କେନ୍ଦ୍ରାପଡ଼ା ୨୨ -୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଜଣେ ଗରିବ ଅସହାୟ ଦିନମଜୁରିଆ ରୋଗଗସ୍ତ ପରିବାରକୁ କେନ୍ଦ୍ରାପଡା ବିଡିଓ ଅଶ୍ୱିନୀ କୁମାର ଦାସ ସହାୟତା ପ୍ରଦାନ କରିଛନ୍ତି। କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭାଗବତପୁର ପଞ୍ଚାୟତର ଶ୍ୟାମସୁନ୍ଦରପୁର(ମେଳକସାହି)ଗ୍ରାମର ପଦ୍ମନାଭ ରାଉତ ଜଣେ ଗରିବ ଦିନମଜୁରିଆ ଶ୍ରେଣୀର। ମୂଲଲାଗି ନିଜ ପରିବାର ପ୍ରତିପୋଷଣ କରୁଥିବା ପଦ୍ମନାଭଙ୍କ ପତ୍ନୀ ପ୍ରମିଳା ରାଉତ ଜଣେ ପକ୍ଷାଘାତ ରୋଗୀ। ଚାଳଛପର ଘରେ ବାସ କରୁଥିବା ପଦ୍ମନାଭଙ୍କ ଘରଟି ଗତ ଲଗାଣ ବର୍ଷାରେ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବାରୁ ସରପଞ୍ଚ ତାଙ୍କୁ ସ୍ଥାନୀୟ ବିଦ୍ୟାଳୟରେ ରହିବାର ବ୍ୟବସ୍ଥା କରିଛନ୍ତି। ଏତଦବ୍ୟତିତ ପଦ୍ମନାଭବି ରୋଗଗସ୍ତ ହୋଇ ପଡିଛନ୍ତି। ଏଭଳି ପରିସ୍ଥିତି ଦେଖି ଭାଗବତପୁର ସରପଞ୍ଚ ଧରଣୀଧର ଦାସ ଏସମ୍ପର୍କରେ କେନ୍ଦ୍ରାପଡା ଜିଲ୍ଲାପାଳ, ତହସିଲଦାର ଓ ବିଡିଓଙ୍କୁ ଜଣାଇ ପଦ୍ମନାଭଙ୍କୁ ସରକାରୀ ସହାୟତା ପ୍ରଦାନ ପାଇଁ ନିବେଦନ କରିଥିଲେ। କେନ୍ଦ୍ରାପଡା ବିଡିଓ ଅଶ୍ୱିନୀ କୁମାର ଦାସ ଶୁକ୍ରବାର ପଦ୍ମନାଭଙ୍କ ଭଙ୍ଗାଘର ନିକଟରେ ପହଞ୍ଚି ଓଡିଶା ଜୀବିକା ମିଶନ ପାଣ୍ଠିରୁ ୫ହଜାର ଟଙ୍କାର ସହାୟତା ଓ ଏକ ଜରିପାଲ ପ୍ରଦାନ କରିବା ସହ ତାଙ୍କୁ ଗ୍ରାମୀଣ ଆବାସ ଯୋଜନାରେ ଏକ ଗୃହ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି। ବିଡିଓ ଶ୍ରୀ ଦାସଙ୍କ ସହିତ ଏବିଡିଓ ଅନିରୁଦ୍ଧ ବେହେରା, ସରପଞ୍ଚ ଧରଣୀଧର ଦାସ ସହାୟତା ପ୍ରଦାନ ସମୟରେ ଉପସ୍ଥିତ ଥିଲେ।