Home ଜିଲ୍ଲା ପରିକ୍ରମା ଭଦ୍ରକ-ଆଖଣ୍ଡଳମଣି ରାସ୍ତାର ଦୂରାବସ୍ଥା, ଧାମନଗର ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର

ଭଦ୍ରକ-ଆଖଣ୍ଡଳମଣି ରାସ୍ତାର ଦୂରାବସ୍ଥା, ଧାମନଗର ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର

16

ଭଦ୍ରକ, ୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ – ଆଖଣ୍ଡଳମଣି ସଡ଼କପଥର ଦୂରାବସ୍ଥାକୁ ନେଇ ଭାରତୀୟ ଜନତା ପାର୍ଟି ଧାମନଗର ବ୍ଲକ ତରଫରୁ ଏକ ଦାବିପତ୍ର ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କୁ ପ୍ରଦାନ କରାଯାଇଛି । ଦଳର ଅଭିଯୋଗ ହେଲା ଯେ ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଆରଡ଼ି ସ୍ଥିତ ବାବା ଆଖଣ୍ଡଳମଣି ମନ୍ଦିରକୁ ଜିଲ୍ଲା ତଥା ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଯାତ୍ରୀ ଏହି ସଡ଼କପଥ ଦେଇ ଯାତାୟତ କରିଥାନ୍ତି । ଏବେ ଏହି ୩୮ କିଲୋମିଟର ସଡ଼କ ପଥର ଶୋଚନୀୟ ଅବସ୍ଥାକୁ ଆଖିରେ ନ ଦେଖିଲେ ବିଶ୍ୱାସ କରିହେବ ନାହିଁ । ସଡ଼କଟିର ବିଭିନ୍ନ ସ୍ଥାନରେ ଗାଢ଼ ଖାଲ ଯାତାୟତରେ ପ୍ରତିବନ୍ଧକ ସାଜିଛି । ରାସ୍ତାଟି ଦିନକୁ ଦିନ ବିପର୍ଯ୍ୟସ୍ତ ହୋଇ ଧନଜୀବନ ହାନିର କାରଣ ପାଲଟିଛି । ଏହି ରାସ୍ତାଟିର ମଧ୍ୟବର୍ତ୍ତୀ କାଳୀନ ମରାମତି ପାଇଁ ଧାମନଗରର ବିଧାୟକ ସୂର୍ଯ୍ୟବଂଶୀ ସୁରଜ ମୁଖ୍ୟ ଶାସନ ସଚିବ ଓ ପୂର୍ତ୍ତ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାର ଏକମାସ ପରେ ବି ସେମାନଙ୍କ ପ୍ରତିଶୃତି ଅନୁସାରେ ମରାମତି କାର୍ଯ୍ୟ ଆରମ୍ଭ ହୋଇନାହିଁ । ମାତ୍ର ଗୋଟିଏ ସପ୍ତାହ ପରେ ଭଦ୍ରକ ଐତିହାସିକ କାଳୀପୂଜା ଆରମ୍ଭ ହେବ । ଏଭଳି ପରିସ୍ଥିତିରେ ଭଦ୍ରକ – ଆଖଣ୍ଡଳମଣି ରାଜ୍ୟ ରାଜପଥର ମରାମତି ପାଇଁ ବିଜେପି ଧାମନଗର ବ୍ଲକ ଶାଖା ତରଫରୁ ଜିଲ୍ଲାପାଳଙ୍କୁ ନିବେଦନ କରାଯାଇଛି । ରାସ୍ତା ମରାମତି ନ ହେଲେ ଜିଲ୍ଲାବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ପ୍ରଶାସନିକ ଉଦାସୀନତା ବିରୋଧରେ ଭାରତୀୟ ଜନତା ପାର୍ଟି ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଦଳ ପକ୍ଷରୁ ଚେତାବନୀ ଦେଇଛନ୍ତି । ବିଜେପି ଜିଲ୍ଲା ସଭାପତି ହେମନ୍ତ ପାଢ଼ୀଙ୍କ ନେତୃତ୍ୱରେ ଚତୁର୍ଭୁଜ ନାୟକ, ମନୋରଞ୍ଜନ ମଲ୍ଲିକ, ସଦାଶିବ ପୋଥାଳ, ବୈକୁଣ୍ଠନାଥ ସାହୁ, ଅଜୟ ବଳ, ରାଜୀବ ନାୟକ, ରାମଚନ୍ଦ୍ର ମିଶ୍ର, ଗୟାଧର ନାୟକ, ରାଜେନ୍ଦ୍ର କୁମାର ସାହୁ, ଶ୍ରୀକାନ୍ତ ନାୟକ, ସୁରଜ କୁମାର ସାହୁ, ବୁଦ୍ଧିରାମ ସାହୁ ପ୍ରମୁଖ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.