ଜଣେ ଚୋର ମନରେ ପରିବର୍ତ୍ତନର ଭାବନା ଜାଗ୍ରତ ହେଲା। ଆତ୍ମକଲ୍ୟାଣ ପାଇଁ କେଉଁମାନଙ୍କ ସେବା କଲେ ଉଚିତ ହେବ ବୋଲି ସାଧୁଙ୍କୁ ପଚାରିଲା। ସାଧୁ କହିଲେ-ସାଧୁମାନେ ହେଉଛନ୍ତି ତ୍ୟାଗୀ, ତେଣୁ ସାଧୁମାନଙ୍କ ସେବା କଲେ ତୁମର କଲ୍ୟାଣ ହେବ। ତା’ପରେ ଚୋରଟି ଜଣେ ବ୍ରାହ୍ମଣଙ୍କୁ ପଚାରିଲା, ବ୍ରାହ୍ମଣ କହିଲେ- ବ୍ରାହ୍ମଣ ସମସ୍ତଙ୍କର ଗୁରୁ ତେଣୁ ତୁ ବ୍ରାହ୍ମଣମାନଙ୍କ ସେବା କଲେ ତୋର କଲ୍ୟାଣ ହେବ। ଚୋର ମନ ନବୁଝିବାରୁ ସେ ଜଣେ ସନ୍ନ୍ୟାସୀଙ୍କୁ ପଚାରିଲା, ସନ୍ନ୍ୟାସୀ କହିଲେ-ସନ୍ନ୍ୟାସୀ ହେଉଛି ସମସ୍ତ ବର୍ଣ୍ଣର ଗୁରୁ ତେଣୁ ସନ୍ନ୍ୟାସୀଙ୍କ ସେବା କଲେ ତୁମର ମଙ୍ଗଳ ହେବ। ଚୋରଟି ଯାହାର ପରାମର୍ଶ ନେବାକୁ ଯାଉଥାଏ ସେଠାରେ ତାକୁ ପକ୍ଷପାତିତା ଥିବାର ଦେଖାଯାଉଥାଏ। ଏପରି ଦେଖି ସେ ଭାବିଲା ଉପାୟ ମିଳିଗଲା, ଯଦି ସାଧୁ ସାଧୁମାନଙ୍କର ସେବା କରିବାକୁ କହୁଛନ୍ତି, ସନ୍ନ୍ୟାସୀ ସନ୍ନ୍ୟାସୀ ମାନଙ୍କ ସେବା କରିବାକୁ କହୁଛନ୍ତି, ବ୍ରାହ୍ମଣ ବ୍ରାହ୍ମଣମାନଙ୍କର ସେବା କରିବାକୁ କହୁଛନ୍ତି ତେବେ ମୁଁ ତ ଚୋର, ଚୋରମାନଙ୍କର ସେବା ନ କରିବି କାହିଁକି ? ତେଣୁ ସେ ପ୍ରଥମେ ସବୁ ଚୋରମାନଙ୍କୁ ଭୋଜି ଦେବା ପାଇଁ ନିମନ୍ତ୍ରଣ କଲା। ସେ ଚୋର ଘର ପାଖରେ ଜଣେ ସନ୍ଥ ରହୁଥିଲେ। ସେ ଭାବିଲେ ଚୋର ପରିବର୍ତ୍ତନ ହୋଇ ଭଲ ମଣିଷ ହେବ ବୋଲି ମୁଁ ତାକୁ ବୁଝାଉଥିଲି। ସେ କଣ ଆଖପାଖର ସବୁ ଚୋରଙ୍କୁ ଡାକି ଭୋଜି ଦେଲାଣି, ତେଣୁ କିଛି ଗୋଟେ କରିବାକୁ ପଡିବ। ଚୋର ଘରେ ରୋଷେଇ ସରିଲା ପରେ, ରୋଷେଇଆ ଭାତ ରାନ୍ଧିସାରି ପେଜକୁ ନାଳରେ ଢାଳି ଦେଇଥିଲେ। ସେହି ନାଳରେ ଥିବା ପେଜରେ ସନ୍ଥ ହାତ ଧୋଇବାକୁ ଲାଗିଲେ। ଏହା ଦେଖି ଚୋର କହିଲା ବାବା ଏ କ’ଣ କରୁଛନ୍ତି ? ସନ୍ଥ କହିଲେ-ତୁମକୁ କ’ଣ ଦେଖାଯାଉନି କି ? ହାତ ଧୋଉଛି। ଚୋର ଜଣକ ଯେତେ ବାରଣ କଲେ ମଧ୍ୟ ସନ୍ଥ କିଛି ଶୁଣିଲେ ନାହିଁ। ଶେଷରେ ଚୋର କହିଲା-ଏହା ପେଜ, ଏଥିରେ କଣ ହାତ ଧୋଉଛନ୍ତି ବରଂ ଏଥିରେ ହାତ ଅଧିକ ମଇଳା ହୋଇଯିବ। ସନ୍ଥ କହିଲେ-ଯଦି ମୋ ହାତରେ ଥିବା ମଇଳାକୁ ମଇଳା ପାଣିରେ ଧୋଇଲେ ଅଧିକ ମଇଳା ହୋଇଯିବ, ତେବେ ଚୋରମାନେ କ’ଣ ଅଧିକ ନିର୍ମଳ ଓ ଶୁଦ୍ଧ ? ସେମାନଙ୍କ ସେବା କଲେ ତୁମର କଲ୍ୟାଣ ହେବ କି ? ଏହା ଶୁଣି ଚୋରର ଚେତନା ପଶିଲା ଯେ ବାବାଜୀ ସତ କହୁଛନ୍ତି। ଚୋର କହିଲା-ତେବେ କାହାର ସେବା କଲେ କଲ୍ୟାଣ ହେବ ? ସନ୍ଥ କହିଲେ-ଯାହାଙ୍କର କୌଣସି ପକ୍ଷପାତିତା ନଥିବ, ଆଚରଣ ଶୁଦ୍ଧ ହୋଇଥିବ ଓ ତାଙ୍କ ହୃଦୟରେ କଲ୍ୟାଣ କରିବାର ଭାବନା ଥିବ ତାଙ୍କ ଉପଦେଶ ମାନି କାର୍ଯ୍ୟକଲେ ଓ ସେବା କଲେ ତୁମର କଲ୍ୟାଣ ହେବ।
ଡ. ଗଣେଶ ଚନ୍ଦ୍ର କୁଣ୍ଡ
ପଟାମୁଣ୍ଡାଇ, କେନ୍ଦ୍ରାପଡ଼ା