ଭଦ୍ରକ, ୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲାପାଳ ଡ. ଜ୍ଞାନ ଦାସଙ୍କ ନିର୍ଦ୍ଦେଶ କ୍ରମେ ଓ ଅବକାରୀ ଅଧୀକ୍ଷକ ପ୍ରଦୀପ୍ତ କୁମାର ଦାସଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଆଜି ଜିଲା ଅବକାରୀ ବିଭାଗ ପକ୍ଷରୁ ଭ୍ରାମ୍ୟମାଣ ଭାରପ୍ରାପ୍ତ ଅଧିକାରୀ ବ୍ରଜମୋହନ ମଲ୍ଲିକଙ୍କ ନେତୃତ୍ୱରେ ଗଠିତ ଏକ ସ୍ୱତନ୍ତ୍ର ଟିମ୍ ୩୦୦ ଲିଟର ଦେଶୀ ମଦ ବୋଝେଇ ଏକ ଅଟୋ ଜବତ କରିବା ସହ ଜଣକୁ ଗିରଫ କରିଛନ୍ତି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଏହି ଟିମ୍ ଆଜି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ୧୬ନଂ ଜାତୀୟ ରାଜପଥର ରାଣୀତାଲ ଛକ ନିକଟରେ ପାଟ୍ରୋଲିଂ କରୁଥିବା ସମୟରେ ବାଲେଶ୍ୱର ଆଡୁ ଭଦ୍ରକ ଆସୁଥିବା ଓଡି-୦୨-ଏଟି- ୨୧୬୫ ନମ୍ବରର ଯାତ୍ରୀବାହୀ ଅଟୋରୁ ୩୦୦ ଲିଟର ଦେଶୀ ରନ୍ଧାମଦ ଜବତ କରିବା ସହ ଏଥିରେ ସଂପୃକ୍ତ ସହୀଦନଗର ଥାନା ଅଧୀନସ୍ଥ ପଥରବନ୍ଧ ଗ୍ରାମର କାର୍ତ୍ତିକ ସିଂ ଙ୍କୁ ଗିରଫ କରିଛନ୍ତି । ଜବତ ମଦ ଓ ଗାଡିର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଏହି ଚଢାଉରେ ଏଏସ୍ଆଇ ଭବେଶ ଦାସ, ପ୍ରହ୍ଲାଦ ସାମଲ, କନେଷ୍ଟବଳ ପ୍ରଦୀପ ମଲ୍ଲିକ, ସତ୍ୟରଂଜନ ସେଠୀ, ଖଗେଶ୍ୱର ଜେନା, ଅନବାଦିତ୍ୟ ବାରିକ ପ୍ରମୁଖ ସାମିଲ ଥିଲେ । ଏ ନେଇ ଅବକାରୀ ବିଭାଗ ପକ୍ଷରୁ କେଶ୍ ନଂ ୭୧/୨୧ ମୂଳେ ଏକ ମାମଲା ରୁଜୁ କରାଯାଇଛି ।