Home ଜିଲ୍ଲା ପରିକ୍ରମା କେବେ ସୁଧୁରିବ ରାଘବାନନ୍ଦ ଚକ୍ଷୁ ଚିକିତ୍ସାଳୟର ସ୍ଥିତି

କେବେ ସୁଧୁରିବ ରାଘବାନନ୍ଦ ଚକ୍ଷୁ ଚିକିତ୍ସାଳୟର ସ୍ଥିତି

56

ଭଦ୍ରକ, ୧୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ସହର ମହକୁମାହସ୍ଥିତ ସାଳନ୍ଦୀ ବାଇପାସ୍ ଛକରେ ରହିଛି ରାଘବାନନ୍ଦ ସରକାରୀ ଚକ୍ଷୁ ଚିକିତ୍ସାଳୟ । ଅନ୍ୟ ଜିଲାମାନଙ୍କ ଠାରୁ ସ୍ୱତନ୍ତ୍ର ଭାବେ ଏହି ସରକାରୀ ଚକ୍ଷୁ ଚିକିତ୍ସାଳୟଟି ଦୀର୍ଘ ୨୫ ବର୍ଷ ହେବ ଏଠାରେ ଖୋଲାଯାଇଛି । ଭଦ୍ରକର ପ୍ରତିଷ୍ଠିତ ଚିକିତ୍ସିକ ତଥା ସମାଜସେବୀ ଡାକ୍ତର ଦେବେନ୍ଦ୍ରନାଥ ଦାସ ତାଙ୍କ ନିଜ ଘର ଓ ଜମିକୁ ସରକାରଙ୍କୁ ଦାନ କରିଥିଲେ । ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ ବେଳେ ଦେବେନ୍ଦ୍ର ବାବୁ ସହରରେ ଥିବା ତାଙ୍କ ଘର ଓ କ୍ଲିନିକ୍ ବିଲଡିଂ ସହ ପ୍ରାୟ ୮୫ ଡି. ମୂଲ୍ୟବାନ ଜମିକୁ ସରକାରଙ୍କୁ ଦାନ କରିଥିଲେ । ତାଙ୍କର ଅଭିଳାଷ ଥିଲା, ଭଦ୍ରକ ଜିଲାର ଗରିବ ଗୁରୁବା ଚକ୍ଷୁରୋଗୀଙ୍କୁ ମାଗଣା ଓ ସହଜରେ ତାଙ୍କ ଅନ୍ତେ ଚିକିତ୍ସା ସୁବିଧା ମିଳୁ । ଜମି ଓ ଘର ଦାନବେଳେ ଦେବେନ୍ଦ୍ର ବାବୁ କିଛି ସର୍ତ୍ତ ବି ରଖିଥିଲେ । ପ୍ରଥମଟି ହେଲା ତାଙ୍କ ପିତା ରାଘବାନନ୍ଦ ଦାସଙ୍କ ନାମରେ ସରକାରୀ ଚକ୍ଷୁ ଚିକିତ୍ସାଳୟଟିକୁ ନାମିତ କରିବା ଓ ତାଙ୍କ କ୍ଲିନିକ୍‌ରେ କାମ କରୁଥିବା କିଛି ଷ୍ଟାଫ୍‌ଙ୍କୁ ନିଯୁକ୍ତି ଦେବା । ସରକାର ତାଙ୍କ ସର୍ତ୍ତ ମାନିବା ପରେ ୧୯୯୫ ମସିହାରେ ଏହାକୁ ସରକାରୀ ଚକ୍ଷୁ ଚିକିତ୍ସାଳୟ ବା ଏରିଆ ହସ୍‌ପିଟାଲର ମାନ୍ୟତା ମିଳିଥିଲା । ପରେ ଏହି ଚକ୍ଷୁ ଚିକିତ୍ସାଳୟରେ ଜଣେ ଚକ୍ଷୁ ବିଶେଷଜ୍ଞ, ଜଣେ ଚକ୍ଷୁ ସହାୟକ, ୨ ଜଣ ଷ୍ଟାଫ୍ ନର୍ସ, ୪ ଜଣ ଆଟେଣ୍ଡାଣ୍ଟ, ୨ ସୁଇପର ଓ ଜଣେ ୱାଚ୍‌ମେନ୍ ପଦବୀକୁ ସରକାର ମଂଜୁର କରିଥିଲେ । ଏବେ ଜଣେ ଚକ୍ଷୁ ବିଶେଷଜ୍ଞ (ଇନ୍‌ଚାର୍ଜ) ରହିଥିବା ବେଳେ ୨ ଚକ୍ଷୁ ସହାୟକ (ଡେପୁଟେସନ), ୨ ଜଣ ଷ୍ଟାଫ୍ ନର୍ସ ଅଛନ୍ତି । ତେବେ ଜଣେ ଆଟେଣ୍ଡାଣ୍ଟ (ଓଟି) ଥିବାବେଳେ ସୁଇପର କି ସ୍ୱାଚ୍‌ମେନ୍ ପଦବୀ ଖାଲି ରହିଛି । ଏହି ଚକ୍ଷୁ ଚିକିତ୍ସାଳୟ ପରିସରରେ ଜିଲା ହସ୍‌ପିଟାଲର ଚକ୍ଷୁ ବିଭାଗ ମଧ୍ୟ ଗତ ୨୦୦୮ ରୁ ଖୋଲାଯାଇଛି । ସେଠାରେ ଜଣେ ଚୁକ୍ତିଭିତ୍ତିକ ଚକ୍ଷୁ ବିଶେଷଜ୍ଞଙ୍କୁ ଗତ ଜୁନ୍ ମାସରୁ ନିଯୁକ୍ତି ଦିଆଯାଇଛି । ରାଘବାନନ୍ଦ ସରକାରୀ ଚକ୍ଷୁ ଚିକିତ୍ସାଳୟଟି ୨୦ ଶଯ୍ୟା ବିଶିଷ୍ଟ ।

ଏହି ଚିକିତ୍ସାଳୟରେ ୨୦୧୯ ରେ ମାତ୍ର ୧୪ ଟି ଚକ୍ଷୁ ଅସ୍ତ୍ରୋପଚାର କରାଯାଇଥିଲା । ଆଉ ଚଳିତବର୍ଷ କୋଭିଡ୍ ଆଳରେ ଅସ୍ପୋପଚାର ବନ୍ଦ କରାଯାଇ ଗତ ନଭେମ୍ବର ମାସରେ ଆରମ୍ଭ କରାଯାଇଥିଲା । ମାତ୍ର ୧୨ ଜଣଙ୍କର ଏବର୍ଷ ଚକ୍ଷୁ ଅସ୍ତ୍ରୋପଚାର କରାଯାଇଛି । ଅନ୍ୟପକ୍ଷରେ ଏଠାକାର ଏକ ଘରୋଇ ଚକ୍ଷୁ ଚିକିତ୍ସାଳୟରେ ଗତବର୍ଷ ୨୭୮୦ ଜଣଙ୍କ ଚକ୍ଷୁ ଅସ୍ତ୍ରୋପଚାର କରାଯାଇଥିବାବେଳେ ଏବର୍ଷ କୋଭିଡ୍ କଟକଣାରେ ବି ୭୨୨ ଜଣଙ୍କର ଚକ୍ଷୁ ଅସ୍ତ୍ରୋପଚାର କରାଯାଇଛି । ସରକାର ଏକ ସ୍ୱତନ୍ତ୍ର ଚକ୍ଷୁ ଚିକିତ୍ସାଳୟରେ ଜଣେ ସ୍ଥାୟୀ ବିଶେଷଜ୍ଞଙ୍କ ସହ ଜଣେ ଠିକା ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କୁ ମୁତୟନ କରି ବାର୍ଷିକ ଲକ୍ଷ ଲକ୍ଷ ଟଙ୍କା ବିନିଯୋଗ କରୁଥିଲେ ବି ଏହାର ସୁଫଳ ସାଧାରଣ ମଣିଷଙ୍କୁ ମିଳୁନାହିଁ । ଫଳରେ ଲୋକମାନେ ଘରୋଇ ହସ୍‌ପିଟାଲ ମୁହାଁ ହେଉଥିବା ଜଣାପଡିଛି । ଏ ସଂପର୍କରେ ରାଘବାନନ୍ଦ ଚକ୍ଷୁ ଚିକିତ୍ସାଳୟର ଇନ୍‌ଚାର୍ଜ ବିଶେଷଜ୍ଞ ଡାକ୍ତର ସନ୍ତୋଷ ସିଂଙ୍କୁ ପଚାରିବାରୁ କୋଭଡି୍ ପାଇଁ ଚକ୍ଷୁ ଅସ୍ତ୍ରୋପଚାର ହେଉନଥିଲା ଓ କେବଳ ସପ୍ତାହର ମଙ୍ଗଳବାର ଦିନ ଏହା ପୁଣି ଆରମ୍ଭ କରିଛୁ ବୋଲି କହିଛନ୍ତି । ବେସରକାରୀ ଚକ୍ଷୁ ଚିକିତ୍ସାଳୟରେ ଶହେଗୁଣ ଅଧିକ ଅସ୍ତ୍ରୋପଚାର କିଭଳି ସମ୍ଭବ ହେଉଛି ବୋଲି ପଚାରିବାରୁ ସେ ସନ୍ତୋଷ ଜନକ ଉତ୍ତର ଦେଇପାରିନଥିଲେ । ସରକାରଙ୍କ ହାତକୁ ଗଲାପରେ ରାଘବାନନ୍ଦ ସରକାରୀ ଚକ୍ଷୁ ଚିକିତ୍ସାଳୟ ଆଉ ଆଗଭଳି ତତ୍ପରତା ଦେଖାଉନଥିବା ଅଭିଯୋଗ ହୋଇଛି । ନିଜର ବହୁ ମୂଲ୍ୟବାନ ଜମି, କୋଠା ଦାନ କରିଥିବା ଡାକ୍ତର ଦେବେନ୍ଦ୍ରନାଥ ଦାସଙ୍କ ସ୍ୱପ୍ନ ଯେ ପୂରଣ ହୋଇନି, ତାହା ସହଜେ କୁହାଯାଇପାରିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.