Home ଜିଲ୍ଲା ପରିକ୍ରମା ବୈତରଣୀ ବନ୍ୟା ଆଶଙ୍କା ନେଇ ଧାମନଗରରେ ଜିଲାପାଳଙ୍କ ସମୀକ୍ଷା, ୩୦ ଏନ୍‌ଡିଆରଏଫ୍ ଟିମ୍ ଧାମନଗରରେ ମୁତୟନ

ବୈତରଣୀ ବନ୍ୟା ଆଶଙ୍କା ନେଇ ଧାମନଗରରେ ଜିଲାପାଳଙ୍କ ସମୀକ୍ଷା, ୩୦ ଏନ୍‌ଡିଆରଏଫ୍ ଟିମ୍ ଧାମନଗରରେ ମୁତୟନ

41

ଭଦ୍ରକ, ୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଲଗାଣ ବର୍ଷା ଯୋଗୁଁ ଏହି ଜିଲାର ବୈତରଣୀ ନଦୀରେ ବଡ ବନ୍ୟା ହେବାର ଆଶଙ୍କା ଦେଖାଦେଇଛି । ଆଖୁଆପଦା ଠାରେ ଏହି ନଦୀରେ ୧୯.୫୦ ମିଟର ଉପରେ ପ୍ରବାହିତ ହେଉଛି । ଏଠାରେ ବିପଦ ସଂକେତ ସ୍ତର ୧୭.୮୩ ମିଟର । ଏଣୁ ସନ୍ଧ୍ୟା ୬ ଟା ସୁଦ୍ଧା ୧୯.୫୦ ମିଟର ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାବେଳେ ଏହାର ଜଳସ୍ତର ଆଜି ରାତିରେ ୨୦.୨୦ ମିଟରକୁ ଟପିପାରେ ବୋଲି ଜଳସଂପଦର ବିଭାଗର କନିଷ୍ଠ ଯନ୍ତ୍ରୀ ଆକଳନ କରିଛନ୍ତି । ଏଣୁ ଧାମନଗର ଅଂଚଳରେ ବନ୍ୟା ହେବା ଅଧିକ ଆଶା ନେଇ ଭଦ୍ରକ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ବିଭାଗୀୟ ଅଧିକାରୀମାନଙ୍କୁ ନେଇ ଧାମନଗର ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ ସମୀକ୍ଷା କରିଛନ୍ତି । ଏହି ବ୍ଲକ୍‌ର ୩୧ ପଞ୍ଚାୟତର କନିଷ୍ଠ ଯନ୍ତ୍ରୀ, ଗ୍ରାମପଞ୍ଚାୟତ ଅଧିକାରୀ, ଗ୍ରାମ ରୋଜଗାର ସେବକମାନେ ପଂଚାୟତ ମୁଖ୍ୟାଳୟରେ ରହି ଲୋକଙ୍କ ସମସ୍ୟା ବୁଝିବେ । ଆବଶ୍ୟକ ସ୍ଥଳେ ବିଭିନ୍ନ ବିଦ୍ୟାଳୟ ଓ ଅଙ୍ଗନୱାଡିରେ ବନ୍ୟା ବିପନ୍ନଙ୍କୁ ରଖାଯିବ । ବନ୍ୟା ମୁକାବିଲା ପାଇଁ ଦମକଳ ବାହିନୀ, ତହସିଲ ପକ୍ଷରୁ ବୋଟର ବ୍ୟବସ୍ଥା କରାଯାଇଥିବାବେଳେ ୩୦ ଜଣ ଏନଡିଆରଏଫ୍ ଟିମ୍ ଧାମନଗର ଓ ଧୁଷୁରୀରେ ଉପସ୍ଥିତ ରହି ବନ୍ୟା ମୁକାବିଲା କରିବେ ବୋଲି ଜିଲାପାଳ ସୂଚନା ଦେଇଛନ୍ତି ।

ଏହି ସମୀକ୍ଷା ବୈଠକରେ ଉପଜିଲାପାଳ ମନୋଜ ପାତ୍ର, ଅତିରିକ୍ତ ଜିଲାପାଳ ରାମଦାସ ଟୁଡୁ, ପଂଚାୟତ ସମିତି ଅଧ୍ୟକ୍ଷା ଶର୍ମିଷ୍ଠା ବେହେରା, ଏବିଡିଓ ସୁଶ୍ରୀ ଶର୍ମିଷ୍ଠା ମଲ୍ଲିକ, ଅତିରିକ୍ତ ତହସିଲଦାର ସାଇ ସିଲୋନା, ସହକାରୀ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ହେମ୍ବ୍ରମ୍‌, ଏନଏସି କାର‌୍ୟ୍ୟନିର୍ବାହୀ ଅଧିକାରୀ ଦେବୀପ୍ରସାଦ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଆଲୋଚନା କରିଛନ୍ତି । ତେବେ ବନ୍ୟା ଆସିବା ପୂର୍ବରୁ ତଳିଆ ଅଂଚଳ ଲୋକମାନେ ଉଚ୍ଚା ସ୍ଥାନକୁ ଚାଲିଯିବାପାଇଁ ଜିଲାପାଳ ନିବେଦନ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ମଲ୍ଲିମାହାରା ଓ ଗୌରାଙ୍ଗପୁର ଏସ୍‌କେପରେ ଆଜି ସନ୍ଧ୍ୟାରେ ବୈତରଣୀ ନଦୀର ବନ୍ୟା ପାଣି ପ୍ରବେଶ କରିଛି । ଫଳରେ ରାସ୍ତାରେ ପାଣି ପଶିବା ଫଳରେ ଆନନ୍ଦପୁର କଡିପଦା, ପଧାନୀ, ସୋହଡା, କରଦା ଭଳି ପଂଚାୟତ ବନ୍ୟା ପ୍ଲାବିତ ହୋଇଛି । ଏହି ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ଧାମନଗର ବିଧାୟକ ସୂର‌୍ୟ୍ୟବଂଶୀ ସୁରଜ ମଲ୍ଲିମାହାରା ଓ ଗୌରାଙ୍ଗପୁର ଏସକେପ୍ ପରିଦର୍ଶନ କରିଛନ୍ତି । ବୈତରଣୀ ନଦୀର ଉପରମୁଣ୍ଡ ଠାକୁରମୁଣ୍ଡାରେ ସର୍ବାଧିକ ୨୬୪.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଅନୁରୂପ କେନ୍ଦୁଝର ଠାରେ ୧୪୪.୮, ଚମ୍ପୁଆ ଠାରେ ୧୧୧.୪, ସ୍ୱାମୀପାଟଣା ଠାରେ ୧୭୦.୨, ଆନନ୍ଦପୁର ଠାରେ ୯୬.୨ ଓ ଆଖୁଆପଦା ଠାରେ ୬୮.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ତେବେ ଧାମନଗର ବ୍ଲକ୍‌ର ବିଭିନ୍ନ ଦୁର୍ବଳ ନଦୀବନ୍ଧ ମାନଙ୍କରେ ବାଲିବସ୍ତା ମହଜୁଦ ରଖାଯାଇଛି ବୋଲି ଧାମନଗର ଜଳସେଚନ ବିଭାଗର ଏସ୍‌ଡିଓ ବିଜୟ ସେଠୀ ଗଣମାଧ୍ୟମକୁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.