ଭଦ୍ରକ, ୨୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ମତଦାନ ଗତକାଲି ସରିଥିଲା । ହେଲେ କଟସାହି ପଞ୍ଚାୟତ ୧ନଂ ବୁଥ୍ରେ ଏଜେଣ୍ଟ ବାଲାଟ୍ କାଗଜ ଧରି ଦୌଡି ପଳାଇବା ସମୟରେ ଉତ୍ତେଜନା ଓ ଗଣ୍ଡଗୋଳ ଯୋଗୁଁ ସେଠାରେ ମତଦାନକୁ ବନ୍ଦ କରାଯାଇଥିଲା । ସେହିପରି ଅର୍ଜୁନପୁର ପଂଚାୟତ ୪ ଓ ପଧାନୀ ପଂଚାୟତ ୬ ନଂ ବୁଥ୍ ଜବରଦଖଲ ହାତେଇଥିବା ଅଭିଯୋଗ ହୋଇଥିଲା । ଏହି ୩ଟି ପଞ୍ଚାୟତରେ ୩ଟି ବୁଥ୍ରେ ଆଜି ସାନି ମତଦାନ କରାଯାଇଛି । ପୂର୍ବାହ୍ନ ୧୦ ରୁ ମଧ୍ୟାହ୍ନ ୩ଟା ପର୍ଯ୍ୟନ୍ତ ଏହିସବୁ ବୁଥ୍ରେ ଶାନ୍ତିଶୃଙ୍ଖଳା ସହିତ ମତଦାନ କରାଯାଇଛି । ପ୍ରଶାସନ ଏହି ୩ଟି ବୁଥ୍ରେ କଡା ପୁଲିସ୍ ପ୍ରହାର କରିଥିଲା । ଜିଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂହ ମୀନା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜିତେନ୍ଦ୍ର ପଣ୍ଡା, ଡିଏସ୍ପି ଅସିତ୍ ପାଣିଗ୍ରାହୀ, ଏସ୍ଡିପିଓ ବିଜୟକୃଷ୍ଣ ମହାପାତ୍ର, ଧୁଷୁରୀ ଓ ଧାମନଗର ଥାନାଧିକାରୀଙ୍କ ସମେତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୁର୍ଗାଚରଣ ମୁର୍ମୁ, ତହସିଲଦାର କ୍ଷୀରୋଦ ପଣ୍ଡା, ଅତିରିକ୍ତ ତହସିଲଦାର ଅନୁପ ବେହେରା ପ୍ରମୁଖ ଏହି ବୁଥ୍ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ତେବେ ଏହିସବୁ ପଂଚାୟତରେ ସମସ୍ତ ରାଜନୈତିକ ଦଳର ଛାମୁଆ ନେତା ସେଠାରେ ଡେରା ପକାଇ ରହିଥିବାବେଳେ ପଧାନୀ ପଂଚାୟତରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା । ପଧାନୀ ପଂଚାୟତର କେତେକ ସ୍ଥାନରେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର କର୍ମୀମାନେ ରହି ମତଦାନ ହେଉଥିବା ବୁଥ୍କୁ ଅନ୍ୟ କୌଣସି ଦଳର ନେତା ଓ କର୍ମୀଙ୍କୁ ଛାଡୁନଥିବା ଅଭିଯୋଗ ହୋଇଛି । ତେବେ ଶାନ୍ତି ଓ ନିରପେକ୍ଷ ମତଦାନ ହୋଇଛି ବୋଲି ବିଡିଓ ଶ୍ରୀ ମୁର୍ମୁ ପ୍ରକାଶ କରିଛନ୍ତି ।