Home Top News କେନ୍ଦୁଝରରେ ଥଣ୍ଡାର ପ୍ରକୋପ ଜାରି : ଜନଜୀବନ ଅସ୍ତବ୍ୟସ୍ତ : ଅନେକ ସ୍ଥାନରେ ତୁଷାରପାତର ଭ୍ରମ

କେନ୍ଦୁଝରରେ ଥଣ୍ଡାର ପ୍ରକୋପ ଜାରି : ଜନଜୀବନ ଅସ୍ତବ୍ୟସ୍ତ : ଅନେକ ସ୍ଥାନରେ ତୁଷାରପାତର ଭ୍ରମ

28

କେନ୍ଦୁଝର, ୨୪ ଡିସେମ୍ବର (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରେ ଗତ ୧ ସପ୍ତାହ ହେବ ପ୍ରବଳ ଶୀତ ଲହରୀ ଜାରି ରହିଛି। ଚଳିତ ଶୀତ ଋତୁରେ ଡିସେମ୍ବର ମାସ ତୃତୀୟ ସପ୍ତାହରେ ସମଗ୍ର କେନ୍ଦୁଝର ଜିଲ୍ଲାରେ ଥଣ୍ଡାର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି। ଲୋକଙ୍କ ପାଇଁ ସକାଳେ ଓ ସଂଧ୍ୟାରେ ଘରୁ ଗୋଡ କାଢିବା କଷ୍ଟସାଧ୍ୟ ହୋଇପଡୁଛି। ବିଭିନ୍ନ ସ୍ଥାନରେ ପିଲାଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ନିଆଁ ଲଗାଇ ବସିଥିବା ଦେଖିବାକୁ ମିଳୁଛି। ପାଣିପାଗ ବିଭାଗ କେନ୍ଦୁଝରକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ଛାତିଥରା ଶୀତରେ ଜିଲ୍ଲାର ବଣପାହଡ, ଅଗମ୍ୟ ଅଂଚଳରେ ବସବାସ କରୁଥିବା ବନବାସୀମାନଙ୍କୁ ଶୀତଦାଉରୁ ରକ୍ଷା ପାଇବା ପାଇଁ ନିଆଁ ଲଗାଇ ରାତ୍ରୀଯାପନ କରିବାକୁ ପଡୁଛି। କେନ୍ଦୁଝରର ବିଭିନ୍ନ ଅଂଚଳରେ ପଡୁଥିବା କାକର ପ୍ରାୟତଃ ତୁଷାରପାତର ଭ୍ରମ ସୃଷ୍ଟି କରୁଛି। ଭୋର ସମୟରେ ଲୋକମାନେ ଚାଷ ଜମି, ଧାନ ଅମଳ ପରେ ଥୁଆ ହୋଇଥିବା ନଡା ଉପରେ ପଡୁଥିବା କାକର ମଧ୍ୟ ସ୍ୱଭାବିକ ଭାବେ ତୁଷାରପାତର ଭ୍ରମ ସୃଷ୍ଟି କରୁଛି। ଥଣ୍ଡା ପବନ ପ୍ରବାହିତ ହେଉଥିବାରୁ ଆଗକୁ ଶୀତ ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦୁଝରରେ ନଭେମ୍ବର ମାସ ତୃତୀୟ ସପ୍ତାହରେ ଶୀତ ଅନୁଭୂତ ହୋଇଥିଲା। ଏବେ ପୁଣି ଡିସେମ୍ବର ମାସ ତୃତୀୟ ସପ୍ତାହରେ ପ୍ରବଳ ଶୀତ ଅନୁଭୂତ ହୋଇଛି। କେନ୍ଦୁଝରଠାରେ ଥିବା କେନ୍ଦ୍ରୀୟ ପାଣିପାଗ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏଠାରେ ଡିସେମ୍ବର ୧୮ ତାରିଖରେ ସର୍ବନିମ୍ନ ତାପମାତ୍ରା ୧୬ ଡିଗ୍ରୀ ସେଲସିୟସ ରହିଥିବା ବେଳେ ୧୯ ତାରିଖରେ ୧୧.୭ ଡିଗ୍ରୀ ସେଲସିୟସ, ୨୦ ତାରିଖରେ ତାପମାତ୍ରା ୯.୫ ଡିଗ୍ରୀ ସେଲସିୟସ ଏବଂ ୨୧ ତାରିଖରେ ସର୍ବନିମ୍ନ ୯.୩ ଡିଗ୍ରୀ ସେଲସିୟସ, ୨୨ ତାରିଖ ଦିନ ୯.୦ ଡିଗ୍ରୀ ସେଲସିୟସ, ୨୩ ତାରିଖ ଦିନ ୮.୮ ଡିଗ୍ରୀ ସେଲସିୟସ ଏବଂ ୨୪ ତାରିଖରେ ୯.୮ ଡିଗ୍ରୀ ସେଲସିୟସ ରେକର୍ଡ ରେକର୍ଡ କରାଯାଇଛି। ଲୋକମାନେ ଶୀତ କାରଣରୁ ସକାଳ ୧୦ଟା ପରେ ଘରୁ ବାହାରୁଛନ୍ତି। ଆଗକୁ ଆହୁରି ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବାର ଆଶଙ୍କା ଥିବାରୁ ୩ ଦିନ ପାଇଁ କୋଲ୍ଡ ୱେଭ ୱାର୍ଣ୍ଣିଂ ଜାରୀ କରାଯାଇଛି। ଥଣ୍ଡା ସମୟରେ ଘରେ ରହିବା ସହିତ ଅତି ଆବଶ୍ୟକ ନଥିଲେ ଘରୁ ନ ବାହାରିବା ପାଇଁ ସରକାରଙ୍କ ପକ୍ଷରୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି। ସାଧାରଣ ଲୋକେ ପ୍ରବଳ ଶୀତ ଯୋଗୁଁ କଷ୍ଟ ପାଉଥିବା ବେଳେ ବାସହୀନ ଲୋକ ଏବଂ ଅତି ଗରୀବ, ଖଟିଖିଆ ଙ୍କର ଦୁଖଃ ବହୁଗୁଣିତ ହୋଇଛି। ଜିଲ୍ଲାରେ ଆଶ୍ରୟସ୍ଥଳର ଅଭାବ ରାସ୍ତାକଡରେ ରାତି କଟାଉଥିବା ଲୋକଙ୍କ ଦୁଖଃ ବଢାଇଅଛି। ରାସ୍ତା ଘାଟରେ ଜରି ଗୋଟାଳୀ ପିଲା, ବୃଢାଙ୍କର ଆଗ ଭଳି ଗହଳି ଦେଖିବାକୁ ମିଳୁନି। ଶୀତରୁ ରକ୍ଷା ପାଇବାକୁ ଗରୀବ ଲୋକଙ୍କ ପାଇଁ ନିଆଁ ହବିଁ ଏକମାତ୍ର ସାହାରା ପାଲଟିଅଛି। କୋହଲା ପବନ ସାଙ୍ଗକୁ ଶୀତର ପ୍ରକୋପ ଲୋକଙ୍କ ପାଇଁ କଷ୍ଟକର ହୋଇପଡିଥିବା ବେଳେ ଏଥିରୁ କେବେ ମୁକ୍ତି ମିଳିବ ସଠିକ୍ ତଥ୍ୟ ମିଳି ପାରିନାହିଁ। ସଂନ୍ଧ୍ୟା ପରେ ସହର ବଜାର ଖାଁ ଖାଁ ହୋଇପଡୁଥିବା ବେଳେ ସକାଳ ୧୦ଟା ପର୍ଯ୍ୟନ୍ତ ଶୀତ ଛାଡୁନଥିବା ଯୋଗୁଁ ଲୋକେ ଶୀତବସ୍ତ୍ର ଘୋଡାଇ ହୋଇ ନିଜର ଦୈନନ୍ଦିନ କାର୍ଯ୍ୟ କରିବାକୁ ବାଧ୍ୟ ହେଉଛନ୍ତି। କେନ୍ଦୁଝରରେ ପାରଦ ଖସୁଥିବା ବେଳେ ଆଭ୍ୟନ୍ତରୀଣ ଅଂଚଳ ବାଂଶପାଳ, କାଞ୍ଜିପାଣି ଘାଟି, ଖଣ୍ଡାଧାର, ଯୋଡା, ବଡବିଲ, କିରିବୁରୁ ଆଦି ଅଂଚଳରେ ଶୀତର ପ୍ରକୋପ ଅଧିକ ରହିଛି। ପ୍ରବଳ ଶୀତ ଲହରୀ ଜାରି ରହିଥିବାରୁ ବୟସ୍କମାନେ ଘରୁ ପଦାକୁ ନବାହାରିବା ପାଇଁ ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି। ଅନ୍ୟ ପକ୍ଷରେ ଶୀତର ପ୍ରକୋପ ନଥିବା କାରଣରୁ ପ୍ରାୟତଃ ଏକ ପ୍ରକାର ହାତବାନ୍ଧି ବସିଥିବା ଶୀତବସ୍ତ୍ର ବ୍ୟବସାୟୀ ମାନଙ୍କ ମନରେ ଖୁସି ଆସିଛି। ଶୀତବସ୍ତ୍ର ଦୋକାନରେ ଥିଲାବାଲା ଲୋକଙ୍କର ଭିଡ ବେଶ୍ ଦେଖିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.