Home ଜିଲ୍ଲା ପରିକ୍ରମା ସରପଞ୍ଚଙ୍କୁ ମିଳିନି କରୋନା ବକେୟା ଦେଢକୋଟି , ଖଟ କିଣିଥିଲ, ନିଲାମ କରି ଭରଣ କର

ସରପଞ୍ଚଙ୍କୁ ମିଳିନି କରୋନା ବକେୟା ଦେଢକୋଟି , ଖଟ କିଣିଥିଲ, ନିଲାମ କରି ଭରଣ କର

122

ଭଦ୍ରକ, ୧୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନଭେମ୍ବର ୧୦ ରୁ ଏହି ଜିଲାର ତିହିଡି ବ୍ଲକ୍‌ରେ କରୋନା କୋଭିଡ୍ ପରୀକ୍ଷା ପ୍ରକ୍ରିୟାରେ ତାଲା ପଡିଛି । ଲୋକେ ଖୋଜୁଛନ୍ତି କେଉଁଠି କୋଭିଡ୍ ପରୀକ୍ଷା ହେବ । ଖାଲି ସେତିକି ନୁହଁ, ଅଗଷ୍ଟ ମାସରୁ କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ତାଲାହ ପଡିବା ପରେ ନଭେମ୍ବର ମାସ ୧୦ ରେ କୋଭିଡ୍ ହସ୍‌ପିଟାଲରେ ତାଲା ପଡିଗଲା । ତଥାପି ମଧ୍ୟ ସରକାର ଏହି ଟିଏମ୍‌ସି ଖର୍ଚ୍ଚ ବାବଦକୁ ଦେଢକୋଟି ଟଙ୍କା ଦେବାକୁ ଅମଙ୍ଗ ହେଉଛନ୍ତି । ଏ ବାବଦକୁ ଖର୍ଚ୍ଚକରି ସ୍ୱୟଂ ସହାୟକ ଗୋଷ୍ଠୀ ସରପଞ୍ଚ ଅଡୁଆରେ ପଡିଛନ୍ତି । ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀଙ୍କ ପାଇଁ କିଣିଥିବା ଖଟକୁ ନେଇ ସରପଞ୍ଚଙ୍କ ଟେନସନ ବଢିଛି । ଏହାର ପାଉଣା ଦେବାର ଦୂରର କଥା । ସଂପୃକ୍ତ ଖଟକୁ ନିଲାମ କର ବୋଲି ପ୍ରଶାସନ କହୁଛି । ସେହିଭଳି ଯେତେଦିନ ଖଟ ପଡିଛି, ଦିନକୁ ୨୦ ଟଙ୍କା ଭଡା ଆକାରରେ ଦେବାକୁ ନିଷ୍ପତ୍ତି ହୋଇଛି । ବ୍ୟବହୃତ ଖଟ, ବେଡସିଟ୍‌, ବାଲ୍‌ଟି ଆଦି ସାମଗ୍ରୀକୁ ନିଲାମ ନେବାକୁ କେହି ରାଜି ହେଉନାହାଁନ୍ତି । ସରକାରଙ୍କ ଇସାରାରେ ଆଗର ହୋଇ ସରପଞ୍ଚମାନେ କରୋନା ମୁକାବିଲା କରି ଏବେ ହରଡା ଘଣାରେ ପଡିଛନ୍ତି । ମିଳିଥିବା ତଥ୍ୟ ଅନୁଯାୟୀ, ତିହିଡି ବ୍ଲକ୍‌ରେ ୭୬ ଟି ଟିଏମ୍‌ସି କ୍ୱାରେଣ୍ଟାଇନ୍ କେନ୍ଦ୍ର ୩୧ ପଂଚାୟତ ବିଭିନ୍ନ ସ୍କୁଲରେ ଖୋଲାଯାଇଥିଲା । ଏଥିରେ ମାର୍ଚ୍ଚ ମାସରୁ ଆସୁଥିବା ପ୍ରବାସୀମାନଙ୍କୁ ରଖାଯାଇ ଖାଇବାକୁ ଦିଆଯାଉଥିଲା । ଖାଇବା ଦାୟିତ୍ୱ କେଉଁଠି ସରପଞ୍ଚ ତ କେଉଁଠି ଏସ୍‌ଏଚ୍‌ଜି ଗ୍ରୁପ୍ ନେଉଥିଲେ । ବ୍ଲକ୍ ପରିସରରେ ଥିବା ଜୀବିକା ମିଶନ କାର୍ଯ୍ୟାଳୟ ତରଫରୁ ଏସ୍‌ଏଚ୍‌ଜି ଗ୍ରୁପ୍ ମାଧ୍ୟମରେ ଏହି ଖାଇବାହ ଦାୟିତ୍ୱ ନିଆଯାଇଥିଲା । ଏଯାଏଁ ଏସ୍‌ଏଚ୍‌ଜି ଗ୍ରୁପ୍ ପାଉଣା ନପାଇ ହତାଶ ହେଉଥିଲେ ମଧ୍ୟ ଓଏଲ୍‌ଏମ୍ ସଂସ୍ଥା ଚୁପ୍ ହୋଇବସିଛି । ତରବରିଆ ଭାବେ ୭୬ ଟି ଟିଏମ୍‌ସି ୩୧ଟି ପଂଚାୟତରେ ଖୋଲାଯାଇଥିଲେ ମଧ୍ୟ ସରକାରଙ୍କ ତାଗିଦ୍ ପରେ ଏହା ୨୫ ଟିକୁ ଖସିଆସିଲା । ଏହି ୨୫ ଟି ଟିଏମ୍‌ସି ମଧ୍ୟ ବନ୍ଦ ହୋଇ ମାତ୍ର ଗୋଟିଏ କୋଭିଡ୍ ହସ୍‌ପିଟାଲ କାର୍ଯ୍ୟ କରିଲା । ୭୬ଟି ଟିଏମ୍‌ସିଏରେ ୩ କୋଟି ୧୨ ଲକ୍ଷ ୬୨ ହଜାର ୩୮୦ ଟଙ୍କା ଖର୍ଚ୍ଚ କରାଗଲା । କିନ୍ତୁ ଏଯାଏଁ ସରକାର ୧ କୋଟି ୯୦ ଲକ୍ଷ ୬୩ ହଜାର ୩୮୨ ଟଙ୍କା ପ୍ରଦାନ କରିଛନ୍ତି । ତେଣୁ ଟିଏମ୍‌ସି ବାବଦକୁ ଆହୁରି ୧ କୋଟି ୨୧ ଲକ୍ଷ ୯୮ ହଜାର ୯୯୮ ଟଙ୍କା ଦେବାକୁ ବାକି ରହିଛି ।

ତିହିଡି କୋଭିଡ୍ ହସ୍‌ପିଟାଲ ସ୍ଥାନୀୟ ଚରସ ହାଇସ୍କୁଲରେ ଖୋଲାଯାଇଥିଲେ ମଧ୍ୟ ସେ ବାବଦକୁ ଆହୁରି ୨୬ ଲକ୍ଷ ଟଙ୍କା ମିଳିନାହିଁ । ଫ୍ରି-କିଚେନ ବାବଦକୁ ୬୨ ଲକ୍ଷ ୬୦ ହଜାର ୨୭୦ ଟଙ୍କା ମିଳିଥିଲେ ମଧ୍ୟ ସରପଞ୍ଚ ଓ ଏସ୍‌ଏଚ୍‌ଜି ଗ୍ରୁପ୍ କାଗଜାତ ଦାଖଲ କରିନଥିବାରୁ ଆହୁରି ୩ ଲକ୍ଷ ୪୪ ହଜାର ୪୯୧ ଟଙ୍କା ବଳକା ରହିଯାଇଛି । ସେ ଯାହା ହେଉନା କାହିଁକି ଏବେ ସରପଞ୍ଚମାନଙ୍କୁ ପ୍ରଶାସନର ନୂଆ ଆଇନ୍ ଅଡୁଆ କରୁଛି । ରାଜ୍ୟ ସରକାରଙ୍କ ଏସ୍‌ଏଫ୍‌ସି ପାଣ୍ଠିରୁ ତୁରନ୍ତ ୫ ଲକ୍ଷ ଟଙ୍କା ଲେଖାଏଁ ଖର୍ଚ୍ଚ କରି ଟିଏମ୍‌ସି କେନ୍ଦ୍ର ଖୋଲିବାକୁ ନିର୍ଦ୍ଦେଶ ହୋଇଥିଲା । ବିଡମ୍ବନା ଏହି ଯେ ଏହି ଏସ୍‌ଏଫ୍‌ସି ଫଣ୍ଡରେ ଅର୍ଥ ନଥିବାରୁ ଅନେକ ସରପଞ୍ଚ ସେମାନଙ୍କ ପାଉଣା ପାଇପାରୁନାହାଁନ୍ତି । ୩୧ ପଞ୍ଚାୟତ ପାଇଁ ଦେଢକୋଟି ଟଙ୍କା ଏସ୍‌ଏଫ୍‌ସି ଫଣ୍ଡରୁ ବରାଦ ହୋଇଥିଲେ ମଧ୍ୟ ମାତ୍ର ୧ କୋଟି ଟଙ୍କା ମିଳିପାରିଛି । କୌତୁହଳର କଥା, ଫେଣନ୍ତା ପ୍ରବାସୀଙ୍କୁ ଟିଏମ୍‌ସିରେ ଥଇଥାନ କରିବା ପାଇଁ ସରପଞ୍ଚମାନଙ୍କୁ ଅସ୍ଥାୟୀ ଜିଲାପାଳ ପଦବୀ ଦେଇ ପିଠି ଥାପୁଡେଇ ଖଟ ଗଦି, ତକିଆ କିଣାଇଦେଲେ । ଏବେ ସରପଞ୍ଚ ମାନେ ଅଡୁଆରେ ପଡିଛନ୍ତି ଏହି ଖଟ, ଗଦି ତକିଆହ ଅର୍ଥକୁ ନେଇ । କିଣିଥିବା ଖଟକୁ ପଂଚାୟତରେ ନିଲାମ କର ଏବଂ ଟିଏମ୍‌ସିରେ ପଡିଥିବା ଖଟଶଯ୍ୟା ପାଇଁ ଦିନକୁ ୨୦ ଟଙ୍କା ଭଡା ଆକାରରେ ସରକାର ଦେବାକୁ ଯୋଜନା କରିଛନ୍ତି । କରୋନା ରୋଗୀ ଶୋଇଥିବା ଏହି ଖଟକୁ କିଏବା ନିଲାମ ଧରିବ । ତାହାକୁ ନେଇ ବିଭିନ୍ନ ପଂଚାୟତର ସରପଞ୍ଚମାନେ ଚିନ୍ତାରେ ପଡିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.