ହାଟଡିହି- ୪/୧୨/: (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଗେଡମା ପଞ୍ଚାୟତ ଜଳସରପୁର ଗ୍ରାମରେ ଥିବା ଭାଗବତ ଟୁଙ୍ଗିର ପଞ୍ଚକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମା ବୃନ୍ଦାବତୀଙ୍କୁ ଏକ ସୁସଜ୍ଜିତ ମାଟି ହାଣ୍ଡିରେ ସ୍ଥାପନ କରି ନାମ ସଙ୍କିର୍ତ୍ତନ ସହ ଏକାଦଶୀ ଠାରୁ ପୁର୍ଣ୍ଣିମା ପର୍ୟ୍ୟନ୍ତ ପ୍ରତିଦିନ ପ୍ରାତ କାଳରେ ଗ୍ରାମ ପରିକ୍ରମା କରାଯାଉଥିଲା । ସୁଦର୍ଶନ ସାହୁ ମା ବୃନ୍ଦାବତୀଙ୍କ ମସ୍ତକରେ ଧରି ଗ୍ରାମ ପରିକ୍ରମା କରିବାବେଳେ ପ୍ରତି ପରିବାରର ଝିଅ ବୋହୁମାନେ ଶଙ୍ଖ, ହୁଳହୁଳି ଦେଇ ଭକ୍ତି ଭାବରେ ବନ୍ଦାପନା କରୁଥିଲେ । ଅପର୍ତ୍ତୀ ଦେହୁରୀଙ୍କ ନେତୃତ୍ୱରେ ମାମଙ୍ଗଳା ସଙ୍କିର୍ତ୍ତନ ମଣ୍ଡଳୀର ସଦସ୍ୟ ମାନେ ନାମସଙ୍କିର୍ତ୍ତନ କରିଥିଲେ । ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଲୋକକଳାର ସୁରକ୍ଷା ପାଇଁ ମୁରୁଜ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଏଥିରେ ୪୫ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିବାବେଳେ ବିଭିନ୍ନ ରଙ୍ଗରେ ଚଉଁରା ଗୁଡିକ ଖୁବ ଆକର୍ଷିତ କରିଥିଲା । ବିଚାରକ ଭାବେ ଅବସରପ୍ରାପ୍ତ ଶିକ୍ଷକ ଅନାଦି ଚରଣ ଜେନା, ପୁର୍ବତନ ସରପଞ୍ଚ ନରହରି ଚକ୍ର, ଶିକ୍ଷକ ମାନସ କୁମାର ନାୟକ ପ୍ରମୁଖ ଯୋଗଦେଇ ମୁଲ୍ୟାଙ୍କନ ଭିତ୍ତିରେ ଶ୍ରେଷ୍ଠ ପ୍ରତିଯୋଗୀ ଚୟନ କରିଥିଲେ । ସୁଶ୍ରୀ ଚିନ୍ମୟୀ ନାୟକ ପ୍ରଥମ ସ୍ଥାନ ହାସଲ କରିଥବବାବେଳେ ମୀନା ଦେହୁରୀ ଦ୍ୱିତୀୟଓ ଅନ୍ନପୁର୍ଣ୍ଣା ସାହୁ ତୃତୀୟ ସ୍ଥାନ ହାସଲ କରିଥିଲେ । ଏହା ବ୍ୟତୀତ ପ୍ରତିଯୋଗୀ ମାନଙ୍କ ମଧ୍ୟରୁ ୧୫ଜଣଙ୍କୁ ସାନ୍ତ୍ୱନାମୁଳକ ପୁରସ୍କାର ପ୍ରଦାନ କରାଯାଇଥିଲା । ଭାଗବତ ଟୁଙ୍ଗୀର ମୁଖ୍ୟ ପରିଚାଳକ ବାସୁଦେବ ନାୟକ କାର୍ୟ୍ୟକ୍ରମ ପରିଚାଳନା କରିଥବବାବେଳେ ଚକ୍ରଧର ଜେନା, ହରିହର ଦାଶ, କାହ୍ନୁ ଚରଣ ଦାସ, ବଳରାମ ଧଳ, ଅନାଦି ଚରଣ ଜେନା, ରାମଚନ୍ଦ୍ର ଜେନା, ଧୁନ ଜେନା ଓ ଗ୍ରାମର ଅନେକ ମହିଳା ସହଯୋଗ କରିଥିଲେ । ଏହି ଅବସରରେ ଗ୍ରାମର ରାଧାକୃଷ୍ଣ ମନ୍ଦିର, ଜଳେଶ୍ୱର ମନ୍ଦିର ଆଦିରେ ପୂଜାର୍ଚ୍ଚନା କରାଯାଇଥିଲା ।