Home Top News ଜୟ ଜଗନ୍ନାଥ: ଭକ୍ତଙ୍କ ପାଇଁ ଖୁସି ଖବର; ମାଗଣାରେ ମିଳିବ ମହାପ୍ରସାଦ ..

ଜୟ ଜଗନ୍ନାଥ: ଭକ୍ତଙ୍କ ପାଇଁ ଖୁସି ଖବର; ମାଗଣାରେ ମିଳିବ ମହାପ୍ରସାଦ ..

730

ଭୁବନେଶ୍ୱର/ପୁରୀ: ମହାପ୍ରଭୁଙ୍କ ଶ୍ରୀମହାପ୍ରସାଦ କଣିକାଏ ପାଇଲେ ଜୀବ ମୁକ୍ତିଲାଭ କରେ ବୋଲି ବିଶ୍ୱାସ ରହିଛି। ସେଥିପାଇଁ ଠାକୁରଙ୍କ ନିକଟରେ ମହାପ୍ରସାଦ ଲାଗି ହେବା ପରେ ଭକ୍ତମାନେ ଏହାକୁ ପାଇବା ପାଇଁ ଆକୂଳ ହୋଇ ଚାହିଁ ରହିଥାଆନ୍ତି। କିନ୍ତୁ, ପ୍ରତ୍ୟେକ ଭକ୍ତ ମହାପ୍ରସାଦ କିଣିବାକୁ ସମର୍ଥ ହେଉ ନଥିବାରୁ ବାଇଶି ପାହାଚରେ ବଣ୍ଟାଯାଉଥିଲା ମାଗଣା ମହାପ୍ରସାଦ। ଦର୍ଶନ ସାରି ଫେରୁଥିବା ଶ୍ରଦ୍ଧାଳୁଙ୍କ ହାତକୁ କଣିକାଏ ଅବଢ଼ା ବଢ଼ାଇ ଦିଆଯାଉଥିଲା। ସେମାନେ ଖୁସି ମନରେ ଫେରୁଥିଲେ। ହେଲେ ଶ୍ରୀମନ୍ଦିର ବଜେଟ୍‌ରେ ସ୍ବତନ୍ତ୍ର ଅନୁଦାନ ଥାଇ ମଧ୍ୟ ଇଚ୍ଛାଶକ୍ତି ଅଭାବରୁ ଏହା ବନ୍ଦ ହୋଇଯାଇଥିବା କୁହାଗଲା। ପ୍ରତ୍ୟେକ ଶ୍ରଦ୍ଧାଳୁଙ୍କୁ ମାଗଣାରେ କଣିକାଏ ଲେଖାଏ ଅବଢ଼ା ଦେବା ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ହୋଇଥିଲା। ୨୦୧୬ ମସିହା ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଥିଲା ମାଗଣା ମହାପ୍ରସାଦ (ମିଷ୍ଟାନ୍ନ) ବଣ୍ଟନ। ଅପରାହ୍ନ ୪ଟାରୁ ୬ଟା ମଧ୍ୟରେ ୨ ହାଣ୍ଡି ମିଷ୍ଟାନ୍ନ ଶ୍ରଦ୍ଧାଳୁଙ୍କୁ ବାଣ୍ଟିବା ଲାଗି ବ୍ୟବସ୍ଥା କରାଯାଇଥିଲା। ଏଥିପାଇଁ ୨ ଜଣ କର୍ମଚାରୀଙ୍କୁ ଦାୟିତ୍ୱ ଦିଆଯାଇଥିଲା। ଶ୍ରୀମନ୍ଦିର ପ୍ରଶାସନ ଏବଂ ସୁଆର ମହାସୁଆର ନିଯୋଗ ମିଳିତ ସହଯୋଗରେ ବାଇଶି ପାହାଚରେ ଦୁଇଟି ବଡ଼ ଆଟିକାରେ ପ୍ରତ୍ୟହ ଏହି ମିଷ୍ଟାନ୍ନ ବଣ୍ଟାଯାଉଥିଲା। ଭକ୍ତମାନେ କଣିକାଏ ଲେଖାଏ ମହାପ୍ରସାଦ ପାଇଁ ଖୁସି ମନରେ ଫେରୁଥିଲେ। ଶ୍ରୀମନ୍ଦିର ୨୦୧୮-୧୯ ବଜେଟ୍‌ରେ ଏଥିଲାଗି ୧.୫ କୋଟି ଟଙ୍କାର ବ୍ୟବସ୍ଥା ହୋଇଥିଲା। ଏପରି କି ଭକ୍ତଙ୍କୁ ହାତରେ ନୁହେଁ, ଖଲି ଦନାରେ ମହାପ୍ରସାଦ ଦିଆଯିବା ନିମନ୍ତେ ମଧ୍ୟ ପ୍ରଶାସନ ସ୍ଥିର କରିଥିଲା। ଏଥିପାଇଁ ଖଲିଦନା ଅଣାଯାଇ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ରଖାଯାଇଥିଲା। ହେଲେ ଏହା କାର୍ଯ୍ୟକାରୀ ପୂର୍ବରୁ ମାଗଣା ମହାପ୍ରସାଦ ବଣ୍ଟନ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଥିଲା।

କିନ୍ତୁ, ଏବେ ଜଗନ୍ନାଥ ପ୍ରେମୀଙ୍କ ପାଇଁ ଖୁସି ଖବର ଖୁବ୍ ଶୀଘ୍ର ଭକ୍ତ ମାନଙ୍କୁ ମିଳିବାକୁ ଯାଉଛି ମାଗଣା ମହାପ୍ରସାଦ। ତାହା ପୁଣି ନୂତନ ଯୋଜନା ମାଧ୍ୟମରେ ତଥା ସୁବ୍ୟବସ୍ଥିତ ଢଙ୍ଗରେ। ଏ’ ନେଇ ସୂଚନା ଦେଇଛନ୍ତି ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ। ଏକ ୱେବନାର କାର୍ଯ୍ୟକ୍ରମରେ ଯୋଗ ଦେଇ ଗଜପତି ମହାରାଜ କହିଛନ୍ତି, ମହାପ୍ରଭୁଙ୍କ ମହାପ୍ରସାଦ ପ୍ରତି ଭକ୍ତଙ୍କ ମଧ୍ୟରେ ଏକ ବଡ଼ ଆକର୍ଷଣ ରହିଛି। ତେଣୁ, ଶ୍ରୀକ୍ଷେତ୍ର ମହାପ୍ରଭୁଙ୍କ ପବିତ୍ର ଧାମର ସର୍ବାଙ୍ଗୀନ ଉନ୍ନତି ଯୋଜନା ଭିତରେ “ଅନ୍ନଯଜ୍ଞ” ଯୋଜନା ମୁତାବକ ମାଗଣା ମହାପ୍ରସାଦ ବିତରଣ ଯୋଜନା ରହିଛି। ଶ୍ରୀମନ୍ଦିର ଉତ୍ତର ପାର୍ଶ୍ଵ ୭୫ ମିଟର ବେଢ଼ା ବାହାରେ “ଅନ୍ନକ୍ଷେତ୍ର” ନିର୍ମାଣ କରାଯିବ। ଆନନ୍ଦ ବଜାରରେ ଯେଉଁ ମହାପ୍ରସାଦ ବିକ୍ରି ହେଉଛି, ଅନ୍ନ କ୍ଷେତ୍ରରେ ତାହାର ସେବନ ବ୍ୟବସ୍ଥା କରାଯିବ। ଏଠାରେ ତିନି ପ୍ରକାର ବ୍ୟବସ୍ଥା ରହିବ। ପ୍ରଥମରେ ସଂପୂର୍ଣ୍ଣ ମାଗଣା ମହାପ୍ରସାଦ ସେବନ ବ୍ୟବସ୍ଥା ରହିବ ଏବଂ ଏହା ସହିତ ଦ୍ବିତୀୟରେ ବରାଦି ଭୋଗ ପାଇଁ ଦେୟ ଦେବାକୁ ପଡ଼ିବ। ସେହିପରି ତୃତୀୟରେ ଶୀତତାପ ନିୟନ୍ତ୍ରଣ ଏବଂ ହାଇଜେନିକ ବ୍ୟବସ୍ଥା ଭିତରେ ମହାପ୍ରସାଦ ସେବନ ବ୍ୟବସ୍ଥା ରହିବ। ଏଥିପାଇଁ ମଧ୍ୟ ଦେୟ ଦେବାକୁ ପଡ଼ିବ। ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ନିଆଯାଇଥିବା ଏହି ନିଷ୍ପତ୍ତିକୁ ବିଚାର ପାଇଁ ପଠାଯିବା ପରେ, ଏଏସ୍ଆଇ ଅନୁମୋଦନ ଏବଂ କେନ୍ଦ୍ର ସରକାରଙ୍କ ଅନୁମତି ପରେ ଏହା କାର୍ଯ୍ୟକାରୀ ହୋଇଯିବ। ଜୟ ଜଗନ୍ନାଥ ..
/- ଦେବଦତ୍ତ ରଥ

ବିଜେଡି ବିଧାୟକଙ୍କୁ ବିଜେପି ଦବଙ୍ଗ୍ ନେତ୍ରୀଙ୍କ ଚେତାବନୀ: ଘରୁ ଭିଡ଼ି ଆଣି …

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.