Home ଜିଲ୍ଲା ପରିକ୍ରମା ଧାମନଗର ବ୍ଲକ ଦୋବଲ ଜୋନରେ ଶିଳାନ୍ୟାସ ପରେ ଶିଳାନ୍ୟାସ, କାମ କିନ୍ତୁ ଆଗେଇନି ୨୦ ପ୍ରତିଶତ,...

ଧାମନଗର ବ୍ଲକ ଦୋବଲ ଜୋନରେ ଶିଳାନ୍ୟାସ ପରେ ଶିଳାନ୍ୟାସ, କାମ କିନ୍ତୁ ଆଗେଇନି ୨୦ ପ୍ରତିଶତ, କୋଟି କୋଟି ଟଙ୍କାର ପ୍ରକଳ୍ପ କେବଳ ଫଳକରେ ସୀମିତ

1

ଭଦ୍ରକ, ୨୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ ରେ ବିକାଶର ବଡ଼ ବଡ଼ ଡିଣ୍ଡିମ ପିଟୁଥିବା ଡବଲ ଇଞ୍ଜିନ ସରକାରଙ୍କ ଅସଲ ଚେହେରା କୁ କିଛି ତଳିଆ ନେତା ମାନେ ବାଧକ ସାଜି ଦୁର୍ନୀତି କରୁଛନ୍ତି ବିକାଶ କୁ ଆଗେଇବାକୁ ଦେଉନାହାନ୍ତି। ତତ୍କାଳୀନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧାମନଗର ଗସ୍ତରେ ଆସି ଏକତା ପଦଯାତ୍ରାରେ ସାମିଲ ହେବା ସହ ୧୦୧ କୋଟି ଟଙ୍କା ବ୍ୟୟ ଅଟକଳରେ ହେବାକୁ ଥିବା ୨୨ ଟି ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିବାକୁ ଆଜି ବର୍ଷେ ପୂରିଛି। ହେଲେ ବର୍ଷକ ଭିତରେ ପ୍ରମୁଖ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ୨୦ ପ୍ରତିଶତ ମଧ୍ୟ ଆଗେଇ ପାରିନାହିଁ। କେନ୍ଦ୍ରମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଶିଳାନ୍ୟାସ କେବଳ ଫଳକରେ ହିଁ ସୀମିତ ହୋଇ ରହିଯାଇଛି। ସ୍ଥାନୀୟ ଜୋନ୍ ର ନେତା ଙ୍କ ଲାଭଖୋର ମନ ଭାବ ଓ ଇଚ୍ଛାଶକ୍ତିର ଅଭାବ ଯୋଗୁଁ କୋଟି କୋଟି ଟଙ୍କାର ପ୍ରକଳ୍ପ ଏବେ ଅଧପନ୍ତରିଆ ହୋଇ ପଡ଼ିରହିଥିବା ବେଳେ ସ୍ଥାନୀୟ ଅଂଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଐତିହାସିକ ଗୋହିରାଟିକିରି ର ବିକାଶ ନାଁରେ ଗତବର୍ଷ ନଭେମ୍ବର ୨୨ ତାରିଖରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏଠାରେ ୫ କୋଟି ଟଙ୍କା ବ୍ୟୟରେ ‘ଗୋହିରାଟିକିରି ଗବେଷଣା କେନ୍ଦ୍ର ଓ ଆର୍ଟ ଗ୍ୟାଲେରୀ’ ନିର୍ମାଣ ପାଇଁ ଶିଳାନ୍ୟାସ ହୋଇଥିଲା। ୫ କୋଟି ଟଙ୍କାର ଏହି ପ୍ରକଳ୍ପ ପାଇଁ ନୂଆ କୋଠାଘର ନିର୍ମାଣ ହେବା ବଦଳରେ ବିଗତ ସରକାରଙ୍କ ଅମଳରେ ନିର୍ମିତ ହୋଇଥିବା କଲ୍ୟାଣ ମଣ୍ଡପକୁ ନବୀକରଣ କରି ସେଠାରେ ଲାଇବ୍ରେରୀ ଓ ଆର୍ଟ ଗ୍ୟାଲେରୀ କରିବାକୁ ନିଷ୍ପତି ନିଆଯାଇଛି। ବର୍ଷକ ଭିତରେ ଏହାର ଚାରିପଟେ କେବଳ ପାଚେରୀ ନିର୍ମାଣ ଆରମ୍ଭ ହୋଇଥିଲେ ହେଁ ତାହା ମଧ୍ୟ ଅଧପନ୍ତରିଆ ହୋଇ ପଡ଼ିରହିଛି।ସେହିପରି ପର୍ଯ୍ୟଟନ ବିଭାଗ ପକ୍ଷରୁ ୨ କୋଟି ୪୬ ଲକ୍ଷ ଟଙ୍କା ବ୍ୟୟରେ ଗୋହିରାଟିକିରି ନିକଟସ୍ଥ ସେନାପତିଆ ପୋଖରୀର ପାରିପାର୍ଶ୍ୱିକ ଉନ୍ନତିକରଣ ପାଇଁ ଭିତିପ୍ରସ୍ତର ସ୍ଥାପନ କରାଯାଇଥିଲା। ମାତ୍ର ବର୍ଷେ ପରେ ସେଠାରେ କୌଣସି ଆଖିଦୃଶିଆ କାମ ଦେଖିବାକୁ ମିଳୁନାହିଁ। ପୋଖରୀ ଖନନ କିମ୍ବା ସୌନ୍ଦର୍ଯ୍ୟୀକରଣ କାମ ଆଦୌ ହୋଇନଥିବା ବେଳେ କେବଳ ପୋଖରୀ ର ଗୋଟିଏ ପାଖ ରେ ସିମେଂଟ କଂକ୍ରିଟ ୱାଲ୍ ନିର୍ମାଣ କରାଯାଇଛି।କେବଳ କେନ୍ଦ୍ରମନ୍ତ୍ରୀଙ୍କ ଶିଳାନ୍ୟାସ ନୁହେଁ, ଗତବର୍ଷ ଜୁନ୍ ୨ ତାରିଖରେ ଖୋଦ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୋହିରାଟିକିରି ଠାରେ ୧୦ କୋଟି ଟଙ୍କା ବ୍ୟୟ ଅଟକଳରେ ‘ମୁକୁନ୍ଦଦେବ ସ୍ମାରକୀ ପ୍ରତିମୂର୍ତି ଓ ସୁବିଧା କେନ୍ଦ୍ର’ର ଶିଳାନ୍ୟାସ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏହି ସ୍ୱପ୍ନର ପ୍ରକଳ୍ପକୁ ଦେଢ଼ ବର୍ଷ ବିତିବାକୁ ବସିଥିଲେ ସୁଦ୍ଧା ଇଟା ଖଣ୍ଡେବି ପଡ଼ିପାରିନାହିଁ।ଏକତା ପଦଯାତ୍ରା ଓ ଶିଳାନ୍ୟାସ ସମାରୋହରେ ଯେଉଁଭଳି ଭାବେ ଜନସାଧାରଣଙ୍କୁ ବିକାଶର ସ୍ୱପ୍ନ ଦେଖାଯାଇଥିଲା, ବର୍ଷକ ପରେ ତାହା ପ୍ରତାରଣା ରେ ପରିଣତ ହୋଇଥିବା ସାଧାରଣରେ ଚର୍ଚ୍ଚା ହେଉଛି। ତେବେ ଧାମନଗର ର ବିଧାୟକ ତଥା ରାଜ୍ୟ ସରକାର ଙ୍କ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବିକାଶ ପାଇଁ କୋଟି କୋଟି ଟଙ୍କା ଆଣୁଥିବା ବେଳେ ନିର୍ଦ୍ଦିଷ୍ଟ ମୁଷ୍ଟିମେୟ ବ୍ୟକ୍ତି ନିଜେ ଲାଭଖୋର ମନ ଭାବରଖି ରଖି ଠିକାଦାର ଙ୍କୁ ଭୟଭୀତ କରାଇବା ରେ ଲାଗିଛନ୍ତି ଯା ଫଳରେ ବିକାଶ ହେଉନାହିଁ ଖୋଦ ମନ୍ତ୍ରୀ ଏ ଦିଗରେ ଦୃଷ୍ଟି ଦେଲେ ନିଶ୍ଚିତ ବିକାଶ ଆଗେଇବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.