Home ଜିଲ୍ଲା ପରିକ୍ରମା ମା’ ସୁବର୍ଣ୍ଣମୁଖିଙ୍କ ଚଡକ ଯାତ୍ରା ଉଦ୍‌ଯାପିତ

ମା’ ସୁବର୍ଣ୍ଣମୁଖିଙ୍କ ଚଡକ ଯାତ୍ରା ଉଦ୍‌ଯାପିତ

34

ଭଦ୍ରକ, ୨୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ବ୍ଲକର ନେରଡା ପଞ୍ଚାୟତ ଅନ୍ତର୍ଗତ ନେରଡା ଗ୍ରାମ ବୈତରଣୀ ନଦୀ କୂଳରେ ମା’ ସୁବର୍ଣ୍ଣମୁଖିଙ୍କ ଚଡ଼କ ଯାତ୍ରା ଆଜି ଉଦ୍‌ଯାପିତ ହୋଇଯାଇଛି । ଗତ ୧୩ ତାରିଖ ନିଶାର୍ଦ୍ଧରେ ନିଶାବଳୀ ସହ ୧୪ ତାରିଖ ପଣା ସଙ୍କ୍ରାନ୍ତୀ ପ୍ରତ୍ୟୁଷରେ ଘଣ୍ଟା, କୁକ୍କୁଟ, ସୁନା ମୋକଟ, ରୂପା ମୋକଟ, ମାଟି ଘୋଡା, ଷୋଡଶଉପଚାର ପୂଜା ସହ ଯାତ୍ରା ଆରମ୍ଭ ହୋଇଥିଲା । ବିଭିନ୍ନ ସନ୍ଧ୍ୟାରେ ମେଲୋଡି ଓ ଅପେରା ଅନୁଷ୍ଠିତ ହୋଇଥିଲା । ପର୍ବପାଳନ ଦିନମାନଙ୍କରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା । ମାନସିକ ପୂରଣ ହୋଇଥିବା ଭକ୍ତଙ୍କ ପକ୍ଷରୁ ମା’ଙ୍କ ଉଦ୍ଦେଶ୍ୟରେ କୁକୁଡା ଛାଡ କରାଯାଇଥିଲା । ଏହାସହ ଚଳିତ ବର୍ଷ ନୂତନ ଭାବେ ମନାସୀଥିବା ଭକ୍ତମାନେ ଆସନ୍ତା ବର୍ଷ ମାନସିକ ପୂରଣ ହେଲେ ଆଗାମୀ ବର୍ଷ ଯାତ୍ରା ସମୟରେ ମା’ଙ୍କ ପାଇଁ ଉପଚାର କରିବେ ବୋଲି ମା’ଙ୍କୁ ଗୁହାରୀ କରୁଥିବା ଦେଖାଯାଇଥିଲା ।

ଅନ୍ତିମ ଦିବସରେ ବିପୁଳ ଲୋକଙ୍କ ସମାଗମ ହେଇଥିଲା । ଯାତ୍ରାର ଶେଷ ଦିନରେ କାଳିସୀ ମାଗୁଣି ଦଳାଇକୁ ହୋଇଥିବା ସ୍ୱପ୍ନାଦେଶ ଅନୁଯାୟୀ ବୈତରଣୀ ନଦୀରେ ଭାସମାନ ଅବସ୍ଥାରେ ଥିବା ପୂର୍ବ ବର୍ଷର ଚରଖ ଖୁଣ୍ଟି ଅଣାଯାଇ ଚରଖ ବନ୍ଧାଯାଇଥିଲା । ଚରଖ ଖୁଣ୍ଟରେ ମା’ଙ୍କୁ ପୂଜାର୍ଚ୍ଚନା କରାଯାଇ ଦୋଳି ଖେଳାଯାଇଥିଲା । ମା’ଙ୍କ ଦୋଳି ଖେଳ ପରେ ପାଟୁଆ, ଦେହୁରୀ କୃଷ୍ଣ ମାଝୀ ଓ ସାଥି ଓ ସାଧାରଣ ଭକ୍ତଗଣ ଦୋଳି ଖେଳିଥିଲେ । ବିଧିମତେ ଅନ୍ୟାନ୍ୟ ପୂଜାର୍ଚ୍ଚନା କରାଯିବା ପରେ ଯାତ୍ରା ସମାପ୍ତି ଘୋଷଣା କରାଯାଇଥିଲା । ପୂର୍ବ ଭଳି ଚରଖ ଖୁଣ୍ଟକୁ ବୈତରଣୀ ନଦୀରେ ଭସାଇ ଦିଆଯାଇଥିଲା । ପ୍ରଥା ଅନୁଯାୟୀ ଉକ୍ତ ଚରଖ ଖୁଣ୍ଟ ବନ୍ୟା ସ୍ରୋତରେ କେବେ ଭାସିଯାଏ ନାହିଁ । ଏହି ଘଟଣା ମା’ଙ୍କ ଅଲୌକିକ ଲୀଳା ମଧ୍ୟରୁ ଅନ୍ୟତମ ବୋଲି ସ୍ଥାନୀୟ ଲୋକେ ତଥା ପୂଜକ ବ୍ରଜ କିଶୋର ପଣ୍ଡା ମତ ରଖନ୍ତି । ସ୍ଥାନୀୟ ପୁଲିସ ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବିଭିନ୍ନ ବନ୍ଦୋବସ୍ତ କରାଯାଇଥିଲା । ଯାତ୍ରା କମିଟି ପକ୍ଷରୁ ସୂଚନା କେନ୍ଦ୍ର ପ୍ରତିଷ୍ଠା ହେବା ସହ ଯାତ୍ରୀମାନଙ୍କୁ ସହାୟତା ନିମନ୍ତେ ସ୍ୱେଚ୍ଛାସେବୀ ନିଯୁକ୍ତି ଦିଆଯାଇଥିଲା । ଚଡକ ଯାତ୍ରା କମିଟି ଓ ଗ୍ରାମବାସୀମାନେ ଯାତ୍ରା ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.