Home ଜିଲ୍ଲା ପରିକ୍ରମା ଭଦ୍ରକରେ ୮୬ତମ ପୁଲିସ ପ୍ରତିଷ୍ଠା ଦିବସ ପାଳିତ

ଭଦ୍ରକରେ ୮୬ତମ ପୁଲିସ ପ୍ରତିଷ୍ଠା ଦିବସ ପାଳିତ

131

ଭଦ୍ରକ, ୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ସାଧାରଣ ଜନତାଙ୍କ ସୁରକ୍ଷା ସହ ସେମାନଙ୍କୁ ନ୍ୟାୟ ପ୍ରଦାନରେ ମୁଖ୍ୟ ଭୂମିକା ଗ୍ରହଣ କରିଆସୁଥିବା ପୁଲିସ୍ ବାହିନୀର କର୍ତ୍ତବ୍ୟ ଜନସାଧାରଣଙ୍କ ଶ୍ରଦ୍ଧାଭାଜନ ହେବା ଉଚିତ୍ । କର୍ତ୍ତବ୍ୟନିଷ୍ଠା ଓ ତ୍ୟାଗ ମନୋଭାବ ରହିଲେ ସମଗ୍ର ପୁଲିସ ବିଭାଗ ନିଜର ଶପଥପାଠର ମର୍ଯ୍ୟାଦା ବଜାୟ ରଖିବ ବୋଲି ଆଜି ୮୬ତମ ପୁଲିସ ପ୍ରତିଷ୍ଠା ଦିବସ ଉପଲକ୍ଷେ ଚରମ୍ପା ସ୍ଥିତ ରିଜର୍ଭ ପୁଲିସ ପଡ଼ିଆରେ ଅଭିବାଦନ ଗ୍ରହଣ ପୂର୍ବକ ନିଜ ବକ୍ତବ୍ୟରେ ଜିଲା ଆରକ୍ଷୀ ଅଧୀକ୍ଷକ ଚରଣ ସିଂ ମୀନା ଆହ୍ୱାନ ଦେଇଛନ୍ତି । ପବିତ୍ର ଉତ୍କଳ ଦିବସରେ ଅନୁଷ୍ଠିତ ହୋଇଥିବା ଏହି ପ୍ରତିଷ୍ଠା ଉତ୍ସବ ପ୍ରାରମ୍ଭରେ ଜିଲା ଆରକ୍ଷୀ ଅଧୀକ୍ଷକ ଅଭିବାଦନ ଗ୍ରହଣ ପରେ ଉପସ୍ଥିତ ଥିବା ପୁଲିସ ବାହିନୀଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଡିଜିପିଙ୍କ ବାର୍ତ୍ତା ପଢ଼ି ଶୁଣାଇଥିଲେ । କରୋନାର କରାଳ ଛାୟାରେ ସମଗ୍ର ବିଶ୍ୱ ଜର୍ଜରିତ ହେଉଥିବା ସମୟରେ ପୁଲିସ୍ ମଧ୍ୟ ସେଥିରୁ ବାଦ୍ ଯାଇନଥିଲା । ସେମାନେ ତାଙ୍କର କର୍ତ୍ତବ୍ୟ ପାଳନ କରୁଥିବା ସମୟରେ କରୋନା ରୋଗରେ ପୀଡିତ ହୋଇ କରୋନା ଯୋଦ୍ଧା ଭାବେ ବିବେଚିତ ହୋଇଥିଲେ । ଏହି ଯୋଦ୍ଧାମାନେ ପ୍ଲାଜମା ଦାନ କରି ବହୁ ଲୋକଙ୍କ ଅମୂଲ୍ୟ ଜୀବନ ରକ୍ଷା କରିବାରେ ସହାୟକ ହୋଇଛନ୍ତି ।

୨୦୨୦ ମସିହାର ଶ୍ରେଷ୍ଠ ସଂରକ୍ଷିତ ସଶସ୍ତ୍ର ଆରକ୍ଷୀ ପ୍ରସନ୍ନ ଶତପଥୀ, ଶ୍ରେଷ୍ଠ ଯାନବାହନ ନିୟନ୍ତ୍ରଣକାରୀ ଆରକ୍ଷୀ ସସ୍ମିତାରାଣୀ ଜେନା, ଶ୍ରେଷ୍ଠ ସାଧାରଣ ଆରକ୍ଷୀ ଦେବିକାରାଣୀ ରାଉତ, ଶ୍ରେଷ୍ଠ ସଂରକ୍ଷିତ ଆରକ୍ଷୀ ସର୍ଦ୍ଦାର ପ୍ରହ୍ଲାଦ ଚନ୍ଦ୍ର ଦାସ, ଶ୍ରେଷ୍ଠ ସହକାରୀ ଉପ ଆରକ୍ଷୀ ନିରୀକ୍ଷକ ଗୌରାଙ୍ଗ ଚରଣ ଆଇଚ, ଶ୍ରେଷ୍ଠ ଉପ ଆରକ୍ଷୀ ନିରୀକ୍ଷକ ଶ୍ରୀକାନ୍ତ କୁମାର ପତି ଓ କରୋନା ଯୋଦ୍ଧା ଭାବେ ଧାମନଗର ଥାନା ଏସ୍‌ଆଇ ମୋତିଲାଲା ମାରାଣ୍ଡି ଓ ଏଏସ୍‌ଆଇ ପ୍ରଦୀପ କୁମାର ଦାସ, ନାୟକାଣୀଡିହି ଥାନାର ଏସ୍‌ଆଇ ନିରୋଦ କୁମାର ମଲ୍ଲିକ, ଭଦ୍ରକ ସହରାଞ୍ଚଳ ଥାନାର ସିଏଏସ୍‌ଆଇ ଖଗେନ କୁମାର ମହାଳିକ, ଭଦ୍ରକ ରିଜର୍ଭ ଅଫିସ୍‌ର ଅଜୟ କୁମାର ନାୟକ, ବିଧାୟକଙ୍କ ପିଏସ୍‌ଓ କନେଷ୍ଟବଳ ସ୍ମୃତିରଂଜନ ପଣ୍ଡା, ଏସ୍‌ପିଙ୍କ ପିଏସ୍‌ଓ କନେଷ୍ଟବଳ ରାଜେଶ କୁମାର ରାଉତ, ବାସୁଦେବପୁର ଥାନାର କନେଷ୍ଟବଳ ହରେକୃଷ୍ଣ ଦୀକ୍ଷିତ, କସିଆ ସାମୁଦ୍ରିକ ଥାନାର କନେଷ୍ଟବଳ ସୁକାନ୍ତ କୁମାର ନାୟକ, ଧାମନଗର ଥାନାର ଆସିଷ୍ଟାଣ୍ଟ ଡ୍ରାଇଭର ଦେବେନ୍ଦ୍ର କୁମାର ନାୟକ, ଭଦ୍ରକ ସହରାଞ୍ଚଳ ଥାନାର ଓଏପିଏଫ୍ ରତିକାନ୍ତ ନାୟକ, ସିଏ ଏସ୍‌ଆଇ ବଳରାମ ନନ୍ଦ, ସିଏ ଏସ୍‌ଆଇ ମହେଶ୍ୱର ସ୍ୱାଇଁ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା । ଏହି ଉତ୍ସବରେ ଡିଏସ୍‌ପି ସୁନୀଲ ନନ୍ଦ, ଭଦ୍ରକ ଏସ୍‌ଡିପିଓ ସାର୍ଥକ ରାୟ, ଡିଆଇବି ଡିଏସ୍‌ପି ଡି.ଏସ୍‌. ପ୍ରତାପ, ଡିଏସ୍‌ପି ଶ୍ରୀନିବାସ ମହାନ୍ତି, ସହରାଞ୍ଚଳ ଥାନାଧିକାରୀ ଚନ୍ଦନ ଘଡେଇ, ଗ୍ରାମାଞ୍ଚଳ ଥାନାଧିକାରୀ ଆଲୋକ ଜେନା ଓ ପୁରୁଣାବଜାର ଥାନାଧିକାରୀ ଗଣେଶ୍ୱର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିବାବେଳେ ଏହି ପ୍ୟାରେଡ୍‌କୁ ରିଜର୍ଭ ଇନ୍ସିପେକ୍ଟର ମନୋରଂଜନ ତରେଇ ପରିଚାଳନା କରିଥିଲେ । ଏହି ଉତ୍ସବରେ ବହୁ ସେବାନିବୃତ୍ତ ପୁଲିସ ଅଧିକାରୀ, କର୍ମଚାରୀ ମଧ୍ୟ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.