Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲା ସ୍ତରୀୟ ବିଶ୍ୱ ଏଡ଼ସ୍ ଦିବସ ପାଳିତ

ଭଦ୍ରକ ଜିଲ୍ଲା ସ୍ତରୀୟ ବିଶ୍ୱ ଏଡ଼ସ୍ ଦିବସ ପାଳିତ

15

ଭଦ୍ରକ, ୧ା୧୨ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) – ୧୯୮୮ ମସିହାରୁ ଡିସେମ୍ବର ୧ ତାରିଖକୁ ପ୍ରତିବର୍ଷ ବିଶ୍ୱ ଏଡ଼ସ୍ ଦିବସ ଭାବେ ପାଳନ କରାଯାଇ ଆସୁଅଛି । ଏହି ପରିପ୍ରେକ୍ଷୀରେ ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଜରିଆରେ ଏହି ଦିବସକୁ ଏଡ଼ସ୍ ନିରାକରଣ ସଚେତନତା ଉଦ୍ଦେଶ୍ୟରେ ବିଭିନ୍ନ ଆକର୍ଷଣୀୟ କାର୍ଯ୍ୟକ୍ରମ ପାଳନ କରାଯାଇଛି । ଗାନ୍ଧିପଡ଼ିଆରେ ରେଡ଼୍ ରିବନ୍‌ରେ ଏକ ମାନବ ଶୃଙ୍ଖଳ କାର୍ଯ୍ୟକ୍ରମ ପରେ ସେଠାରୁ ଜିଲ୍ଲା ସଂସ୍କୃତି ଭବନ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ଏହି ଶୋଭାଯାତ୍ରାକୁ ଭଦ୍ରକ ଏସ୍‌.ପି. ବରୁଣ ଗୁଣ୍ଟୁପାଲି ପତାକା ପ୍ରଦର୍ଶନ କରି ଶୁଭାରମ୍ଭ କରିଥିଲେ । ଏଡ଼ସ୍ ନିରାକରଣ ନେଇ ବିଭିନ୍ନ ସ୍ଲୋଗାନ ସମ୍ବଳିତ ପ୍ଲାକାର୍ଡ଼ ଓ ବ୍ୟାନର ପ୍ରଦର୍ଶନ କରାଯାଇଥିଲା । ଏହି ଦିବସ ପାଳନ ଉପଲକ୍ଷେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସନ୍ତୋଷ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଏକ ସଚେତନତା ମୂଳକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ସହିତ ସ୍ୱାସ୍ଥ୍ୟ ହିଁ ସମ୍ପଦ ଏବଂ ଏହି ସମ୍ପଦକୁ ଏଡ଼ସ୍ ଭଳି ମାରାତ୍ମକ ବ୍ୟାଧିରୁ ସୁରକ୍ଷିତ ରଖିବା ପାଇଁ ରୋଗବିଷୟରେ ଶିକ୍ଷା ଓ ସଚେତନତା ନିହାତି ଆବଶ୍ୟକ ।

ଏହି ରୋଗର ସଂକ୍ରମଣ, ବ୍ୟାପକତା ହ୍ରାସ କରିବାକୁ ହେଲେ ସଂପୃକ୍ତ କମ୍ୟୁନିଟିକୁ ଉକ୍ତ ନିରାକରଣ ଅଭିଯାନରେ ସାମିଲ କରିବା ଜରୁରୀ ବୋଲି ମଧ୍ୟ ସେ ପ୍ରକାଶ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ, ଏ.ଡ଼ି.ପି.ଏଚ୍‌.ଓ. ଡା. ସନ୍ତୋଷ କୁମାର ପୃଷ୍ଟି, ଡି.ପି.ଏମ୍‌. ସରିତା ମହାପାତ୍ର ଏଡସ୍‌ର କାରଣ ନିରାକରଣ ଓ ମାଗଣା ଚିକିତ୍ସା ବ୍ୟବସ୍ଥା ସମ୍ବନ୍ଧରେ ଉପାଦେୟ ବକ୍ତବ୍ୟ ରଖିଥିଲେ । ଫେଲୋସିପ ର ସଭାପତି ସମାଜ ସେବୀ ଲଲାଟେନ୍ଦୁ ମହାନ୍ତି ମଧ୍ୟ ଏଡ଼ସ୍ ନିରାକରଣ ସଚେତନତା ନେଇ ବକ୍ତବ୍ୟ ରଖିଥିଲେ । ଏହି ଅଭିଯାନର ଜିଲ୍ଲା ସଂଯୋଜକ ଡି.ପି.ଏମ୍‌. ଦେବବ୍ରତ ମହାପାତ୍ର ମଞ୍ଚ ପରିଚାଳନା ଓ ଆଶା ମ୍ୟାନେଜର କଳ୍ପନା ସାମଲ ଧନ୍ୟବାଦ ଅର୍ପଣ କରିଥିଲେ । ଶୁଭମ୍ ହସ୍‌ପିଟାଲର ଅଧ୍ୟୟନରତ ନର୍ସିଂ ଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଓଡ଼ିଶୀ, ଭାରତନାଟ୍ୟମ ଓ ଏଡ଼ସ୍ ସଚେତନତା ନେଇ ଏକ କ୍ଷୁଦ୍ର ନାଟକ ପରିବେଷଣ କରାଯାଇଥିଲା । ବିଭିନ୍ନ ରେଡ଼୍‌ରିବନ୍ କ୍ଲବ୍‌ର ସଦସ୍ୟ, ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ଆଶା, ଅଙ୍ଗବାଡ଼ି କର୍ମୀ, ସ୍ୱାସ୍ଥ୍ୟ ବିଭାଗୀୟ କର୍ମଚାରୀ, ଗଣ ମାଧ୍ୟମ ପ୍ରତିନିଧି, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଏହି କାର୍ଯ୍ୟକ୍ରମରେ ଉପସ୍ଥିତଥିଲେ । ସଚେତନତା ଉଦ୍ଦେଶ୍ୟରେ ପ୍ରସ୍ତୁତ ଏକ ରଥର ପରିକ୍ରମା ଶୁଭାରମ୍ଭ କରାଯାଇଥିଲା । କେତେଜଣ ଏଡ଼ସ୍ ପୀଡ଼ିତଙ୍କୁ ଧାମରାର ଆଦାନୀ ଫାଉଣ୍ଡେସନ ତରଫରୁ କମ୍ବଳ ବଣ୍ଟନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.