Home ଜିଲ୍ଲା ପରିକ୍ରମା ଆଖଣ୍ଡଳମଣିଙ୍କ ହରଗୌରୀ ବେଶ ଦର୍ଶନ କଲେ ୪୦ ହଜାର ଭକ୍ତ, ଶିବଗଙ୍ଗା ପୁଷ୍କରିଣୀରେ ବୋଇତ ଭସାଇଲେ...

ଆଖଣ୍ଡଳମଣିଙ୍କ ହରଗୌରୀ ବେଶ ଦର୍ଶନ କଲେ ୪୦ ହଜାର ଭକ୍ତ, ଶିବଗଙ୍ଗା ପୁଷ୍କରିଣୀରେ ବୋଇତ ଭସାଇଲେ ଭକ୍ତ

15

ଭଦ୍ରକ, ୨୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପବିତ୍ର ରାହାସ ପୂର୍ଣ୍ଣିମା ପାଇଁ ସୋମବାର ଚଳଚଞ୍ଚଳ ହୋଇଉଠିଥିଲା । ଏହି ଅବସରରେ ବାବା ଆଖଣ୍ଡଳମଣିଙ୍କ ହରଗୌରୀ ବେଶ ଦର୍ଶନ ଓ ପୂଜାର୍ଚ୍ଚନା କରିବା ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ୪୦ ହଜାରରୁ ଉର୍ଦ୍ଧ୍ୱ ଭକ୍ତଙ୍କ ସମାଗମ ହୋଇଥିଲା । ଧର୍ମର ମାସ କାର୍ତ୍ତିକରେ ବ୍ରତ ରଖିଥିବା ହଜାରର ହବିଷାଳୀ ଭକ୍ତ ଶିବଗଙ୍ଗା ପୁଷ୍କରିଣୀରେ ବୋଇତ ଭସାଇବା ସହ ହରିବୋଲ ହୁଳହୁଳ ଧ୍ୱନି ଦେଇ ବୁଡ ପକାଇଥିଲେ । ଏପଟେ ରାହାସ ନୀତି ପାଇଁ ଭୋର ୪ଟାରେ ମଣିବାବାଙ୍କ ଦ୍ୱାର ଫିଟାଯିବା ସହ ମଙ୍ଗଳ ଆଳତୀ, ଘର୍ଷଣଲାଗି, ମହାସ୍ନାନ, ପଞ୍ଚ ଉପଚାର ପୂଜା, ଦିଗମ୍ବର ବେଶରେ ପହିଳି ବାଲ୍ୟଭୋଗ ଲାଗି କରାଯାଇଥିଲା । ସକାଳ ୫ଟା ଠାରୁ ଶ୍ରଦ୍ଧାଳୁ ଭକ୍ତ ସ୍ୱତନ୍ତ୍ର ବ୍ୟାରିକେଟରେ ଯାଇ ମଣିବାବାଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ । ମଧ୍ୟାହ୍ନ ୧ଟା ସୁଧା ସମସ୍ତ ସକାଳ ନୀତି ସରିବା ପରେ ମଣିବାବାଙ୍କୁ ପଞ୍ଚାନନ ବେଶ୍ ସଜ୍ଜିତ କରାଯାଇ ବଡ ଅନ୍ନନୀତି ଭୋଗ ଲାଗି କରାଯାଇଥିଲା । ପରେ ଏକଘଣ୍ଟା ଅବକାଶ (ଶୟନ) ନୀତି କରାଯାଇ ଅପରାହ୍ନ ୪ଟାରେ ଗମ୍ଭୀର ।

ଘର ସଫେଇ ପରେ ବାବାଙ୍କୁ ଓ ମାତା ପାର୍ବତୀଙ୍କୁ ଦୁର୍ଲଭ ହରଗୌରୀ ବେଶରେ ସଜ୍ଜିତ କରାଯାଇ ଭକ୍ତଙ୍କ ଦର୍ଶନ ପାଇଁ ସାହାଣମେଲା କରାଯାଇଥିଲା । ଭକ୍ତମାନଙ୍କର ଭିଡକୁ ଦୃଷ୍ଟିରେ ରଖି ଜିଲା ଓ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ବେଳେ ଆଖଣ୍ଡଳମଣି ଉଚ୍ଚ ବିଦ୍ୟାଳୟ ଓ ବାବାମଣି ଡିଗ୍ରୀ ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଧାଡିରେ ଭକ୍ତମାନଙ୍କୁ ଶୃଙ୍ଖଳିତ ଦର୍ଶନ କରାଇଥିଲେ । ତାହା ସହ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ସ୍ୱତନ୍ତ୍ର ବ୍ୟାରିକେଟ୍ ବ୍ୟବସ୍ଥା କରାଯାଇଥିବାବେଳେ ଶିବଗଙ୍ଗା ପୁଷ୍କରିଣୀରେ ଯେପରି ଭକ୍ତ ଓ ହଭିଷାଳିମାନେ ଶୃଙ୍ଖଳାର ସହ ବୋଇତ ଭସାଣ ଓ ସ୍ନାନ କରିବେ, ସେଥିପାଇଁ ପୁଷ୍କରିଣୀ ଚତୁଃପାଶ୍ୱର୍ରେ ଆଲୋକ ବ୍ୟବସ୍ଥା କରାଯାଇଥିଲା । ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା । ମନ୍ଦିର ପରିଚାଳକ ବିଦ୍ୟାଧର ପଲାଇ, ଟ୍ରଷ୍ଟବୋର୍ଡ ସଭ୍ୟ ସନ୍ତୋଷୀ ପାଢୀ, ସରୋଜ ଦାସ ପ୍ରମୁଖ ମନ୍ଦିର ପରିସରରେ ରହି ସମସ୍ତ କାର୍ଯ୍ୟର ତଦାରଖ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.