତ୍ରା/ବୋଇତ ବନ୍ଦାଣ ଉତ୍ସବ – ୨୦୨୩ ପରିପ୍ରେକ୍ଷୀରେ ସ୍ତମ୍ଭକାର, ନାଟ୍ୟକାର ଓ ନିର୍ଦ୍ଦେଶକ ବିଜୟ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଉତ୍ସବର ଉଦ୍ଯାପନୀ ଉତ୍ସବରେ ଶ୍ରୀ ଦାସ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିବା ଅବସରରେ ତାଙ୍କୁ ଏହି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହି ଉତ୍ସବରେ ଚଳଚ୍ଚିତ୍ର ନିର୍ଦ୍ଦେଶକ, ଅଭିନେତା ତଥା ସାଂସଦ ପ୍ରଶାନ୍ତ ନନ୍ଦ, ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ଡଃ ଦେବେନ୍ଦ୍ର ମାଝୀ, ପାଣିପାଗ ମହାନିର୍ଦ୍ଦେଶକ ଡଃ ମୃତ୍ୟୁଞ୍ଜୟ ମହାପାତ୍ର, ସାହିତ୍ୟିକ ପ୍ରଦୀପ ମହାରଥା ଏବଂ ଦିଲ୍ଳୀର ବହୁ ଗଣମାନ୍ୟ ବ୍ୟକ୍ତି ଯୋଗଦେଇଥିଲେ । ଉତ୍ସବର ନିର୍ଦ୍ଦେଶକ ଗୋବର୍ଦ୍ଧନ ଧଳଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବରେ ପ୍ରାୟ ୬ ହଜାରରୁ ଉର୍ଦ୍ଧ୍ୱ ଓଡ଼ିଆ ଯୋଗ ଦେଇଥିଲେ । ସଂସ୍କୃତି କାର୍ଯ୍ୟକ୍ରମରେ ଓଡ଼ିଶାରୁ ବହୁ ଗାୟକ ଗାୟିକା ଯୋଗ ଦେଇଥିଲେ । ଅସୀମା ପଣ୍ଡା, ସୁଜିତ ପରିଡ଼ା, ଅବିନାଶ ଦାସ, ଇପ୍ସିତା ପଣ୍ଡା ପ୍ରମୁଖ କଳାକାରଙ୍କ ସହ ବାଂଲାଦେଶର ଇନ୍ସ୍ୱାୟାର୍ ଡ୍ୟାନ୍ସ୍ ଗ୍ରୁପ୍, ଛତିଶଗଡ଼ର ମୁକ୍ତ ରକ୍ଷିତ୍ ଡ୍ୟାନ୍ସ ଗ୍ରୁପ୍, ପଶ୍ଚିମ ବଙ୍ଗର ଝୁମର ଓ ବିହୁ ଡ୍ୟାନ୍ସ ଗ୍ରୁପ୍, ଓଡ଼ିଶାର ମୟୁରୀ ସମ୍ବଲପୁରୀ ଡ୍ୟାନ୍ସ ଗ୍ରୁପ୍ର ନୃତ୍ୟଶିଳ୍ପୀମାନେ ଭାଗ ନେଇଥିଲେ । ଏହି ଅବସରରେ ଓଡ଼ିଶାର ବିଭିନ୍ନ ପ୍ରକାରର ସୁପ୍ରସିଦ୍ଧ ଖାଦ୍ୟ ପରିବେଷଣ କରାଯାଇଥିଲା ।








