କେନ୍ଦୁଝର, ୨୫ ଡିସେମ୍ବର (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ରାଜକୋଷକୁ ସମୃଦ୍ଧ କରିବାରେ ପ୍ରମୁଖ ଭୁମିକା ନେଇଥିବା ଉନ୍ନତ ମାନର ଖଣିଜ ସଂପଦରେ ଭରପୁର କେନ୍ଦୁଝର ଜିଲ୍ଲାରେ ଖିଣି ଲିଜଧାରୀ ମାନଙ୍କର ମନମାନୀ ବଢିବାରେ ଲାଗିଥିବା ଘଟଣାକୁ ନେଇ ବଢୁଥିବା ଚର୍ଚ୍ଚା ଥମିବାର ନାମ ନେଉନାହିଁ। ଯେଉଁଥିପାଇଁ ଧନୀ ଜିଲ୍ଲା ଭାବେ ଅଭିହିତ କରାଯାଉଥିବା କେନ୍ଦୁଝର ଜିଲ୍ଲାର ଅଧିବାସୀ ମାନଙ୍କର ଅବସ୍ଥା ଯେଉଁ ତିମିରେକୁ ସେଇ ତିମିର ହୋଇ ରହିଥିବା ବେଳେ ଲିଜଧାରୀମାନଙ୍କର କିନ୍ତୁ ସବୁ ସ୍ତରରେ ଉନ୍ନତି ହେବାରେ ଲାଗିଛି। ଜିଲ୍ଲାର ତଥା କଥିତ ବିକାଶ ମଧ୍ୟ ସରକାରୀ ବଡ ବାବୁମାନଙ୍କର ମର୍ଜିନୁସାରେ ହେଉଅଛି। ଯେଉଁଠାରେ ଜିଲ୍ଲାର ସାଧାରଣ ଲୋକଙ୍କର ପ୍ରତିନିଧିତ୍ୱ ପ୍ରାୟତଃ ନଥାଏ। ଯଦ୍ୱାରା ଜିଲ୍ଲାର ବିକାଶ କାଗଜପତ୍ରରେ ଅଧିକ ହେଉଥିବାକୁ ଘଟଣାକୁ ନେଇ ଅନେକ ସମୟରେ ହେଉଥିବା ଚର୍ଚ୍ଚାକୁ ମଧ୍ୟ ସହଜରେ ଏଡାଇ ଦିଆଯାଇପାରି ନଥାଏ। ଇତି ମଧ୍ୟରେ କେନ୍ଦୁଝର ଜିଲ୍ଲାର ଖଣି ଗୁଡିକ ପ୍ରଥମଥର ପାଇଁ ନିଲାମ ହୋଇଥିବା ବେଳେ ଅଧିକ ବିଡରେ ଅନେକ ନୂତନ ଖଣିଲିଜଧାରୀଙ୍କ ପ୍ରବେଶ ହୋଇଛି। ଅନ୍ୟ ପକ୍ଷରେ ଦ୍ୱିତୀୟଥର ପାଇିଂ ଖଣି ହାତେଇଥିବା ଲିଜଧାରୀମାନଙ୍କର ମନମାନୀ ମଧ୍ୟ ଇତି ମଧ୍ୟରେ କୁଆଡେ ବହୁତ ବଢିଯାଇଛି। ଇତି ମଧ୍ୟରେ ଲିଜଧାରୀ ସିରାଜୁଦ୍ଦିନ ଖଣି କର୍ତ୍ତୃପକ୍ଷଙ୍କ ମନମାନୀ ବିରୁଦ୍ଧରେ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି। ବିଭିନ୍ନ ସମୟରେ ସଂପୃକ୍ତ ଲିଜଧାରୀଙ୍କ ଲାଭଖୋର ମନୋବୃତି ସ୍ଥାନୀୟ ଅଧିବାସୀ ଏବଂ ଅଂଚଳକୁ କ୍ଷତି ପହଂଚାଉଥିଲେ ମଧ୍ୟ ଏ କ୍ଷେତ୍ରରେ ଲୋକଙ୍କର ପ୍ରତିବାଦକୁ ଜିଲ୍ଲା ପ୍ରାଶାସନକୁ ପ୍ରଭାବିତ କରି ଚପାଇ ଦିଆଯାଉଥିବା ଅଭିଯୋଗ ଅନେକ ସମୟରେ ଆସିଥାଏ। ଏପରିକି ବିଗତ ଦିନରେ ମଧ୍ୟ ଅନେକ ଅନିୟମିତତା ଖଣି ବିଭାଗ ଦ୍ୱାରା ଧରାପଡିଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନରୁ ଅତି ଆଶ୍ଚର୍ଯ୍ୟଜନକ ଭାବେ କମ୍ପାନୀ ବର୍ତିଯାଇଥିବା ସେତେବେଳେ ଆଲୋଚନାକୁ ଆସିଥିଲା। ଇତି ମଧ୍ୟରେ ପରିବହନ କ୍ଷେତ୍ରରେ ଲିଜଧାରୀ ସିରାଜୁଦ୍ଦିନ କମ୍ପାନୀ କର୍ତ୍ତୃପକ୍ଷଙ୍କ ମନମାନୀକୁ ବିରୋଧ କରି ସ୍ଥାନୀୟ ଅଂଚଳର ୧୬ ଟି ସଂଗଠନ ଏକାଠି ହୋଇଥିବା ବେଳେ ଗତ ୧୬ ତାରିଖରୁ ଲିଜଧାରୀଙ୍କର ଲୁହାପଥର ପରିବହନ ଏକ ପ୍ରକାର ଠପ୍ ହୋଇଯାଇଛି। କମ୍ପାନୀର ମନମାନୀକୁ ବିରୋଧ କରି ପରିବହନକୁ ଠପ୍ କରିଦେଇଥିବା ସଂଗଠନ ମାନଙ୍କର ମାନଙ୍କର କହିବା କଥା ହେଉଛି ଯେ କମ୍ପାନୀ ନିର୍ଦ୍ଦିଷ୍ଟ ଗୋଟିଏ ସଂସ୍ଥାକୁ ପ୍ରାଧାନ୍ୟ ଦେଇ ଖଣି କାର୍ଯ୍ୟ ଚଳାଇ ଆସୁଥିବା ବେଳେ ସ୍ଥାନୀୟ ବାସିନ୍ଦା ଓ ଜମିହରାଇ ଥିବା ଏବଂ ସଂପୃକ୍ତ ଅଂଚଳର ଖଟିଖିଆ ମାନଙ୍କ ପ୍ରତି ଅଣଦେଖା ମନୋଭାବ ପ୍ରଦର୍ଶନ କରିଅସୁଅଛି। ହୁଏତ ଏହାର ଅନ୍ତରାଳେ କମ୍ପାନୀର ନିଜର ଲୁକାୟିତ ଫାଇଦା ରହିଅଛି, ଯାହାକି ଗୁପ୍ତ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ। କମ୍ପାନୀର ପରିବହନ କାର୍ଯ୍ୟରେ ସମସ୍ତଙ୍କ ସମାନ ସୁଯୋଗ ଦିଆଯିବାକୁ ସଂଗଠନର ମୂଳ ଦାବି ରହିଛି। ସେମାନଙ୍କର କହିବା କଥା ହେଉଛି ଯେ ଖଣିଜ ସଂପଦ ଉତ୍ତୋଳନ ଓ ପରିବହନ ବଢି ବଢି ଚାଲିଥିବା ବେଳେ ଏ ଅଂଚଳରୁ ଖଣିଜ ସଂପଦ ସରି ସରି ଆସୁଅଛି ଏବଂ ସେମାନଙ୍କର ଦୁଖଃ ବଢି ବଢି ଚାଲିଛି। ଫଳରେ ପେଟ ବିକଳରେ କମ୍ପାନୀର ପରବହନ କାର୍ଯ୍ୟକୁ ସେମାନଙ୍କୁ ବନ୍ଦ କରିବାକୁ ବାଧ୍ୟ ହେବାକୁ ହେଉଥିବା ସେମାନେ କହିଛନ୍ତି। ବଳଦା, କାଳୀମାଟି, ନୟାଗଡ ଆଦି ଅଂଚଳର ଜମିହରା କ୍ଷତିଗ୍ରସ୍ତ ଓ ପ୍ରଭାବିତ ନିରୀହ ଆଦିବାସୀଙ୍କୁ ନେଇ ଏଠାରେ ତ୍ରୀବେଦୀ ଟ୍ରାନ୍ସପୋର୍ଟ ନାମକ ଏକ ସଂଗଠନ ଗଠନ କରାଯାଇଛି। ଏହି ସଂଗଠନର ଭିତିଭୁମି ଦୃଢ କରିବା ଉଦ୍ଦେଶ୍ୟରେ ଗଢି ଉଠିଥିବା ସରକାରୀ ଓ ବେସରକାରୀ ପ୍ରାୟ ୧୬ ଟି ଛୋଟ ଛୋଟ ସଂଗଠନ ଏହା ସହ ଅନୁବନ୍ଧିତ ହୋଇ କାମ କରୁଛନ୍ତି। କିନ୍ତୁ ଏହି ସଂଗଠନକୁ ଭଣ୍ଡୁର କରିବା ଲାଗି ପ୍ରଚେଷ୍ଟା କରାଯାଉଥିବା ବେଳେ ସ୍ଥାନୀୟ ଲୋକମାନେ ଏହାକୁ ବିରୋଧ କରିଛନ୍ତି। ସଂଗଠନ ତାର ଲକ୍ଷ୍ୟ ପୁରଣ ଲାଗି ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରିବ ବୋଲି ସଂଗଠନର ସଦସ୍ୟମାନେ ସ୍ପଷ୍ଟ କରିଛନ୍ତି।