Home ଜିଲ୍ଲା ପରିକ୍ରମା ଜାତୀୟକବି ବାଞ୍ଛାନିଧିଙ୍କ ରାଜ୍ୟସ୍ତରୀୟ ୧୨୬ତମ ଜୟନ୍ତୀ

ଜାତୀୟକବି ବାଞ୍ଛାନିଧିଙ୍କ ରାଜ୍ୟସ୍ତରୀୟ ୧୨୬ତମ ଜୟନ୍ତୀ

15

ଭଦ୍ରକ, ୨୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଳା ସଂସ୍କୃତି ଭବନ, ଭଦ୍ରକ ଠାରେ ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ଜାତୀୟ କବି ବାଞ୍ଛାନିଧି ସ୍ମୃତି ପରିଷଦ ମିଳିତ ଆନୁକୂଲ୍ୟରେ କବିଙ୍କର ୧୨୬ତମ ଜୟନ୍ତୀ ପାଳିତ ହୋଇଯାଇଛି । ଯଥା ରୀତି ମଞ୍ଚ ମଣ୍ଡନ ଏବଂ କବିଙ୍କର ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ୱଳନ କରି ଅତିଥିମାନେ ଉତ୍ସବର ଉଦ୍‌ଘାଟନ କରିଥିଲେ । ଏକାଡେମୀ ସଦସ୍ୟ ପୂର୍ଣ୍ଣଚନ୍ଦ୍ର ବହଳୀ ସ୍ୱାଗତ ଭାଷଣ ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି, ପ୍ରଫେସର ବାବାଜୀ ଚରଣ ପଟ୍ଟନାୟକ କବିଙ୍କୁ ‘ବିପ୍ଳବର ବୈଶ୍ୱାନର’ କହି ତାଙ୍କ କବିତାର ଆହ୍ୱାନ ମନ୍ତ୍ରରେ ଜନସାଧାରଣ କିପରି ସ୍ୱାଧିନତା ସଂଗ୍ରାମରେ ଝାସ ଦେଇଥିଲେ ବ୍ୟକ୍ତ କରିଥିଲେ । ସ୍ମାରକୀ ବକ୍ତା ପ୍ରଫେସର ପବିତ୍ର ପାଣିଗ୍ରାହୀ କବି କିପରି ଉଭୟ ମହାଭାରତୀୟ ଜାତୀୟ ଚେତନା ଓ ଉତ୍କଳୀୟ ଅସ୍ମିତାର ରୂପକାର ଥିଲେ, ତାହା ଭୁରିଭୁରି କବିତାର ଦୃଷ୍ଟାନ୍ତ ଦେଇ ବ୍ୟାଖ୍ୟା କରିଥିଲେ ।

କବିଙ୍କ ସୃଷ୍ଟି ସମ୍ଭାରର ଅନ୍ୟତମ ଗବେଷକ ପ୍ରଫେସର ଡ. ଅଜୟ କୁମାର ପଣ୍ଡା କବିଙ୍କ ପତାକା ସଂଗୀତ, ପଟୁଆର ସଂଗୀତରେ ପ୍ରାସଙ୍ଗିକତା ବର୍ଣ୍ଣନା କରିଥିଲେ । ଉକ୍ତ ଉତ୍ସବରେ ପ୍ରଗତିଶୀଳ କବି ପିତାମ୍ବର ତରାଇଙ୍କୁ ସ୍ମୃତି ପରିଷଦ ତରଫରୁ ସ୍ମୃତି ଫଳକ, ଉତ୍ତରୀୟ ଓ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା । ଉତ୍ତରରେ ସେ କବିଙ୍କର ଯଶଗାନ କରିଥିଲେ । ସଭାରେ ପୌରୋହିତ୍ୟ କରି ପରିଷଦର ସଭାପତି ଡା. ଦୁର୍ଯ୍ୟୋଧନ ଦାସ କବିଙ୍କୁ ସଂଗ୍ରାମ – ସଂସ୍କାର ଓ ସ୍ୱାଭିମାନର ମଉଡ଼ମଣି ବୋଲି କହିଥିଲେ । ଉତ୍ସବରେ ବାଞ୍ଛାନିଧିଙ୍କ ରଚନାରୁ ଦୁଇଟି ସଂଗୀତ ଭଦ୍ରକ ସଂଗୀତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପରିବେଷଣ କରିଥିଲେ । ଏଥିରେ ଶତାଧିକ ବୁଦ୍ଧିଜୀବୀ, ଲେଖକ, କବି ଓ ଅଧିବକ୍ତା ଯୋଗଦାନ କରିଥିଲେ । ଅନୁଷ୍ଠାନର ସମ୍ପାଦକ ରତିକାନ୍ତ ବେହେରା ସମ୍ପାଦକୀୟ ବିବରଣୀ ପାଠ, ଅଧ୍ୟାପକ କିଶୋର ପାଣିଗ୍ରାହୀ ମାନପତ୍ର ପାଠ, କବିଙ୍କ ବଡ଼ନାତି ପୂର୍ଣ୍ଣଚନ୍ଦ୍ର ମହାନ୍ତି ସଂଯୋଜନା କରିଥିବା ବେଳେ ସହ ସମ୍ପାଦକ କବିଙ୍କ ନାତି କୃଷ୍ଣ ଚନ୍ଦ୍ର ମହାନ୍ତି ଧନ୍ୟବାଦ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.