“ଓଲୁଅ ପରି ବଢ଼ିଯା, ବଣସାରୁ ପରି ମାଡ଼ିଯା, ଜୀଁ ଜୀଁ ; ବଜ୍ର ହୋ। ବଜ୍ର ହୋ”
ଆଜି ଷଷ୍ଠୀ ଓଷା। ଷଷ୍ଠୀ ଓଷା ଓଡ଼ିଶାରେ ପାଳିତ ଏକ ପାରମ୍ପାରିକ ଓଷା। ଏହାକୁ ଷଠି ଓଷା ବା ଷଠୀ ବ୍ରତ ମଧ୍ୟ କୁହାଯାଏ। ଷଷ୍ଠୀ ଓଷାକୁ ଯାଜପୁର ଅଞ୍ଚଳରେ ନେଙ୍କୁଡ଼ିଆ ଷଠି ବୋଲି କୁହନ୍ତି। ଭାଦ୍ରବ ଶୁକ୍ଳ ଷଷ୍ଠୀ ଦିନ (ଗଣେଶ ପୂଜାର ଦୁଇ ଦିନ ପରେ) ଷଠି ଓଷା ପାଳନ ହୁଏ। ଷଠୀ ଠାକୁରାଣୀଙ୍କୁ ଓଡ଼ିଶାରେ ଜନ୍ମଦେବୀ ବୋଲି କୁହାଯାଏ। ଗାଁ’ ଗଣ୍ଡାରେ ମା’ ମାନେ ଷଠୀ ଦେବୀଙ୍କୁ ପୂଜା କରିଥାଆନ୍ତି। ଷଠୀ ଠାକୁରାଣୀଙ୍କୁ ପିଲାଙ୍କ ଭଲ ମନ୍ଦ ପାଇଁ ମା’ ମାନେ ପୂଜିଥାଆନ୍ତି। ସକାଳେ ଶିବଙ୍କ ପାଇଁ ସୋମନାଥ ବ୍ରତ ହୁଏ। ଭାତ, ଡାଲି, ମାଛ ଭଜା, ଚକୁଳି ପିଠା, ଦୁଇ ପ୍ରକାର ଶାକାହାରୀ ତରକାରୀ ଭଳି ଛଅ ପ୍ରକାର ଖାଦ୍ୟ ରନ୍ଧାହୁଏ। ଶିଳ ପୁଆକୁ ହଳଦୀ କନାରେ ବନ୍ଧାଯାଏ ଓ ତା’ ଉପରେ ହଳଦୀ ରଖାଯାଏ। ଅପାମାରଙ୍ଗ, ବାଉଁଶ, ଧାନ, ବଜ୍ରମୂଳୀ, ସାରୁ ଆଦି ପାଞ୍ଚ ପ୍ରକାର ଗଛକୁ ସଂଗ୍ରହ କରି ଏକାଠି କରି ବନ୍ଧାଯାଏ। ଗୋଟେ ପୂର୍ଣ୍ଣ କୁମ୍ଭ ଏବଂ ତା’ ପାଖରେ ଗଳି ଗୁଆ, ସିନ୍ଦୁର ଫରୁଆ, କଜଳ ପାତି ରଖାଯାଏ। ଦୁବ, ବରକୋଳି ପତ୍ର ଓ ଅରୁଆ ଚାଉଳରେ ଘରେ ଥିବା ମା’ ଏବଂ ଅନ୍ୟାନ୍ୟ ସ୍ତ୍ରୀ ଲୋକ ଗୁରୁଜନ ମାନେ ଲଘୁଜନ ମାନଙ୍କୁ ବନ୍ଦାପନା କରନ୍ତି। ସମସ୍ତେ ପୂଜା ହୋଇଥିବା ହଳଦୀ କନାକୁ ହାତରେ ବାନ୍ଧନ୍ତି ।
ଷଠି ବାଡ଼ିଆ –
ସନ୍ଧ୍ୟାରେ ଅପାମାରଙ୍ଗ, ବାଉଁଶ, ଧାନ, ବଜ୍ରମୂଳୀ, ସାରୁ ଆଦି ପାଞ୍ଚ ପ୍ରକାର ଗଛକୁ ଏକାଠି କରି ବାନ୍ଧିଥିବା ଗୋଛାରେ ଶିଶୁମାନଙ୍କ ରକ୍ଷା ବିଧାନାର୍ଥ ତାଙ୍କ ପିଠିରେ ମା’ ଏବଂ ଅନ୍ୟ ବୟସ୍କ ସ୍ତ୍ରୀ ଲୋକମାନେ ଧୀରେ ଧୀରେ ବାଡ଼ାନ୍ତି। ଏହାକୁ “ଷଠି ବାଡ଼ିଆ” କୁହାଯାଏ। ଏହା ଦ୍ୱାରା ଶିଶୁ ମାନଙ୍କର ସମସ୍ତ ବାଳରିଷ୍ଟ ଖଣ୍ଡିତ ହୁଏ ବୋଲି ବିଶ୍ୱାସ ରହିଛି। ଏହି ସମୟରେ ଷଠି ବାଡ଼ିଆ କରୁଥିବା ମହିଳାମାନେ ବୋଲନ୍ତି – “ଓଲୁଅ ପରି ବଢ଼ିଯା, ବଣସାରୁ ପରି ମାଡ଼ିଯା, ଜୀଁ ଜୀଁ ; ବଜ୍ର ହୋ। ବଜ୍ର ହୋ”
/- ଦେବଦତ୍ତ ରଥ