Home ଜିଲ୍ଲା ପରିକ୍ରମା ଧାମନଗର ବ୍ଳକର ଅଙ୍ଗନୱାଡ଼ି କେନ୍ଦ୍ରର ଗତି କୁଆଡ଼େ, ଏବେବି ପିଲା ବାରଣ୍ଡାରେ ବସି ପାଠ ପଢୁଛନ୍ତି,...

ଧାମନଗର ବ୍ଳକର ଅଙ୍ଗନୱାଡ଼ି କେନ୍ଦ୍ରର ଗତି କୁଆଡ଼େ, ଏବେବି ପିଲା ବାରଣ୍ଡାରେ ବସି ପାଠ ପଢୁଛନ୍ତି, ସରକାର ଓ ବିଭାଗ ନିରବ ଦ୍ରଷ୍ଟା!

47

ଭଦ୍ରକ, ୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାର ଅଙ୍ଗନୱାଡ଼ି କେନ୍ଦ୍ରକୁ ଗୁରୁତ୍ୱଦେଇ ବିଭିନ୍ନ କେନ୍ଦ୍ରରେ କୋଠା ନିର୍ମାଣ କରି ସେଠାରେ ଛୋଟ ଛୋଟ କୋମଳମତି ପିଲାମାନଙ୍କୁ ପାଠ ପଢାଇବାର ବ୍ୟବସ୍ଥା କରିବା ସହ ସେମାନଙ୍କୁ ଅଙ୍ଗନୱାଡ଼ି କେନ୍ଦ୍ରକୁ ଆସିବାପାଇଁ ବିଭିନ୍ନ ପ୍ରକାର ଆକର୍ଷଣ ପାଇଁ ଖେଳ ସାମଗ୍ରୀ ଦିଆଯାଉଥିବାବେଳେ ଧାମନଗର ବ୍ଲକରେ ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକ ଗତି ତଳକୁ ତଳକୁ ଯାଉଛିବୋଲି ଅନୁମାନ କରାଯାଉଛି। ପ୍ରକାଶ ଥାଉକି ଧାମନଗର ବ୍ଳକର ମହିଳା ଓ ଶିଶୁ ସମ୍ମନିତ ବିକାଶ ଯୋଜନା ଅଧିନରେ ୩୫୩ ଅଙ୍ଗନୱାଡ଼ି କେନ୍ଦ୍ର ଥିବାବେଳେ ସେଥିରୁ ୫୮ଟି ମିନି ଅଙ୍ଗନୱାଡ଼ି କେନ୍ଦ୍ର ରହିଅଛି। ଏଥିରୁ ୧୫୬ଟି ଅଙ୍ଗନୱାଡ଼ିକେନ୍ଦ୍ର ନିର୍ମାଣ କରାଯାଇ ସେଠାରେ ୩ବର୍ଷରୁ ୫ବର୍ଷ ଭିତରେ କୁନି କୁନି ପିଲାମାନେ ଶିକ୍ଷା ଦିଆଯାଇଥାଏ। ହେଲେ ବ୍ଲକର ପ୍ରାୟ ୫୧ଟି ଅଙ୍ଗନୱାଡ଼ି କେନ୍ଦ୍ରରେ ଜାଗା ଚିହ୍ନଟ ହୋଇପାରୁନଥିବାରୁ ସେଠାରେ ଆଜିସୁଦ୍ଧା ଘର ତିଆରି ହୋଇପାରୁନାହିଁ। ଅପରପକ୍ଷେ ୪୨ଟି କେନ୍ଦ୍ରରେ ଗୃହ ତିଆରି କରାଯାଇ ଅଧାରୁ ଠିକାଦାର ଫେରାର ହୋଇଥିବାବେଳେ ୫ଟି ଅଙ୍ଗନୱାଡ଼ି କେନ୍ଦ୍ର ସମ୍ପୁର୍ଣ୍ଣ ତିଆରି ସରିଥିଲେ ମଧ୍ୟ ଠିକାଦାର ଘରତିଆରି ପଇସା ପାଇନଥିବାରୁ ବିଭାଗୀୟ ଅଧିକାରୀଙ୍କୁ ଚାବିକାଠି ହସ୍ତାନ୍ତର କରୁନାହାନ୍ତି।

ଫଳରେ ଅନେକ ସ୍ଥାନରେ କୁନି କୁନି ପିଲାମାନେ ବର୍ଷା, ଖରା ଓ ଶୀତରେ ନାହିଁ ନଥିବା ଅସୁବିଧାରେ ପଡ଼ି ବାରଦୁଆର ଷୁଣ୍ଢିପିଣ୍ଢା ହୋଇ ପାଠ ପଢୁଛନ୍ତି। ଘରନଥିବାରୁ ଆଜି କାହା ପିଣ୍ଢାରେ ତ କାଲି କାହା ଘରେ, କେବେ ମନ୍ଦିରରେ ତ କେବେ କ୍ଲବ ଘରେ ବସି ପାଠ ପଢୁଛନ୍ତି। ଏମିତିକି ଦୋବଲ ପଂଚାୟତର ୭ଟି ଅଙ୍ଗନୱାଡ଼ି କେନ୍ଦ୍ର ଥିଲେ ମଧ୍ୟ ଆଜିସୁଦ୍ଧା ଗୋଟିଏବି ଘର ସମ୍ପୁର୍ଣ୍ଣ ହୋଇପାରିଲା ନାହିଁ। କେତେକ କେନ୍ଦ୍ରରେ ଇଟାଖଣ୍ଡେ ଜୋଡ଼ାହୋଇନଥିବାବେଳେ ଆଉ କେଉଁକେନ୍ଦ୍ରରେ ଅଧାଘର ତିଆରିହୋଇ ପଡ଼ିରହିଛି। ସୋଧ ଠାରେ ବାହୁବଳେନ୍ଦ୍ର ସାହି ଅଙ୍ଗନୱାଡ଼ି କେନ୍ଦ୍ରର ଗୃହ ସ୍ଥାନୀୟ ସ୍କୁଲରେ ଗୃହ ନିର୍ମାଣ ଚାଲିଥିଲେ ମଧ୍ୟ କୋର୍ଟରେ ମାମଲା ଥିବାରୁ ସେଠାରେ ମଧ୍ୟ ଘର ଅଧାରୁ ବନ୍ଦ ହୋଇଛି। ଏପରିକି ଅଙ୍ଗନୱାଡ଼ି କେନ୍ଦ୍ରର ସ୍ଥାୟିଗୃହ ସବୁ ନଥିବାରୁ କେନ୍ଦ୍ରକୁ ମିଳୁଥିବା ସରକାରୀ ଯୋଜନାର ଚାଉଳ, ଅଣ୍ଡା, ଛତୁଆ ଇତ୍ୟାଦିକୁ କର୍ମୀମାନେ ଏଣେତେଣେ ରଖିବାକୁ ପଡ଼ୁଛି। ସେଥିମଧ୍ୟରୁ ଅନେକ ସାମଗ୍ରୀ ମଧ୍ୟ ବାଟମାରଣ ହେଉଥିବାର ଅଭିଯୋଗ ହେଉଛି। ପିଲାମାନଙ୍କୁ ରୋଷେଇ କରି ଖାଦ୍ୟଦେବାର ବ୍ୟବସ୍ଥା ଥିବାବେଳେ ରୋଷେଇଘର ନଥିବାରୁ ଅନେକ ସମୟରେ ହଇରାଣ ହେବାକୁ ପଡ଼ୁଛି। ଏଣୁ ଏଦୀଗରେ ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟିଦେଇ ଧାମନଗର ବ୍ଲକରେ ଅଙ୍ଗନୱାଡ଼ିକେନ୍ଦ୍ରର ଜାଗା ସମସ୍ୟା, ଅଧାପନ୍ତରିଆ ଘର ଓ ମୋଟେ ଘର ତିଆରି ହୋଇନଥିବା କେନ୍ଦ୍ର ପ୍ରତି ଗୁରୁତ୍ୱ ଦେଇ ତୁରନ୍ତ ସମସ୍ୟାକୁ ସମାଧାନ କରିବାପାଇଁ ବିଭିନ୍ନ ମହଲରେ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.