ଭଦ୍ରକ, ୨୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାଳନ୍ଦୀ କେବଳ ଏକ ନଦୀ ନୁହେଁ ବରଂ ସୃଜନଧାରାର ଏକ ଅଫୁରନ୍ତ ପ୍ରାଣପ୍ରବାହ । ଭଦ୍ରକର ସାରସ୍ୱତ ସ୍ରଷ୍ଟାଙ୍କୁ ଏହା ସବୁବେଳେ ଆଲୋକିତ ଓ ଆଲୋଡ଼ିତ କରି ଆସିଛି । ଚିରକାଳକୁ ଶଂଖଚିଲ ଭଳି ମାନବେତର ସତ୍ତା ସୃଜନଶୀଳ୍ପୀଙ୍କ ଲେଖନୀରେ ନୂତନ ଶୈଳୀ ଓ ଭାବ ନେଇ ରୂପାୟିତ ହୋଇଛି ବୋଲି ସାଳନ୍ଦୀ ବହିମେଳାର ପୁସ୍ତକପର୍ବରେ ବରେଣ୍ୟ ଅତିଥିମାନେ ମତ ପ୍ରକାଶ କରିଛନ୍ତି । ବହିମେଳାର ଉପସଭାପତି ହରମୋହନ କୁଅଁରଙ୍କ ପୌରୋହିତ୍ୟରେ ସଂସ୍କୃତି ଭବନରେ ଅନୁଷ୍ଠିତ ଏହି ସାରସ୍ୱତ ସଭାରେ ବିଶିଷ୍ଟ ସାହିତ୍ୟିକ ଡ. ବସନ୍ତ କୁମାର ପଣ୍ଡା ମୁଖ୍ୟ ଅତିଥି, ‘ଘାସଫୁଲ’ର ସଂପାଦକ କବି ବିଷ୍ଣୁସେଠୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ପବିତ୍ର ପାଣିଗ୍ରାହୀଙ୍କ ଉପନ୍ୟାସ ‘ମାନବେତର’, ସୁଚିତ୍ରା ପାଣିଗ୍ରାହୀଙ୍କ କବିତା ସଂକଳନ ‘ଚିରକାଳକୁ’ ଓ କିଶୋର ପାଣିଗ୍ରାହୀଙ୍କ କବିତା ପୁସ୍ତକ ‘ଶଙ୍ଖଚିଲ’ର ଉନ୍ମୋଚନ କରିଥିଲେ । ସଂପାଦକ ଅଭିଜିତ ନାୟକଙ୍କ ସଂଯୋଜନା ଓ ସଂଚାଳନାରେ ଅନୁଷ୍ଠିତ ସଭାରେ ସାଂସ୍କୃତିକ ସଂପାଦକ ସରୋଜ ବଳ ପ୍ରକାଶକୀୟ ବକ୍ତବ୍ୟ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ସମ୍ମାନୀତ ଅତିଥି ଅଧ୍ୟାପକ ବିଶ୍ୱରଂଜନ ଦାସ ଓ ଡ. ଅଭୟ ଦାସ ଯଥାକ୍ରମେ ‘ଶଙ୍ଖଚିଲ’ ଓ ‘ଚିରକାଳକୁ’ ପୁସ୍ତକର ବିଶ୍ଳେଷଣାତ୍ମକ ଆଲୋଚନା କରିଥିବାବେଳେ ମୁଖ୍ୟବକ୍ତା ବିଷ୍ଣୁ ସେଠୀ ନୂତନ ଧାରାର ଉପନ୍ୟାସ ‘ମାନବେତର’ ଉପନ୍ୟାସ ସଂପର୍କରେ ଆଲୋକପାତ କରିଥିଲେ । ମୁଖ୍ୟ ଅତିଥି ଡ. ବସନ୍ତ କୁମାର ପଣ୍ଡା ସାଂପ୍ରତିକ ସାରସ୍ୱତ ପ୍ରେକ୍ଷାପଟରେ ପୁସ୍ତକ ତ୍ରୟର ଆବେଦନ ଅନନ୍ୟ ବୋଲି ପ୍ରକାଶ କରିଥିଲେ । ପ୍ରାରମ୍ଭରେ ସୌମ୍ୟଶ୍ରୀ ପାଣିଗ୍ରାହୀ ସ୍ୱାଗତ ସଂଭାଷଣ ପ୍ରଦାନ କରିଥିଲାବେଳେ ଅଧ୍ୟାପକ ନାସିର ବକ୍ସ ଶାନ୍ତିମନ୍ତ୍ର ପାଠ ଏବଂ ଶ୍ରୀ ଭାଷା ଓ ଭାଗ୍ୟଶ୍ରୀ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ଲେଖକ ତ୍ରୟ ଲେଖକୀୟ ବକ୍ତବ୍ୟ ରଖିଥିଲେ । ସଭାର ଶେଷ ସ୍ପର୍ଶ ଦେଇଥିଲେ ସତ୍ୟଶ୍ରୀ ପାଣିଗ୍ରାହୀ । ବହିମେଳା ତରଫରୁ ମଂଚାସୀନ ଅତିଥି ତଥା ଲେଖକ ତ୍ରୟଙ୍କୁ ଉପଢ଼ୌକନ ଓ ଭଦ୍ରକ ଐତିହ୍ୟର ପ୍ରତୀକ ପାଳୁଅ ଲଡ଼ୁ ପ୍ରଦାନ କରାଯାଇଥିଲା ।