ଭଦ୍ରକ, ୨୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୁରୀ ଠାରେ ବେଦାନ୍ତ କମ୍ପାନୀକୁ ଅନୁଚିତ ଅନୁକମ୍ପା ପ୍ରଦର୍ଶନ କରିଥିଲା ରାଜ୍ୟରେ ଶାସନ ଗାଦିରେ ଥିବା ବିଜେଡି ସରକାର । ବେଦାନ୍ତ ବିଶ୍ୱବିଦ୍ୟାଳୟ ସ୍ଥାପନ କରିବାକୁ ରାଜ୍ୟ ସରକାର କମ୍ପାନୀକୁ ୧୫ ହଜାର ଏକର ଜମି ସମୁଦ୍ର ଉପକୂଳ ଓ ଚାଷୀଙ୍କ ଠାରୁ ଅଧିଗ୍ରହଣ କରି ପ୍ରଦାନ କରିଥିଲେ । ଏତେ ପରିମାଣର ଜମି ଯୋଗାଇବାକୁ ନେଇ କେବଳ ଓଡିଶା ନୁହେଁ ସମଗ୍ର ଭାରତବର୍ଷରେ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏହି ପ୍ରସଙ୍ଗରେ କଂଗ୍ରେସ ଆରମ୍ଭରୁ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବା ସହ ଏହାକୁ ବିରୋଧ କରି ଆସିଥିଲା । ତେବେ ସରକାରଙ୍କ ଏହି ନିଷ୍ପତ୍ତିକୁ ରାଜ୍ୟ ଉଚ୍ଚ ନ୍ୟାୟାଳୟ ବାତିଲ କରି ଦେଇଥିଲେ । ଉଚ୍ଚ ନ୍ୟାୟାଳୟଙ୍କ ରାୟ ବିରୋଧରେ ଉଭୟ ରାଜ୍ୟ ସରକାର ଓ ଅନିଲ ଅଗ୍ରୱାଲ ଫାଉଣ୍ଡେସନ ସର୍ବୋଚ୍ଚ ନ୍ୟାୟାଳୟରେ ଚାଲେଞ୍ଜ କରିଥିଲେ । କିନ୍ତୁ ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ସରକାରଙ୍କ ନିଷ୍ପତ୍ତିକୁ ଭତ୍ସନା କରିବା ସହ ଉଚ୍ଚ ନ୍ୟାୟାଳୟଙ୍କ ରାୟକୁ କାଏମ ରଖିଥିଲେ । ତେଣୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ କଟୁ ମନ୍ତବ୍ୟ ଓ ଭତ୍ସନା ପରେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବା ଉଚିତ ବୋଲି ଭଦ୍ରକ ଜିଲ୍ଲାସ୍ତରୀୟ କଂଗ୍ରେସର ଜୟ ଭାରତ ସତ୍ୟାଗ୍ରହ କାର୍ଯ୍ୟକ୍ରମରେ କଂଗ୍ରେସର ବହୁ ବରିଷ୍ଠ ନେତା ଉପସ୍ତିତ ରହି ମତବ୍ୟକ୍ତ କରିଛନ୍ତି ।
ଜିଲ୍ଲା ଉପସଭାପତି ବୈଲୋଚନ ପଣ୍ଡାଙ୍କ ସଭାପତିତ୍ୱ ଓ ପ୍ରଭାରୀ ତଥା ସୋରର ପ୍ରାକ୍ତନ ବିଧାୟକ ସୁରେନ୍ଦ୍ର ପାରମାଣିକଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ଗଣଧାରଣାରେ ଏପରି ମତ ପ୍ରକାଶ ପାଇଛି । ବାସୁଦେବପୁର କଂଗ୍ରେସ ନେତା ଅଶୋକ ଦାସ, ଭଦ୍ରକର ନଳିନୀ ମହାନ୍ତି, ଚାନ୍ଦବାଲିର ଦିଗମ୍ବର ଦାସ, ଧାମନଗର ବ୍ଳକ ସଭାପତି ଅଭିଷେକ ରାଉତ, ଜିଲ୍ଲା ମହିଳା ସଭାନେତ୍ରୀ ସବିତା ଚାନ୍ଦ, ନଗର କଂଗ୍ରେସ ସଭାପତି ଅବଦୁଲ ମୋକିଦ ଖାନ, ରାଜୀବ ଗାନ୍ଧୀ ପଞ୍ଚାୟତ ସଂଗଠନର ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ ଦାସ, ଧାମନଗର ନଗର ସଭାପତି ପ୍ରସନ୍ନ ଦାସ ପ୍ରମୁଖ ବକ୍ତବ୍ୟ ରଖି ବେଦାନ୍ତକୁ ଜମି ଦେବା ଘଟଣାରେ ରାଜ୍ୟ ସରକାରଙ୍କ ହୀନ ଚକ୍ରାନ୍ତ ସାମ୍ନାକୁ ଆସିଛି । ଚାଷୀଙ୍କ ଠାରୁ ଅଧିଗ୍ରହଣ କରିଥିବା ସମସ୍ତ ଜମିକୁ ସରକାର ଅବିଳମ୍ବେ ସେମାନଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଫେରାଇଦେବାକୁ ଦାବି କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୋଲ ଚନ୍ଦ୍ର ବେହେରା, ପ୍ରଭାତ ବାରିକ, ଦେବେନ୍ଦ୍ର ମହାନ୍ତି, ଅଶ୍ରଫ ଅଲ୍ଲୀ ଖାନ, ଲକ୍ଷ୍ମୀଧର ସାହୁ, ବିଷ୍ଣୁ ମୋହନ ପଣ୍ଡା, ଗୟାଧର ସେଠୀ, ଶଶିକାନ୍ତ ଜେନା, ରଂଜନ ଜେନା, ହେମନ୍ତ ମହାପାତ୍ର, ବିଜୟ ଶଙ୍କର ମହାନ୍ତି, ରାଜକିଶୋର ପଣ୍ଡା, ବିଜୟ ବାରିକ, ଅଜୟ ଦାସ, ନିମାଇଁ ଜେନା, ହରିହର ଖିଲାର, ବୁଦ୍ଧିରାମ ସେଠୀ, ସିଦ୍ଧାର୍ଥ ଜେନା, ହରିହର ମଣ୍ଡଳଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିବାବେଳେ, ପିତବାସ ଧଳ, ଧନ୍ୟବାଦ ଅର୍ପଣ କରିଥିଲେ ।