Home ଅନୁଗୁଳ ତାଳଚେର ଥର୍ମାଲ ବନ୍ଦ କରାଗଲେ ଆନ୍ଦୋଳନ ହେବ; ସର୍ବଦଳୀୟ ବୈଠକରେ ନିଷ୍ପତି

ତାଳଚେର ଥର୍ମାଲ ବନ୍ଦ କରାଗଲେ ଆନ୍ଦୋଳନ ହେବ; ସର୍ବଦଳୀୟ ବୈଠକରେ ନିଷ୍ପତି

82

ତାଳଚେର,୧୭/୦୨(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ରାଷ୍ଟ୍ରାୟତ ଉଦ୍ୟୋଗ ଏନଟିପିସି ତାଳଚେର ଥର୍ମାଲ ଆସନ୍ତା ମାର୍ଚ୍ଚ ମାସରେ ବନ୍ଦ କରି ଦିଆଯିବ ବୋଲି ଚର୍ଚ୍ଚା ଜୋର ଧରିଥିବା ବେଳେ ଏହାକୁ ନେଇ ଥର୍ମାଲରେ କାର୍ଯ୍ୟରତ ପ୍ରାୟ ୨୫୦୦ରୁ ଉର୍ଦ୍ଧ୍ୱ ଶ୍ରମିକମାନେ ଆଶଙ୍କାରେ ରହିଛନ୍ତି। ଏହାଛଡା ପରୋକ୍ଷରେ ଜୀବିକା ନିର୍ବାହ କରିୁଥିବା ପ୍ରାୟ ୨୫୦୦ରୁ ଉର୍ଦ୍ଧ୍ୱ ବ୍ୟବସାୟୀ ଓ ସ୍ଥାନୀୟ ବାସିନ୍ଦା ମଧ୍ୟ ଜୀବିକା ହରାଇବାର ଆଶଙ୍କା ଦେଖାଦେଇଛି । ଏହି ପରିପ୍ରେକ୍ଷୀରେ ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ଆହ୍ୱାନ କ୍ରମେ ଦେଉଳବେଡା ସ୍ଥିତ କାର୍ଯ୍ୟାଳୟଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ କଂଗ୍ରେସ, ବିଜେପି, ବିଜେଡି, ତାଳଚେର ଓକିଲ ସଂଘ,ସାମ୍ବାଦିକ ସଂଘ ଓ କମ୍ୟୁନିଷ୍ଟ ଦଳ ସାମିଲ ହୋଇଥିଲେ । ଦୀର୍ଘ ୫୦ ବର୍ଷରୁ ଉର୍ଦ୍ଧ୍ୱ କାଳ ବିଦ୍ୟୁତ ଉତ୍ପାଦନ କରି ଲାଭରେ ଚାଲୁଥିବା ଥର୍ମାଲ ପ୍ଲାଣ୍ଟକୁ କଦାପି ବନ୍ଦ କରି ଦିଆଯିବ ନାହିଁ ଏବଂ ଆବଶ୍ୟକ ହେଲେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ବୈଠକରେ ମତ ପାଇଥିଲା । ଏହି ଥର୍ମାଲ ପ୍ଲାଣ୍ଟକୁ ବନ୍ଦ କରିବା ପରିବର୍ତେ ୪୬୦ମେଗାୱାଟରୁ ୧୩୨୦ ମେଗାୱାଟ୍ ପ୍ଲାଣ୍ଟ ସଂପ୍ରସାରଣ କାର୍ଯ୍ୟ ଶୀଘ୍ର ଆରମ୍ଭ କରାଯିବାକୁ ସରକାର ତୁରନ୍ତ ନିଷ୍ପତି ନେଇ ତୁରନ୍ତ କାର୍ଯ୍ୟ ଆରମ୍ଭ କରନ୍ତୁ ବୋଲି ବୈଠକରେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା ।
ଶ୍ରମିକମାନଙ୍କ ପରିବାର ସହ ସ୍ଥାନୀୟ ଅଂଚଳର ବିକାଶକୁ ଗୁରୁତ୍ୱ ଦେଇ ପ୍ରସ୍ତାବିତ ନୂତନ ପ୍ଲାଣ୍ଟ ଚାଲୁ ନିମନ୍ତେ ପତ୍ର ମାଧ୍ୟମରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ,କେନ୍ଦ୍ରୀୟ ଶକ୍ତି ମନ୍ତ୍ରୀ,କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଓ ରାଜ୍ୟ ଶକ୍ତି ମନ୍ତ୍ରୀଙ୍କୁ ଜଣାଇବା ସହ ଆଗାମୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ବୈଠକରେ ମତପ୍ରକାଶ ପାଇଥିଲା । ଏତଦ୍ ବ୍ୟତୀତ ଏହି ସର୍ବଦଳୀୟ କମିଟିର ନେତୃତ୍ୱ ତାଳଚେର ଓକିଲ ସଂଘ ନେବାକୁ ସ୍ଥିରୀକୃତ ହୋଇଥିଲା। କଂଗ୍ରେସ ଦଳରୁ କେଶବ ଭୂତିଆ, ବଜରଙ୍ଗ ଅଗ୍ରୱାଲା,ବିଜେପି ଦଳରୁ ଯଯାତି ପଟ୍ଟନାୟକ,ପ୍ରକାଶ ମହାରଣା, ଜିତେନ୍ଦ୍ର ଦାସ,ଯତୀନ ମହାନ୍ତି,ବିଜେଡି ଦଳରୁ ପବିତ୍ର ଭୂତିଆ,ଆସିଫ୍ ଖାଁ,ଓକିଲ ସଂଘ ସଭାପତି ଛବି କୁମାର ସାହୁ,ନିର୍ମଳ ଚନ୍ଦ୍ର ତ୍ରିପାଠୀ, କମ୍ୟୁନିଷ୍ଟ ନତା ଦେବାଶିଷ ଘୋଷ,ତାଳଚେରର ସାମ୍ବାଦିକ ସଂଘର ଉପସଭାପତି ଦେବୀ ପ୍ରସାଦ ମିଶ୍ର, ତପନ ମହାରଣା, ପ୍ରକାଶ ସାହୁ, ବାବୁନି ସ୍ୱାଇଁ, ଶ୍ରମିକ ନେତା ଇଂ ମନୋଜ ପ୍ରଧାନ,କଣିହାଁର ନିର୍ମଳ ସାହୁ ଓ ସୁନିଲ ପ୍ରଧାନ,ପୂର୍ବତନ ସରପଂଚ ପଙ୍କଜ ପ୍ରଧାନ,ନିର୍ମଳ ସାହୁ,ସାଂସଦଙ୍କ ସଚିବ ମାତୃ ପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ରହି ପ୍ଲାଣ୍ଟ ବନ୍ଦ ସମ୍ପର୍କରେ ମତାମତ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.